ବିଜେପିର ଗୁପ୍ତଚର ଥିଲେ ଜିତନ ରାମ ମାଂଝୀ, ଭଲ ହେଲା ସେ ଅଲଗା ହୋଇଗଲେ: ନୀତିଶ କୁମାର

ଭୁବନେଶ୍ୱର,୧୬/୬(ସତ୍ୟପାଠ ବ୍ୟୁରୋ): ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚାର ମୁଖ୍ୟ ଜିତନ ରାମ ମାଂଝୀ ବିଜେପିର ଗୁପ୍ତଚର ଥିଲେ। ସେ ମହାମେଣ୍ଟ ସହଯୋଗୀ ଦଳର ଜାସୁସୀ କରୁଥିଲେ ବୋଲି ଅଭିଯୋଗ ଆଣିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ଏହାସହିତ ନୀତିଶ କୁମାର ଆହୁରି କହିଛନ୍ତି ଯେ, ଭଲ ହେଲା ସେ ମେଣ୍ଟ ରୁ ବାହାରି ଯାଇଛନ୍ତି। ନୀତୀଶ କହିଛନ୍ତି ‘ମୁଁ ଜିତନ ରାମ ମାଝୀଙ୍କୁ ତାଙ୍କ ଦଳକୁ ଜେଡିୟୁରେ ମିଶାଇ ଦେବାକୁ କହିଥିଲି ନ ହେଲେ ମେଣ୍ଟ ଛାଡ଼ିବାକୁ କହିଥିଲି।ସେ ବିଜେପି ସହିତ ସବୁବେଳେ ମିଳାମିଶା କରୁଥିଲେ। ଭଲ ହେଲା ସେ ଆମ ଠାରୁ ଅଲଗା ହୋଇଗଲେ।’

ନୀତିଶ ଆହୁରି କହିଛନ୍ତି ଯେ ଜୁନ ୨୩ରେ ହେବାକୁ ଥିବା ବିରୋଧୀ ଦଳର ନେତାଙ୍କ ବୈଠଖରେ ମାଂଝୀ ଯୋଗ ଦେବାକୁ ଚାହୁଁଥିଲେ। କିନ୍ତୁ ମୋର ସନ୍ଦେହ ହେଲା ଯେ ସେ ଏଠାରେ ଆଲୋଚ୍ୟ ବିଷୟର ଗୋପନୀୟତା ବିଜେପି ଆଗରେ ଖୋଲି ଦେବେ। ସେ ଆହୁରି କହିଛନ୍ତି ଯେ, ଯେତେବେଳେ ଜିତନ ରାମ ମହାଗଠବନ୍ଧନରେ ଥିଲେ, ସେ ବିଜେପି ଲୋକଙ୍କୁ ଭେଟୁଥିଲେ। ଆମେ ଜାଣିଥିଲୁ ସେ ଚାଲିଯିବେ, କିନ୍ତୁ ସେ ଆସୁଥିଲେ ଏବଂ ଆମକୁ କହିଥିଲେ ଯେ ସେ କୌଣସି ଦଳ ସହ ଯିବେ ନାହିଁ | ସେହିପରି ନୀତୀଶ ଚିରାଗ ପାସୱାନଙ୍କ ଦଳର ନାମ ନ ନେଇ ନୀତୀଶ କୁମାର କହିଛନ୍ତି ଯେ ୨୦୨୦ ବିହାର ବିଧାନସଭା ନିର୍ବାଚନରେ ଆମର ପ୍ରାର୍ଥୀଙ୍କୁ ପରାସ୍ତ କରିବା ପାଇଁ କାର୍ଯ୍ୟ କରାଯାଇଥିଲା । ବିଜେପି କଣ କରିଛି ତାହା ସମସ୍ତେ ଜାଣନ୍ତି।

ଆମର ଜିତିଥିବା ଏବଂ ହାରିଥିବା ପ୍ରାର୍ଥୀମାନେ କହିଥିଲେ ଯେ ବିଜେପି ସମର୍ଥନ କରୁନାହିଁ କିନ୍ତୁ ଖେଳ ଖେଳିଛି। ଏହା ପରେ ମଧ୍ୟ ଆମେ ବିଜେପି ସହିତ ରହିଥିଲୁ, କିନ୍ତୁ ପରେ ଏନଡିଏ ସହ ଅଲଗା ହୋଇଥିଲୁ | ନୀତୀଶ କୁମାର କହିଛନ୍ତି ଯେ ୨୦୧୪ରେ ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଜିତନ ରାମଙ୍କୁ ମୁଖ୍ୟମନ୍ତ୍ରୀ କରାଇଥିଲି । ଆମେ ସନ୍ତୋଷ ସୁମନଙ୍କୁ ଜେଡିୟୁ କୋଟାରୁ ମନ୍ତ୍ରୀ କରିଥିଲୁ । ଯେହେତୁ ସେ ଇସ୍ତଫା ଦେଇଛନ୍ତି, ତେଣୁ ଆମେ ଜେଡିୟୁ ବିଧାୟକ ରତ୍ନେଶ ସାଦାଙ୍କୁ ମନ୍ତ୍ରୀ କରିଛୁ ବୋଲି ସେ କହିଛନ୍ତି।

ଅନ୍ୟପଟେ ନୀତିଶଙ୍କ ଅଭିଯୋଗରେ ଜବାବ ରଖିଛନ୍ତି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଝୀ। ସେ କହିଛନ୍ତି ‘ମୁଁ ବିଜେପି ନେତାଙ୍କ ସହ ଭେଟିଛି ବୋଲି ନୀତୀଶ କୁମାରଙ୍କ ପାଖରେ କିଛି ପ୍ରମାଣ ଅଛି କି ? ନୀତୀଶ କୁମାର ବିଜେପି ସହିତ ସରକାର ଗଠନ କରିନାହାଁନ୍ତି କି? ସେ ତେଜସ୍ୱୀ ଯାଦବଙ୍କୁ ଏକ ଲଲିପପ୍ ଦେଖାଉଛନ୍ତି। ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ (ଏନଡିଏ)ରେ ଯୋଗଦେବେ କିନ୍ତୁ ତେଜସ୍ୱୀ ଯାଦବ ମୁଖ୍ୟମନ୍ତ୍ରୀ କରିବେ ନାହିଁ।’

ସୂଚନାଯୋଗ୍ୟ ଯେ, ଜିତାନ ରାମ ମାଂଝୀ ଙ୍କ ଦଳ ଏଚ୍‌ଏଏମ୍‌ ବିହାରର ଶାସକ ମହମେଣ୍ଟରେ ସାମିଲ ଥିଲା। ହେଲେ ମାଂଝୀଙ୍କ ପୁଅ ସନ୍ତୋଷ କୁମାର ସୁମନ ନିକଟରେ ନୀତୀଶଙ୍କ କ୍ୟାବିନେଟରୁ ଇସ୍ତଫା ଦେଇଥିଲେ । ଏହାପରେ ବିହାର ରାଜନୀତି ସରଗରମ ହୋଇଛି। ତେବେ ଆଗକୁ ବିହାରରେ ବିରୋଧୀ ଦଳର ନେତା ମାନେ ଏକାଠି ହେବାକୁ ଥିବାବେଳେ ନୀତିଶ ଓ ମାଂଝୀ ଙ୍କ ବିବାଦ ଆଗକୁ କେଉଁ ମୋଡ଼ ନେଉଛି ତାହା ଦେଖିବାକୁ ବାକି ରହିଲା।

Related Posts