କାନପୁର ହିଂସା ଘଟଣା : ଆସନ୍ତା ଜୁଲାଇ ୩ ଯାଏ ବରେଲିରେ ଲାଗିଲା କର୍ଫ୍ୟୁ

ଲକ୍ଷ୍ନୌ: ଉତ୍ତରପ୍ରଦେଶର କାନପୁର ହିଂସା ଘଟଣାକୁ ନେଇ ଆକ୍ସନ ମୁଡ ରେ ପୋଲିସ । ପୋଲିସ ବରେଲିରେ କର୍ଫ୍ୟୁ ଲାଗୁ କରିଛି । ଶୁକ୍ରବାର କାନପୁରରେ ଘଟିଥିବା ହିଂସା ପରେ ଚାରିଆଡେ ଏହାକୁ ନେଇ ସଜାଗ ହୋଇପଡିଛି ପ୍ରଶାସନ। ସତର୍କତା ଦୃଷ୍ଟିରୁ ବରେଲିରେ ଆସନ୍ତା ଜୁଲାଇ ୩ ଯାଏ କର୍ଫ୍ୟୁ ଲାଗୁ କରାଯାଇଛି। କାନପୁର ହିଂସା ପରେ ଜୁନ୍ ୧୦ରେ ମୁସଲମାନ ଧର୍ମଗୁରୁ ତାକୁର ରଜାଙ୍କ ଦ୍ୱାରା ଘୋଷିତ ହୋଇଥିବା ବଡ ଧରଣର ବିରୋଧ ପ୍ରଦର୍ଶନ ପୂର୍ବରୁ ପୁଲିସ ଧାରା ୧୪୪ ଅନୁଯାୟୀ କର୍ଫ୍ୟୁ ଲାଗୁ କରିଛି।

ପ୍ରଶାସନ ଅନୁଯାୟୀ, କର୍ଫ୍ୟୁ ବେଳେ ପାଞ୍ଚରୁ ଅଧିକ ଲୋକଙ୍କୁ ସର୍ବସାଧାରଣ ସ୍ଥାନରେ ଏକାଠି ହେବାକୁ ଅନୁମତି ଦିଆଯିବ ନାହିଁ। ଏହି ସମୟ ମଧ୍ୟରେ ପିକେଟିଂ ଉପରେ ମଧ୍ୟ ନିଷେଧାଦେଶ ରହିବ। ଶୁକ୍ରବାର ଦିନ କାନପୁରରେ ଘଟିଥିବା ହିଂସା ପରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନଉପୁଜେ ସେଥିପାଇଁ ପ୍ରଶାସନ ଏହି ପଦକ୍ଷେପ ନେଇଛି।

ଉଲ୍ଲେଖଯୋଗ୍ୟ, କାନପୁରରେ ଶୁକ୍ରବାର ବଜାର ବନ୍ଦ କରିବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଥିଲା। ଏହି ସମୟରେ ପରସ୍ପର ଉପରକୁ ପଥର ଫିଙ୍ଗାଫିଙ୍ଗି ହୋଇଥିଲେ। ଉତ୍ତେଜନା ମୂଳକ ପରିସ୍ଥିତିକୁ ଦେଖି କାନପୁରର ୟତିମ ଖାନା ଏବଂ ପ୍ୟାରେଡ ଛକ ମଧ୍ୟରେ ଅବସ୍ଥିତ ଅଞ୍ଚଳରେ ସୁରକ୍ଷା କଡାକଡି କରାଯାଇଛି। ଏହି ସଂଘର୍ଷରେ ଦୁଇ ଜଣ ସାଧାରଣ ବ୍ୟକ୍ତି ଏବଂ ଜଣେ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି।

ସେପଟେ ଶନିବାର ଏହି ହିଂସା ମାମଲାର ମୁଖ୍ୟ ଅଭିଯୁକ୍ତ ହୟାତ ଜାଫର ହାସମୀଙ୍କୁ ଅନ୍ୟ ତିନି ଜଣ ମାଷ୍ଟରମାଇଣ୍ଟଙ୍କ ସମେତ ଗିରଫ ହୋଇଛନ୍ତି ।

Related Posts