ପ୍ରଥମ ଭାରତୀୟ ମହିଳା ଭାବେ ଆଇୟୁପିଏସି ପୁରସ୍କାର ପାଇବେ ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ମହାନ୍ତି

ଭୁବନେଶ୍ୱର,୧୩/୩ (ସତ୍ୟପାଠ ବ୍ୟୁରୋ): ଓଡ଼ିଆ ବୈଜ୍ଞାନିକ ଡକ୍ଟର ଜ୍ୟୋତିର୍ମୟୀ ମହାନ୍ତି ଚଳିତବର୍ଷର ମର୍ଯ୍ୟାଦାଜନକ ‘ଆଇୟୁପିଏସି’ ଡିଷ୍ଟିନ୍‌ଗୁଇଜଡ୍‌ ଉମ୍ୟାନ୍‌ ଇନ୍ କେମେଷ୍ଟ୍ରି-୨୦୨୩ ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି। ଆସନ୍ତା ଅଗଷ୍ଟ ମାସରେ ନେଦରଲ୍ୟାଣ୍ଡ୍‌ ହଗ୍ ସହରରେ ଆୟୋଜିତ ହେବାକୁ ଥିବା ୱାର୍ଲଡ୍ କେମେଷ୍ଟ୍ରି କଂଗ୍ରେସରେ ଡକ୍ଟର ମହାନ୍ତିଙ୍କୁ ସମ୍ମାନିତ କରାଯିବ।

ଭାବା ଆଟମିକ୍ ରିସର୍ଚ୍ଚ ସେଣ୍ଟର(ବାର୍କ)ରେ ବରି‌ଷ୍ଠ ବୈଜ୍ଞାନିକ ଭାବେ କାର୍ଯ୍ୟରତ ଡକ୍ଟର ମହାନ୍ତିଙ୍କର ଉଲ୍ଳେଖନୀୟ ଗବେଷଣା ପାଇଁ ଏହି ସମ୍ମାନ ପାଇବେ। ଏହି ସମ୍ମାନ ପାଇବାରେ ଡକ୍ଟର ମହାନ୍ତି ହେଉଛନ୍ତି ପ୍ରଥମ ଓଡ଼ିଆ ତଥା ପ୍ରଥମ ଭାରତୀୟ ମହିଳା ବୈଜ୍ଞାନିକ। ଏହା ପୂର୍ବରୁ ଡକ୍ଟର ମହାନ୍ତି ଜାତୀୟ ଓ ଆନ୍ତର୍ଜାତୀୟ କ୍ଷେତ୍ରରେ ଅନେକ ବିରଳ ସମ୍ମାନ ଲାଭ କରିଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

୧୯୭୧ ମସିହାରେ କଟକର ଚାଉଳିଆଗଞ୍ଜରେ ଡକ୍ଟର ଜ୍ୟୋତିର୍ମୟୀ ମହାନ୍ତିଙ୍କ ଜନ୍ମ। ବାପା ଡାକ୍ତର ବୈକୁଣ୍ଠନାଥ ପାତ୍ର ଓ ମା ତୁଳସୀ ପାତ୍ରଙ୍କ ଝିଅ ଜ୍ୟୋତିର୍ମୟୀଙ୍କ ସ୍କୁଲ ଶିକ୍ଷା କଟକ, ଗଞ୍ଜାମ, କେନ୍ଦୁଝରରେ ସରିଥିବା ବେଳେ ଏନ୍‌ସି କଲେଜ, ଯାଜପୁରରେ ରସାୟନ ବିଜ୍ଞାନ(ସମ୍ମାନ)ରେ ଯୁକ୍ତ ତିନି ଡିଗ୍ରି ଉତ୍ତୀର୍ଣ୍ଣ ହୋଇଥିଲେ। ୧୯୯୩ରେ ଭାବା ଆଟମିକ୍ ରିସର୍ଚ୍ଚ ସେଣ୍ଟର୍‌ରେ କାର୍ଯ୍ୟକରିବାର ସୁଯୋଗ ପାଇଥିଲେ। କଠିନ ଅଧ୍ୟାବସାୟ ଓ ନିଷ୍ଠାପର ଗବେ‌ଷଣା ପାଇଁ ଶ୍ରୀମତୀ ମହାନ୍ତି ୨୦୦୯ରେ କେମିକାଲ ସୋସାଇଟ୍(ଜାପାନ) ପକ୍ଷରୁ ୟଙ୍ଗ ସାଇଣ୍ଟିଷ୍ଟ ଆୱାର୍ଡ, ୨୦୧୧ରେ ଭାରତ ସରକାରଙ୍କ ଡିପାର୍ଟମେଣ୍ଟ୍‌ ଅଫ୍‌ ଆଟମିକ୍ ଏନର୍ଜି ପକ୍ଷରୁ ଏକ୍ସଲେନ୍ସି ଆୱାର୍ଡ, ୨୦୧୧ରେ ଓଡ଼ିଶା ବିଜ୍ଞାନ ଏକାଡେମି ପକ୍ଷରୁ ସାମନ୍ତ ଚନ୍ଦ୍ର‌ଶେଖର ପୁରସ୍କାର, ୨୦୧୩ରେ ଓଡ଼ିଶା ରାଜ୍ୟ ପୁରସ୍କାର, ୨୦୧୯ରେ ହୋମି ଭାବା ଫୋଲେସିପ୍, ୨୦୨୨ରେ ଫେଲୋ ଅଫ୍‌ ରୟାଲ ସୋସାଇଟି ଅଫ୍‌ କେମେଷ୍ଟ୍ରି(ଇଂଲଣ୍ଡ) ଭଳି ଅନେକ ସମ୍ମାନ ଲାଭ କରିଛନ୍ତି।

Related Posts