ଭୁବନେଶ୍ଵର,୧୦/୩(ସତ୍ୟପାଠ ବ୍ୟୁରୋ): ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଶୁକ୍ରବାର ଜମି ବଦଳରେ ଚାକିରି ଦୁର୍ନୀତି ମାମଲାରେ ବଡ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଇଡି ପକ୍ଷରୁ ଦିଲ୍ଲୀ, ବିହାର ଓ ଉତ୍ତରପ୍ରଦେଶର ୧୫ଟି ସ୍ଥାନରେ ଚଢାଉ କରିଛି। ଏହି ଚଢାଉ ଲାଲୁ ଯାଦବଙ୍କ ସହଯୋଗୀମାନଙ୍କ ଘରେ ହୋଇଛି। ଏହା ପୂର୍ବରୁ ସିବିଆଇ ଏହି ମାମଲାରେ ଲାଲୁ ଯାଦବ ଓ ରାବ୍ରି ଦେବୀଙ୍କୁ ପଚରା ଉଚରା ମଧ୍ୟ କରିଥିଲା।
ସୂଚନା ଅନୁସାରେ, ଇଡିର ଟିମ୍ ଶୁକ୍ରବାର ଆରଜେଡିର ପୂର୍ବତନ ବିଧାୟକ ଅବୁ ଦୋଜାନାଙ୍କ ପଟନା ସ୍ଥିତ ଘରେ ଚଢାଉ କରିଛି। ପୂର୍ବରୁ ସିବିଆଇ ସୋମବାର ପାଟନାରେ ରାବ୍ରି ଦେବୀଙ୍କ ବାସଭବନରେ ତାଙ୍କୁ ପଚରା ଉଚରା କରିଥିଲା। ଏହାର ଆଗାମୀ ଦିନ ସିବିଆଇ ଟିମ୍ ଦିଲ୍ଲୀରେ ମୀସା ଭାରତୀଙ୍କ ଘରେ ପହଞ୍ଚିଥିଲେ। ଏଠାରେ ସିବିଆଇ ଲାଲୁ ଯାଦବଙ୍କୁ ବହୁ ଘଣ୍ଟା ପର୍ଯ୍ୟନ୍ତ ପଚରା ଉଚରା କରିଥିଲା। ଲାଲୁ ଏବେ ବି ଦିଲ୍ଲୀରେ ମୀସା ଭାରତୀଙ୍କ ଘରେ ଅଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ଜମି ବଦଳରେ ଚାକିରି ମାମଲା ୧୪ ବର୍ଷ ପୁରୁଣା। ଏହି ସମୟରେ ଲାଲୁ କେନ୍ଦ୍ରର ୟୁପିଏ ସରକାରରେ ରେଳମନ୍ତ୍ରୀ ଥିଲେ। ଦାବି କରାଯାଉଛି ଯେ, ଲାଲୁ ରେଳମନ୍ତ୍ରୀ ରହି ରେଲଓ୍ବେର ଲୋକଙ୍କୁ ଚାକିରି ଦେବା ବଦଳରେ ତାଙ୍କ ଜମି ନେଇଯାଇଥିଲେ। ଉଲ୍ଲେଖନୀୟ ଯେ, ଲାଲୁ ୨୦୦୪ ରୁ ୨୦୦୯ ପର୍ଯ୍ୟନ୍ତ ରେଳ ମନ୍ତ୍ରୀ ଥିଲେ। ସିବିଆଇ ଏହି ମାମଲାରେ ୧୮ ମଇରେ ମାମଲା ରୁଜୁ କରିଥିଲା। ସିବିଆଇର କହିବା ଅନୁସାରେ, ଲୋକଙ୍କୁ ପ୍ରଥମେ ରେଲଓ୍ବେ ଗ୍ରୁପ୍ ଡି’ ପଦରେ ସବଷ୍ଟିଚ୍ୟୁଟ୍ ଭାବରେ ଭର୍ତ୍ତି କରାଯାଇଥିଲା ଓ ଯେତେବେଳେ ତାଙ୍କ ପରିବାର ଜମି ଡିଲ୍ କରିଥିଲା, ସେତେବେଳେ ତାଙ୍କୁ ରେଗୁଲାର କରିଦିଆଯାଇଛି।
ସିବିଆଇର କହିବା ଅନୁସାରେ, ପାଟନାରେ ଲାଲୁଙ୍କ ପରିବାର ୧.୦୫ ଲକ୍ଷବର୍ଗ ଫୁଟ୍ ଜମିରେ କବଜା କରିଥିଲେ। ଏହି ଜମିର ଡିଲ୍ ନଗଦ ଟଙ୍କାରେ କରାଯାଇଛି। ଲାଲୁଙ୍କ ପରିବାର ନଗଦ ଟଙ୍କା ଦେଇ ଏହି ଜମିକୁ କିଣିଥିଲେ। ସିବିଆଇର କହିବା ଅନୁସାରେ, ଏହି ଜମି ଖୁବ୍ କମ୍ ଦାମ୍ରେ ବିକ୍ରି କରାଯାଇଥିଲା। ରେଲଓ୍ବେରେ ଚାକିରୀ ବଦଳରେ ଲାଞ୍ଚରେ ଜମି ନେବାର ଅଭିଯୋଗ ମାମଲାରେ ସିବିଆଇ ତଦନ୍ତ କରୁଛି। ସେଭଳି ମନି ଲଣ୍ଡରିଂ ମାମଲାରେ ଇଡି ଯାଞ୍ଚ କରୁଛି। ସିବିଆଇ ଏହି ମାମଲାରେ ଚାର୍ଜସିଟ୍ ମଧ୍ୟ ଦାଖଲ କରିଥିଲା। ଏହି ମାମଲାରେ ଲାଲୁଙ୍କ ନିକଟତମ ଓ ପୂର୍ବତନ ବିଧାୟକ ଭୋଳା ଯାଦବ ଓ ହୃଦୟାନନ୍ଦ ଚୌଧୁରୀ ମଧ୍ୟ ଅଭିଯୁକ୍ତ ଥିଲେ। ଲାଲୁଙ୍କ ଓଏସଡି ଥିବା ଭୋଳା ଯାଦବଙ୍କୁ ସିବିଆଇ ୨୭ ଜୁଲାଇରେ ଗିରଫ କରିଥିଲା। ଭୋଳା ୨୦୦୪ ରୁ ୨୦୦୯ ଭିତରେ ତତ୍କାଳୀନ ରେଳମନ୍ତ୍ରୀ ଲାଲୁଙ୍କ ଓଏସଡି ଥିଲେ।





