ସରକାରୀ କାର୍ଯ୍ୟାଳୟରେ କଙ୍ଗାରୁ କୋର୍ଟ !, ଅତିରିକ୍ତ ଜିଲ୍ଲାପାଳ ବସ୍‌ ଉଠ କରାଇଥିବା ଅଭିଯୋଗ ଆଣିଲେ କନିଷ୍ଠ କିରାଣୀ

ଭୁବନେଶ୍ୱର,୨୧/୪(ସତ୍ୟପାଠ ବ୍ୟୁରୋ): ସରକାରୀ କାର୍ଯ୍ୟାଳୟରେ କଙ୍ଗାରୁ କୋର୍ଟ ଅଭିଯୋଗ ।ପ୍ରଶାସନିକ ଅଧିକାରୀ କାର୍ଯ୍ୟରତ କିରାଣୀଙ୍କୁ ବସ୍‌ ଉଠ କରାଇଥିବା ଅଭିଯୋଗ ହୋଇଛି । ଯାହାକି ଏବେ ସାରା ଜଗତସିଂହପୁର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ଜିଲ୍ଲା ନିୟୋଜନ କାର୍ଯ୍ୟାଳୟରେ କାର୍ଯ୍ୟରତ କନିଷ୍ଠ କିରାଣୀ ରୁଦ୍ର ନାରାୟଣ ସାମନ୍ତଙ୍କୁ ଅତିରିକ୍ତ ଜିଲ୍ଲାପାଳ ଓ ଜିଲ୍ଲା ନିଯୋଜନ ଅଧିକାରୀ ଉଠ ବସ୍‌ କରାଇଥିବା ଅଭିଯୋଗ ହୋଇଛି । ଏଭଳି ସଙ୍ଗୀନ ଅଭିଯୋଗକୁ ନେଇ ସାରା ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି । ମାତ୍ର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କଙ୍ଗାରୁ କୋର୍ଟ ହୋଇଥିବା ଅଭିଯୋଗକୁ ଅସ୍ବୀକାର କରିଛନ୍ତି ନିଜେ ଏଡିଏମଓ ସଚ୍ଚିଦାନନ୍ଦ ସାହୁ । ଅନ୍ୟପଟେ ଏନେଇ ଅଭିଯୋଗକାରୀ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି ।

ଜୁନିୟର କିରାଣୀଙ୍କ ଅଭିଯୋଗ ଅନୁସାରେ, ଚଳିତ ମାସ ଗତ ୧୩ ତାରିଖ ଦିନ ନିୟୋଜନ ଅଫିସର ଅର୍ପିତା ପ୍ରିୟଦର୍ଶିନୀ ତାଙ୍କ କାର୍ଯ୍ୟାଳୟର କିରାଣୀ ରୁଦ୍ର ନାରାୟଣ ସାମନ୍ତଙ୍କୁ ଡାକିଥିଲେ । କୌଣସି କାର୍ଯ୍ୟ ପାଇଁ ତାଙ୍କୁ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁଙ୍କ କାର୍ଯ୍ୟାଳୟକୁ ନେଇ ଆସିଥିଲେ । କିରାଣୀଙ୍କୁ ବାହାରେ ଛିଡ଼ା କରି ଅଫିସର ଭିତରକୁ ଯାଇଥିଲେ । ଏହାର କିଛି ସମୟ ପରେ କିରାଣୀ ରୁଦ୍ରଙ୍କୁ ଭିତରକୁ ଡାକିଥିଲେ । ପରେ ଅତିରିକ୍ତ ଜିଲ୍ଲାପାଳ କିରାଣୀ ରୁଦ୍ର ନାରାୟଣ ଉପରେ ଖୁବ ବର୍ଷିଥିଲେ । ପରେ ଏଡିଏମଓଙ୍କ ସମର୍ଥନରେ ରୁଦ୍ର ନାରାୟଣଙ୍କୁ ଜିଲ୍ଲା ନିଯୋଜନ ଅଧିକାରୀ ଉଠ ବସ୍‌ କରାଇଥିବା ଅଭିଯୋଗ ହୋଇଛି ।

ସେପଟେ ଏ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅତିରିକ୍ତ ଜିଲ୍ଲାପାଳ । ସେ କହିଛନ୍ତି,”ସରକାରୀ କାର୍ଯ୍ୟରେ ଅପାରଗତା ଯୋଗୁଁ ମୁଁ କେବଳ ତାଗିଦ କରିଥିଲି । ସେ ୫ ବର୍ଷ ହେଲା କାର୍ଯ୍ୟ କରୁଛନ୍ତି ହେଲେ ଫାଇଲ କାମ କିପରି ହୁଏ ଜାଣି ପାରୁନାହାନ୍ତି। ତାଙ୍କୁ କେବଳ ତାଗିଦ୍ କରିଥିଲି ବସ ଉଠ୍‌ କରାଇ ନାହିଁ । ଅଭିଯୋଗର କୌଣସି ସତ୍ୟାସତ୍ୟ ନାହିଁ ବୋଲି ସେ କହିଛନ୍ତି ।

ଅନ୍ୟପଟେ ଏହି କାର୍ଯ୍ୟାଳୟରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ଅଧିକାରୀ କର୍ମଚାରୀଙ୍କୁ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଛି । ଜୁନିୟର କିରାଣୀ ରୁଦ୍ର ନାରାୟଣ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରି ନ୍ୟାୟ ଦାବି କରିଛନ୍ତି। ଏହାସହିତ ସେ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟରେ ଲାଗିଥିବା ସିସିଟିଭି ଯାଞ୍ଚ କଲେ ସତ ସାମ୍ନାକୁ ଆସିବ ବୋଲି କହିଛନ୍ତି।

ତେବେ ପ୍ରକୃତରେ ଅଭିଯୋଗ ପଛରେ କେତେ ସତ୍ୟତା ଅଛି । କିଏ ସତ କହୁଛି ଓ କିଏ ମିଛ କହୁଛି ତାହା ତଦନ୍ତ ପରେ ହିଁ ଜଣାପଡ଼ିବ ।

Related Posts