ଅହମଦାବାଦ: ଗୁଜରାଟ କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ଜିଗ୍ନେଶ ମେୱାନୀଙ୍କୁ ଜେଲ୍ । ୨୦୧୬ରେ ଆନ୍ଦୋଳନକୁ ନେଇ ହୋଇଥିବା ଏକ ମାମଲାକୁ ନେଇ ଶୁଣାଣୀ କରି କୋର୍ଟ ଏହି ରାୟ ଶୁଣାଇଛନ୍ତି ।
ସୂଚନାଯୋଗ୍ୟ, ଗୁଜରାଟ ୟୁନିଭର୍ସିଟିର ଲ ଭବନ ବିଲ୍ଡିଂଙ୍କୁ ଆମ୍ବେଦକରଙ୍କ ନାଁରେ ନାମିତ କରିବା ନେଇ ୨୦୧୬ରେ ଆନ୍ଦୋଳନ କରିଥିଲେ ଜିଗ୍ନେଶ ମେୱାନୀ। ଏହି ଆନ୍ଦୋଳନରେ ସାମିଲ ଥିବା ବିକ୍ଷୋଭକାରୀଙ୍କ ମଧ୍ୟରୁ ମୋଟ ୨୦ ଜଣଙ୍କୁ ଗିରଫ କରିଥିଲା ଗୁଜରାଟ ପୁଲିସ। ବେଆଇନ ଭିଡ ଜମାଇବା ଓ ଦଙ୍ଗା ଉସ୍କାଇବା ଅଭିଯୋଗରେ ଏମାନଙ୍କୁ ଗିରଫ କରାଯାଇଥିଲା।
ଏହି ମାମଲାରେ ଆଜି ଶୁଣାଣି କରି ଅହମଦାବାଦର ଏକ କୋର୍ଟ ଜିଗ୍ନେଶ ଓ ୧୮ ଜଣଙ୍କୁ ୬ ମାସ ଜେଲ୍ ଦଣ୍ଡ ଶୁଣାଇଛନ୍ତି। ମାମଲାରେ ଗିରଫ ହୋଇଥିବା ୨୦ ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ଅନ୍ୟ ସମସ୍ତଙ୍କୁ ୬ ମାସ ଜେଲ୍ ଦଣ୍ଡ ସହ ଫାଇନ କରିଛନ୍ତି କୋର୍ଟ। ଗୁଜରାଟ ୟୁନିଭର୍ସିଟିର ନାଁ ପରିବର୍ତ୍ତନ ପାଇଁ ବିରୋଧ ପ୍ରଦର୍ଶନ ବେଳେ ହୋଇଥିବା ହିଂସାକୁ ନେଇ ବିକ୍ଷୋଭକାରୀଙ୍କ ବିରୋଧରେ ମାମଲା ହୋଇଥିଲା।
ଏହି ଆନ୍ଦୋଳନକୁ ରୁଜୁ ହୋଇଥିବା ୩ ଅଲଗା ଅଲଗା ମାମଲାରେ ଆଜି ଶୁଣାଣି କରିଛନ୍ତି ଅହମଦାବାଦ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍ କୋର୍ଟ। ଗୋଟିଏ ମାମଲାରେ ୬ ମାସର ଜେଲ୍, ଦ୍ୱିତୀୟ ମାମଲାରେ ୫୦୦ ଟଙ୍କା ଜରିମାନା ଓ ତୃତୀୟ ମାମଲାରେ ଦୋଷୀମାନଙ୍କୁ ୧୦୦ ଟଙ୍କା ଜରିମାନା କରାଯାଇଛି।





