ଭୁବନେଶ୍ୱର,୧୩/୪(ସତ୍ୟପାଠ ବ୍ୟୁରୋ): ଝାରସୁଗୁଡା ଉପନିର୍ବାଚନ ପାଇଁ ଯୁବନେତା ଟଙ୍କଧର ତ୍ରିପାଠୀଙ୍କୁ ପ୍ରାର୍ଥୀ ଘୋଷଣା କଲା ଭାରତୀୟ ଜନତା ପାର୍ଟି( ବିଜେପି) ଯୋଦ୍ଧା । ବହୁ ବିଚାର ବିମର୍ଶ ପରେ ବିଜେପି ସଂସଦୀୟ ବୋର୍ଡ ଟଙ୍କଧର ତ୍ରିପାଠୀଙ୍କ ନାମ ଉପରେ ମୋହର ମାରିଛି । ଏନେଇ ବିଜେପି ରାଷ୍ଟ୍ରୀୟ ମୁଖ୍ୟାଳୟ ପକ୍ଷରୁ ପ୍ରେସ ରିଲିଜ ଜାରି ହୋଇଛି ।
ଝାରସୁଗୁଡା ଉପନିର୍ବାଚନ ପାଇଁ ଟଙ୍କଧର ତ୍ରିପାଠୀ ହିଁ ବିଜେପି ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଥିଲା । ଏଥିପାଇଁ ଟଙ୍କଧର ମଧ୍ୟ ବେଶ କିଛି ଦିନ ହେଲା ଝାରସୁଗୁଡାରେ ସକ୍ରିୟ ହୋଇ ସଂଗଠନକୁ ସୁଦୃଢ କରିବାରେ ଲାଗିଥିଲେ । ସେପଟେ ଟିକେଟ ପାଇଁ ପୂର୍ବତନ ବିଧାୟକ ପ୍ରାର୍ଥୀ ଦିନେଶ ଜୈନ ଓ ଜିଲ୍ଲା ସଭାପତି ମଧ୍ୟ ଆଶାୟୀ ଥିଲେ । କିନ୍ତୁ ଶେଷରେ ଟଙ୍କଧରଙ୍କ ଉପରେ ଦଳ ଭରସା କରିଛି । ତେବେ ଟଙ୍କଧର ପୂର୍ବରୁ ବିଜେପି ଯୁବ ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ରାଜ୍ୟ ସାଧାରଣ ସମ୍ପାଦକ ତଥା ରାଜ୍ୟ ବିଜେପି ଯୁବ ମୋର୍ଚ୍ଚାର ସଭାପତି ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି ଦାୟିତ୍ୱ ନିର୍ବାହ କରିଥିଲେ । ବର୍ତ୍ତମାନ ସେ ବିଜେପିର ରାଜ୍ୟ ସମ୍ପାଦକ ଅଛନ୍ତି ।
ପୂର୍ବରୁ ଗତ ମାର୍ଚ୍ଚ ୩୧ରେ ବିଜେଡି ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ ଦିପାଳୀ ଦାସଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି । ବିଜେଡି ପ୍ରଥମ ଦଳ ଭାବେ ପ୍ରାର୍ଥୀ ଘୋଷଣା କରିଛି। ସ୍ବର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସ ତାଙ୍କ ବାପା ଜୀବିତ ଥିବା ସମୟରୁ ହିଁ ସାଧାରଣ ଜୀବନରେ ସକ୍ରିୟ ଥିଲେ । ବାପାଙ୍କ ତତ୍ୱାବଧାନରେ ଦୀପାଳି ସେତେବେଳେ ସଙ୍ଗଠନ କାର୍ଯ୍ୟ ମଧ୍ୟ କରିଛନ୍ତି । ଦୀପାଳି ପଦ୍ମପୁର, ବ୍ରଜରାଜନଗର ଉପନିର୍ବାଚନରେ ମଧ୍ୟ ସକ୍ରିୟ ରହିଥିଲେ। ତେବେ ଦୀପାଳିଙ୍କୁ ପ୍ରାର୍ଥୀ କରି ବିଜେଡି ଅନୁକମ୍ପା, ମହିଳା, ଯୁବ ଭୋଟ ହାତେଇବାକୁ ଲକ୍ଷ୍ୟ ରଖିଛି। ସେ ଆସନ୍ତା ୧୮ ତାରିଖରେ ନାମାଙ୍କନ ଭରିବେ ବୋଲି ଜଣା ପଡିଛି।
ସେହିପରି କଂଗ୍ରେସ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପୂର୍ବତନ ବିଧାୟକ ବିରେନ୍ଦ୍ର ପାଣ୍ଡେଙ୍କ ପୁଅ ତରୁଣ ପାଣ୍ଡେଙ୍କୁ ଟିକେଟ ଦେଇଛି । ଝାରସୁଗୁଡା ଉପନିର୍ବାଚନ ପ୍ରାର୍ଥୀ ଚୟନ ପାଇଁ ପିସିସି ସଭାପତି ଶରତ ପଟ୍ଟନାୟକ ଏକ ୫ ଜଣିଆ କମିଟି ଗଠନ କରିଥିଲେ । ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ନେତୃତ୍ବରେ ଟିମ ଝାରସୁଗୁଡା ଯାଇ ଦଳୀୟ ନେତା କର୍ମୀଙ୍କ ସହ ଆଲୋଚନା କରିଥିଲେ । ପରେ କମିଟି ପିସିସି ସଭାପତିଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ । ପିସିସିର ସୁପାରିଶ ଓ ଅଖିଳ ଭାରତୀୟ କଂଗ୍ରେସ କମିଟିର ଅନୁମୋଦନ କ୍ରମେ ତରୁଣ ପାଣ୍ଡେଙ୍କୁ ପ୍ରାର୍ଥୀ କରିଛି । କଂଗ୍ରେସ ଟିକେଟ ପାଇଁ ଜିଲ୍ଲା ସଭାପତି ଅଶୋକ ମିଶ୍ର ଗତଥର ନିର୍ବାଚନ ଲଢିଥିବା ନେତା ମଧ୍ୟ ଟିକେଟ ଆଶାୟୀ ଥିଲେ । କିନ୍ତୁ ଦଳ ୩ ଥର ବିଧାୟକ ବିରେନ ପାଣ୍ଡେଙ୍କ ପୁଅ ତଥା ଯୁବନେତା ତରୁଣ ପାଣ୍ଡେଙ୍କ ଉପରେ ଆସ୍ଥା ପ୍ରକଟ କରିଛି।





