ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଦିନକୁ ଦିନ ଥମିବା ପରିବର୍ତ୍ତେ ଏବେ ବଢିବାରେ ଲାଗିଛି କାମିଆ ଜାନି ବିବାଦ | କାମିଆ ଜାନି ଗୋମାଂସ ଭକ୍ଷଣ କରିଥିବା ଓ ଏହାର ପ୍ରଚାର ପ୍ରସାର କରିଥିବାର ଗୋଟିଏ ପରେ ଗୋଟିଏ ପ୍ରମାଣ ଦେଇ ବିଜେପି ଏବେ ପାଣ୍ଡିଆନ ଓ ବିଜେଡ଼ିକୁ ଘେରିବାରେ ଲାଗିଥିବା ବେଳେ ଏ ସଙ୍କଟରୁ କିଭଳି ମୁକୁଳିବ ଓ ଏ ନିଆଁକୁ କିଭଳି ଲିଭାଇବା ଏବେ ସେ ଚିନ୍ତାରେ ବିଜେଡି |
ଗତକାଲି ବିଜେଡିର ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ସୋସିଆଲ ମିଡ଼ିଆ ଏକ୍ସରେ ପୋଷ୍ଟ କରି ଏହି ବିବାଦ ମଧ୍ୟକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଶାହଙ୍କୁ ଟାଣିବାକୁ ଚାହିଁଥିଲେ | କାମିଆ ଜଗନ୍ନାଥ ମନ୍ଦିର ଆସିବା ଓ ମହାପ୍ରସାଦ ଖାଇବାରେ କୌଣସି ଭୁଲ ନାହିଁ ବୋଲି ମାନସ ଦର୍ଶାଇବାକୁ ଚାହିଁଥିଲେ | ଆଉ ମାନସଙ୍କ ଏହି ପୋଷ୍ଟର 24 ଘଣ୍ଟା ନ ପୂରୁଣୁ ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | ନିଜ ପ୍ରତିକ୍ରିୟାରେ କାହାର ନାଁ ନନେଇ ଯାହାକୁ ଟାର୍ଗେଟ କରିବା କଥା କରି ଦେଇଛନ୍ତି ଧର୍ମେନ୍ଦ୍ର | ସେ କହିଛନ୍ତି ଯେ, ମହାପ୍ରଭୁ ଜଗନ୍ନାଥ ସାଢେ ଚାରିକୋଟି ଓଡ଼ିଆଙ୍କ ସମେତ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଆସ୍ଥା ଓ ବିଶ୍ୱାସର କେନ୍ଦ୍ର | ତେଣୁ ଅତି ଉତ୍ସାହିତ ହୋଇ ମହାପ୍ରଭୁ ଓ ଓଡ଼ିଆଙ୍କ ଆସ୍ଥା ବିଶ୍ୱାସ ସହ ଖେଳନ୍ତୁ ନାହିଁ ବୋଲି ଧର୍ମେନ୍ଦ୍ର କହିଛନ୍ତି | ତେବେ ଧର୍ମେନ୍ଦ୍ରଙ୍କ ଏହି ପ୍ରତିକ୍ରିୟା ଉପରେ ବିଜେଡିର କୌଣସି ପ୍ରତିକ୍ରିୟା ମିଳିନଥିବା ବେଳେ ଏହି ବିବାଦ ଆଗକୁ କେଉଁ ମୋଡ଼ ନେଉଛି ତାହା ଦେଖିବାକୁ ବାକି ରହିଲା |





