ଝାରସୁଗୁଡ଼ା ଉପନିର୍ବାଚନ; ଦୀପାଳିଙ୍କ ପାଇଁ ପ୍ରଚାର କଲେ ନବୀନ

ଭୁବନେଶ୍ୱର,୭/୫(ସତ୍ୟପାଠ ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ପାଇଁ ଆଜି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର କରିଛନ୍ତି। ନିର୍ବାଚନ ମଣ୍ଡଳୀର ଅମିଲିପାଲିରେ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେଇ ଦୀପାଳିଙ୍କୁ ପ୍ରଶଂସା କରିବା ସହ ଏ ମାଟିର ଝିଅ ବୋଲି କହିଛନ୍ତି ନବୀନ। ଏଥିସହ ଏ ମାଟିର ସେବା କରିବା ପାଇଁ ଝାରସୁଗୁଡା ବାସୀ ତାଙ୍କୁ ସୁଯୋଗ ଦେବେ ବୋଲି ତାଙ୍କର ଭରସା ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ନବୀନ କହିଛନ୍ତି, ନବ ଦାସ ଜଣେ ଲୋକପ୍ରିୟ ନେତା, ଦକ୍ଷ ବିଧାୟକ ଓ ମନ୍ତ୍ରୀ ଭାବରେ ସାରା ଓଡିଶାରେ ପରିଚିତ ଥିଲେ । ସେ ଆଜି ଆମ ଭିତରେ ନାହାନ୍ତି। ତାଙ୍କ କାମ ପାଇଁ ଝାରସୁଗୁଡାବାସୀ ସବୁବେଳେ ତାଙ୍କୁ ମନେ ରଖିବେ। ଏବେ ତାଙ୍କ ଦାୟିତ୍ବ ନେବାପାଇଁ, ଆପଣମାନଙ୍କ ସେବା କରିବାପାଇଁ, ତାଙ୍କ ଝିଅ ଦୀପାଳି ଦାସ ଆଗେଇ ଆସିଛନ୍ତି। ଦୀପାଳି ଜଣେ ଉଚ୍ଚ ଶିକ୍ଷିତ ଝିଅ । ସମାଜସେବାରେ ତାଙ୍କର ବିଶେଷ ରୁଚି ରହିଛି। ଝାରସୁଗୁଡାବାସୀ ତାଙ୍କୁ ସୁଯୋଗ ଦେଲେ ଦକ୍ଷତାର ସହ ପାଳନ କରିପାରିବେ।

ନିର୍ବାଚନରେ ହାର ଜିତ୍‌ ରହିଛି । ତେଣୁ ନିର୍ବାଚନ ପ୍ରଚାର ସମୟରେ ଆମେ ସମସ୍ତେ ଶାଳୀନତା ରକ୍ଷା କରିବା ଜରୁରୀ । କାହାକୁ, ବିଶେଷ କରି, ଆମର ମହିଳା ମାନଙ୍କୁ, ଆମର ମା ମାନଙ୍କୁ, ଗାଳି ଦେବା, ଅସମ୍ମାନ କରିବା ଉଚିତ ନୁହେଁ ବୋଲି କହି ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ।

ସୂଚନାଯୋଗ୍ୟ ଯେ, ଝାରସୁଗୁଡା ଉପନିର୍ବାଚନ ପାଇଁ ପ୍ରଚାର ଶେଷ ପର୍ଯ୍ୟାୟରେ ପହଁଚିଛି । ସମସ୍ତ ଦଳ ନିଜ ନିଜ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ନବୀନ ଙ୍କ ଭଳି ବିଜେପି ପ୍ରାର୍ଥୀଙ୍କ ପାଇଁ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପ୍ରଚାର କରିବା ସହ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେହିପରି କଂଗ୍ରେସ ମଧ୍ୟ ନିଜ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଚଳାଇଛି। ତେବେ ଆସନ୍ତାକାଲି ପ୍ରଚାରର ଶେଷ ତାରିଖ ରହିଛି। ୧୦ ତାରିଖରେ ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବାକୁ ଥିବାବେଳେ ୧୩ ତାରିଖରେ ଫଳାଫଳ ବାହାରିବ।

Related Posts