ରାଜନୀତିରୁ ଅବସର ନେଲେ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର,୯/୬(ସତ୍ୟପାଠ ବ୍ୟୁରୋ):  ପ୍ରତ୍ୟକ୍ଷ ରାଜନୀତିରୁ ଅବସର ନେଲେ ବିଜେଡ଼ିର ଅନ୍ୟତମ ନେତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ। ଆଜି ଏ ନେଇ ଶ୍ରୀ ସାମନ୍ତ ଘୋଷଣା କରିବା ସହ ଜୁନ୍‍ ୯ ତାରିଖଠାରୁ ସେ ରାଜନୀତିରୁ ଅବ୍ୟାହତି ନେଉଥିବା ପ୍ରକାଶ କରିଛନ୍ତି।

ଗତକାଲି ନବୀନ ନିବାସରେ ବିଜୁ ଜନତା ଦଳ ସଭାପତି ତଥା ପୁର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏ ସମ୍ପର୍କରେ ଶ୍ରୀ ସାମନ୍ତଙ୍କ ନିଜର ଇଚ୍ଛା ବ୍ୟକ୍ତ କରିଥିଲେ। ଏହା ସହ ଉଭୟ ରାଜ୍ୟସଭା ଓ ଲୋକସଭା ପାଇଁ ତାଙ୍କୁ ସୁଯୋଗ ଦେଇଥିବାରୁ ଶ୍ରୀ ସାମନ୍ତ, ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଥିଲେ।

ଦୀର୍ଘ ୩୨ବର୍ଷ ଧରି ସେ ଜାରି ରଖିଥିବା ସମାଜସେବା ଜାରି ରହିବ ଏବଂ ଏହି ସମାଜସେବାକୁ ଆହୁରି ବ୍ୟାପକ କରିବେ ବୋଲି ଶ୍ରୀ ସାମନ୍ତ ପ୍ରକାଶ କରିଛନ୍ତି। ଚଳିତ ନିର୍ବାଚନରେ ସେ କନ୍ଧମାଳ ସଂସଦୀୟ କ୍ଷେତ୍ରରୁ ଲଢ଼ି ପରାଜିତ ହୋଇଥିଲେ। ଏହି ଅବସରରେ ସେ କନ୍ଧମାଳ ସଂସଦୀୟ କ୍ଷେତ୍ରର ସମସ୍ତ ଜନସାଧାରଣଙ୍କୁ ସେମାନଙ୍କ ଭଲ ପାଇବା ପାଇଁ ଶ୍ରୀ ସାମନ୍ତ କନ୍ଧମାଳବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

ସୂଚନାଯୋଗ୍ୟ, ୨୦୧୯ ରେ ସେ ବିଜେଡି ଟିକେଟରେ କନ୍ଧମାଳ ଲୋକ ସଭା ଆସନରୁ ବିଜୟୀ ହୋଇଥିଲେ। ଗତ ନିର୍ବାଚନରେ ଭାଜପା ଓଡ଼ିଶାରୁ ୨୦ ଆସନରେ ବିଜୟୀ ହୋଇଥିଲା। ଏଥିରେ କନ୍ଧମାଳ ଆସନ ମଧ୍ୟ ସାମିଲ ଅଛି। ତେବେ ରାଜନୀତି ଛାଡିଲେ ମଧ୍ୟ ସମାଜ ସେବା ଜାରି ରଖିବେ ବୋଲି ଅଚ୍ୟୁତ କହିଛନ୍ତି।

ଅଚ୍ୟୁତ ୨୦୧୮ ରେ ରାଜନୀତିରେ ପ୍ରବେଶ କରିଥିଲେ । ବିଜୁ ଜନତା ଦଳରେ ଯୋଗଦେବା ପରେ ସେହି ବର୍ଷ ବିଜେଡି ତାଙ୍କୁ ରାଜ୍ୟ ସଭା ପଠାଇଥିଲା। ୨୦୧୯ନିର୍ବାଚନରେ କନ୍ଧମାଳରୁ ବିଜେଡିର ଲୋକ ସଭା ପ୍ରାର୍ଥୀ ଭାବରେ ପାଖାପଖି ଏକ ଲକ୍ଷ ଭୋଟରେ ନିଜର ନିକଟତମ ପ୍ରତିଦ୍ୱନ୍ଦୀ, ବିଜେପିର ଖାରବେଳ ସ୍ୱାଇଁଙ୍କୁ ପରାସ୍ତ କରି ୧୭ତମ ଲୋକ ସଭାର ସଭ୍ୟ ଭାବରେ ନିର୍ବାଚିତ ହୋଇଥିଲେ ।

Related Posts