ଏନଡିଏରେ ଯୋଗ ଦେଲା ଜିତନ ରାମ ମାଂଝୀଙ୍କ ହିନ୍ଦୁସ୍ତାନୀ ଆଓ୍ବାମ ମୋର୍ଚ୍ଚା, ନିକଟରେ ବିହାରର ମହାମେଣ୍ଟ ସରକାରରୁ ସମର୍ଥନ ପ୍ରତ୍ୟାହାର କରିଥିଲା ଦଳ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆସନ୍ତା ବର୍ଷ ଦେଶରେ ସାଧାରଣ ନିର୍ବାଚନ ଥିବାବେଳେ ଏବଠୁ ରାଜନୈତିକ ହଲଚଲ ବଢିଚାଲିଛି । ଗୋଟିଏ ପଟେ ବିରୋଧୀ ଦଳ ଆସନ୍ତା ୨୩ ତାରିଖରେ ବିହାର ରାଜଧାନୀ ପାଟନାରେ ଏକାଠି ହେବାକୁଥିବାବେଳେ ତାହାର ଦୁଇଦିନ ପୂର୍ବରୁ ବିରୋଧୀ ଏକତାକୁ ଏକ ଝଟକା ଲାଗିଛି।

ଦୁଇଦିନ ପୂର୍ବେ ବିହାରର ମହାମେଣ୍ଟ ସରକାରରୁ ସମର୍ଥନ ପ୍ରତ୍ୟାହାର କରିଥିବା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଂଝୀଙ୍କ ହିନ୍ଦୁସ୍ତାନୀ ଆଓ୍ବାମ୍ ମୋର୍ଚ୍ଚା (ହାମ୍) ଏନଡିଏରେ ଯୋଗ ଦେଇଛି । ବୁଧବାରଦିନ ନୂଆଦିଲ୍ଲୀଠାରେ ଜିତନରାମ ଓ ତାଙ୍କ ପୁଅ ସନ୍ତୋଷ ସୁମନ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ । ଏହି ସାକ୍ଷାତ ପରେ ହିନ୍ଦୁସ୍ତାନୀ ଆଓ୍ବାମ ମୋର୍ଚ୍ଚା ଏନଡିଏରେ ଯୋଗ ଦେବା ସମ୍ପର୍କରେ ସନ୍ତୋଷ ଘୋଷଣା କରିଥିଲେ ।

ଏହି ବୈଠକ ପରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଂଝୀ କହିଛନ୍ତି ଯେ, ଆମେ ଆନୁଷ୍ଠାନିକ ଭାବେ ଏନଡିଏରେ ଯୋଗ ଦେଇଛୁ । ଅମିତ ଶାହାଙ୍କ ସହ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ପରେ ଆସନ ବୁଝାମଣା ନେଇ ନିଷ୍ପତ୍ତି ନିଆଯିବ ବୋଲି ମାଂଝୀ କହିଛନ୍ତି। ମହାମେଣ୍ଟରୁ ଅଲଗା ହେବା ପରେ ମାଂଝୀଙ୍କ ଦଳ ପୁଣି ଥରେ ଏନଡିଏରେ ସାମିଲ ହେବ ବୋଲି ଚର୍ଚ୍ଚା ହେଉଥିଲା ।

ସୂଚନାଯୋଗ୍ୟ ଯେ, ବିହାର ବିଧାନସଭାରେ ଏବେ ହିନ୍ଦୁସ୍ତାନୀ ଆଓ୍ବାମ ମୋର୍ଚ୍ଚାର ୪ ଜଣ ବିଧାୟକ ଅଛନ୍ତି । ସେହିପରି ବିହାର ବିଧାନ ପରିଷଦରେ ଏହିଦଳର ଜଣେ ସଦସ୍ୟ ଅଛନ୍ତି ।

Related Posts