ଝାରସୁଗୁଡା ଉପନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା; ବିଜେଡିରେ ସାମିଲ ହେଲେ ମହେନ୍ଦ୍ର ନାୟକ

ଭୁବନେଶ୍ୱର,୨୧/୪(ସତ୍ୟପାଠ ବ୍ୟୁରୋ): ଝାରସୁଗୁଡା ଉପନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା। ବିଜେଡିରେ ସାମିଲ ହେଲେ ଗତ ସାଧାରଣ ନିର୍ବାଚନର ଦଳର ପ୍ରାର୍ଥୀ ହୋଇଥିବା ମହେନ୍ଦ୍ର ନାୟକ। କଂଗ୍ରେସରୁ ଟିକେଟ ନପାଇବାରୁ ଅସନ୍ତୋଷ ପ୍ରକାଶ କରି ବିଜେଡିରେ ସାମିଲ ହୋଇଛନ୍ତି ମହେନ୍ଦ୍ର। ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ସେ ଓ ତାଙ୍କ ସମର୍ଥକ ବିଜେଡିରେ ସାମିଲ ହୋଇଛନ୍ତି। ବିଜେଡି ସାଂସଦ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି।

ତେବେ ୨୦୧୯ ନିର୍ବାଚନରେ ମହେନ୍ଦ୍ର ନାୟକ କଂଗ୍ରେସ ବିଧାୟକ ପ୍ରାର୍ଥୀ ହୋଇଥିଲେ। ସେ ମାତ୍ର ୧୮୮୨୩ ଖଣ୍ଡ ଭୋଟ ପାଇ ପରାଜିତ ହୋଇଥିଲେ। ତେବେ ଚଳିତ ଉପନିର୍ବାଚନରେ ଦଳ ତରୁଣ ପାଣ୍ଡେଙ୍କୁ ଟିକେଟ୍ ଦେଇଛି। ଯାହାକୁ ନେଇ ସେ ଅସନ୍ତୁଷ୍ଟ ଥିଲେ। ପରେ ମହେନ୍ଦ୍ର ନିଜ ସମର୍ଥକଙ୍କ ସହ କଂଗ୍ରେସ ଛାଡି ବିଜେଡରେ ସାମିଲ ହୋଇଛନ୍ତି।

ଝାରସୁଗୁ଼ଡାରେ ପୂର୍ବରୁ କଂଗ୍ରେସର ଆଧିପତ୍ୟ ଥିଲା। ସ୍ବର୍ଗତ ନବ ଦାସ ମଧ୍ୟ ଏହି ଆସନରୁ କଂଗ୍ରେସରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। କିନ୍ତୁ ସେ ବିଜେଡିରେ ମିଶିବା ପରେ କ୍ରମଶଃ କଂଗ୍ରେସ ଦୁର୍ବଳ ହୋଇଯାଇଛି। ଏମିତିକି ଜିଲ୍ଲାରେ ଏହାର ପ୍ରଭାବ ବିଜେପି ଅପେକ୍ଷା କମ୍ ରହିଥିବା କୁହାଯାଉଛି।

ଚଳିତଥର ତରୁଣ ପାଣ୍ଡେ ଯିଏକି ପୂର୍ବତନ ବିଧାୟକ ବିକ୍ରମ ପାଣ୍ଡେଙ୍କ ପୁଅ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି। ସେ ନିଜକୁ ଝାରସୁଗୁଡାର ଲୋକ ବୋଲି କହି ଭୋଟ୍ ବ୍ୟାଙ୍କ ହାତେଇବାକୁ ଲକ୍ଷ୍ୟ ରଖିଛନ୍ତି। ଆଉ ବିଜେଡି ଓ ବିଜେପିର ପ୍ରାର୍ଥୀ ଦୀପାଳି ଦାସ ଏବଂ ଟଙ୍କଧର ତ୍ରିପାଠୀ ସମ୍ବଲପୁର ଓ ସୁନ୍ଦରଗଡର ବାସିନ୍ଦା ହୋଇଥିବାରୁ ଝାରସୁଗୁଡାବାସୀ ନିଜ ଅଞ୍ଚଳର ପୁଅକୁ ଭୋଟ୍ ଦିଅନ୍ତୁ ବୋଲି ନିବେଦନ କରିଛନ୍ତି।

ଏହି ଉପ ନିର୍ବାଚନରେ କାହାକୁ ଟିକେଟ୍ ଦିଆଯିବ ସେ ନେଇ ପିସିସି ସଭାପତି ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ନେତୃତ୍ୱରେ ଏକ ୫ ଜଣିଆ କମିଟି ଗଠନ କରିଥିଲେ। ପରେ ସାଲୁଜାଙ୍କ ଟିମ୍ ଝାରସୁଗୁଡା ଯାଇ ସ୍ଥିତି ପରଖିଥିଲା। ଆଉ ତରୁଣ ପାଣ୍ଡେଙ୍କ ନାମକୁ ସୁପାରିସ କରିଥିଲା ବୋଲି ଜଣାପଡିଛି।

Related Posts