ଭୁବନେଶ୍ୱର,୨/୬(ସତ୍ୟପାଠ ବ୍ୟୁରୋ): ବାଲେଶ୍ଵର ବାହାନଗା ନିକଟରେ ଭୟାନକ ଟ୍ରେନ ଦୁର୍ଘଟଣା ଘଟିଛି। ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟାରେ କରମଣ୍ଡଳ ଏକ୍ସପ୍ରେସ୍ ଏବଂ ବେଙ୍ଗାଲୁରୁ-ହାଓ୍ଵଡ଼ା ଏକ୍ସପ୍ରେସ୍ ମଧ୍ୟରେ ଭୟଙ୍କର ଧକ୍କା ହୋଇଛି। ଦୁର୍ଘଟଣାରେ ୫୦ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ସହ ୩୦୦ ରୁ ଅଧିକ ଆହତ ହୋଇଥିବା ନେଇ ସୂତ୍ରୁ ରୁ ଖବର ପ୍ରକାଶ ପାଇଛି। ଦୁର୍ଘଟଣାରେ ଶତାଧିକ ଯାତ୍ରୀ ଆହତ ହୋଇଥିବା ଜଣା ପଡ଼ିଛି।
ଆହତଙ୍କୁ ସିଏଚସି, ଗୋପାଳ ସିଏଚସି ଏବଂ ଖାଣ୍ଟାପାଡ଼ା ପିଏଚସି ପଠାଯାଇଛି। ଟ୍ରେନର ବଗି ଓଲଟି ଯିବାରୁ ଏହା ତଳେ ଏବଂ ଭିତରେ ଶତାଧିକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। କଟକ ବଡ ମେଡିକାଲ୍କୁ ଆଲର୍ଟ ମୋଡ୍ରେ ରଖାଯାଇଥିବା ବେଳେ ଭୁବନେଶ୍ଵର ଏମ୍ସକୁ ମଧ୍ୟ ପ୍ରସ୍ତୁତ କରି ରଖାଯାଇଛି। ବାଲେଶ୍ଵର ଜିଲ୍ଲାପାଳ, ଭଦ୍ରକ ଜିଲ୍ଲାପାଳ, ଯାଜପୁର ଜିଲ୍ଲାପାଳ ଏବଂ କଟକ ଜିଲ୍ଲାପାଳଙ୍କ ସହ ସମନ୍ଵୟ ରଖାଯାଇ ଉଦ୍ଧାର କାର୍ଯ୍ୟ ତଦାରଖ କରାଯାଉଛି।
ସଦ୍ୟତମ ସୂଚନା ଅନୁଯାୟୀ ଡାଉନ ଲାଇନ୍ରେ ଯାଉଥିଲା ବେଙ୍ଗାଲୁରୁ-ହାଓ୍ଵଡ଼ା ଏକ୍ସପ୍ରେସ୍(୧୨୮୬୪)। ବେଙ୍ଗାଲୁରୁ-ହାଓ୍ଵଡାର ୨ଟି ବଗି ଲାଇନଚ୍ୟୁତ୍ ହୋଇଥିଲା। ସେତିକି ବେଳେ ଅପଲାଇନରେ ସାଲିମାରରୁ ଚେନ୍ନାଇ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ୍(୧୨୮୪୧) ବେଙ୍ଗାଲୁରୁ-ହାଓ୍ଵଡ଼ା ଏକ୍ସପ୍ରେସ୍ର ଲାଇନଚ୍ୟୁତ୍ ବଗିକୁ ଧକ୍କା ଦେଇଥିଲା। ଫଳରେ ଧକ୍କା ଦେଇଥିବା କରମଣ୍ଡଳର ୧୫ ବଗି ଲାଇନଚ୍ୟୁତ୍ ହୋଇଛି।
ଟ୍ରେନ ତଳେ ଅନେକ ଯାତ୍ରୀ ଚାପି ହୋଇ ରହିଥିବା ଜଣା ପଡ଼ିଛି। ଟ୍ରେନରେ ଫସିଥିବା ଯାତ୍ରୀଙ୍କ ଉଦ୍ଧାର ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ୟମ ଆରମ୍ଭ ହୋଇଛି । ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ, ରେଳ କର୍ମଚାରୀ, ଉଦ୍ଧାରକାରୀ ଟିମ୍ ଓ ଓଡ୍ରାଫ୍ ଟିମ୍ ନିୟୋଜିତ ହୋଇଛନ୍ତି । ସ୍ଥାନୀୟ ଲୋକେ ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିଜକୁ ସାମିଲ୍ କରାଇଛନ୍ତି। ତେବେ ଅନ୍ଧାର ଯୋଗୁଁ ଉଦ୍ଧାରକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଉଦ୍ଧାରକାର୍ଯ୍ୟ ପାଇଁ ୩ ଏନଡିଆରଏଫ, ୪ଟି ଓଡ୍ରାଫ ଏବଂ ୨୦ ଅଗ୍ନିଶମ ଟିମକୁ ଘଟଣାସ୍ଥଳକୁ ପଠାଯାଇଛି।
ଟ୍ରେନ ଦୁର୍ଘଟଣା ନେଇ ଜରୁରୀକାଳୀନ ନଂ ଜାରି କରିଛନ୍ତି ସ୍ଵତନ୍ତ୍ର ରିଲିଫ କମିଶନର। ଯୋଗାଯୋଗ ପାଇଁ ଜରୁରୀକାଳୀନ ନଂ ୬୭୮୨୨୬୨୨୮୬ ଜାରି କରାଯାଇଛି। କଟକ ଏସସିବି ମେଡିକାଲ୍କୁ ଆଲର୍ଟ ମୋଡରେ ରଖାଯାଇଛି। ଘଟଣାସ୍ଥଳକୁ ଯିବାକୁ ରାଜସ୍ଵ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏବଂ ସ୍ଵତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାର ୪ବରିଷ୍ଠ ଅଧିକାରୀ ହେମନ୍ତ ଶର୍ମା, ବଲଓ୍ଵନ୍ତ ସିଂ, ଅରବିନ୍ଦ ଅଗ୍ରଓ୍ଵାଲଙ୍କ ସହ ଅଗ୍ନିଶମ ଡିଜି ସୁଧାଂଶୁ ଷଡଙ୍ଗୀଙ୍କୁ ଉଦ୍ଧାର କାର୍ଯ୍ୟ ଏବଂ ହସ୍ପିଟାଲ୍ ତଦାରଖ ପାଇଁ ଦାୟିତ୍ଵ ଦିଆଯାଇଛି।
୫ଟି ଟ୍ରେନ ରଦ୍ଦ
ଭୁବନେଶ୍ଵର, କୋଲକାତା ସହ ଚେନ୍ନାଇରେ ମଧ୍ୟ କଣ୍ଟ୍ରୋଲ ରୁମ୍ ଖୋଲା ଯାଇଛି। ଏହି ଭୟଙ୍କର ଟ୍ରେନ ଦୁର୍ଘଟଣା ପରେ ଦକ୍ଷିଣ ପୂର୍ବ-ରେଲଓ୍ଵେ ପକ୍ଷରୁ ଅଦ୍ୟାବଧି ୫ ଟ୍ରେନ ରଦ୍ଦ କରାଯାଇଛି। ପୁରୀ ଏକ୍ସପ୍ରେସ ୧୨୮୩୭, ଯଶବନ୍ତପୁର ଏକ୍ସପ୍ରେସ ୧୨୮୬୩, ସନ୍ତରାଗାଛି ପୁରୀ ସ୍ପେଶାଲ ୦୨୮୩୭, ସାଲିମାର-ସମ୍ବଲପୁର ୨୦୮୩୧, ଚେନ୍ନାଇ ମେଲ ୧୨୮୩୯କୁ ରଦ୍ଦ କରାଯାଇଛି।
ହେଲ୍ପଲାଇନ୍ ନମ୍ବର
ଏମରଜେନ୍ସି କଣ୍ଟ୍ରୋଲ ରୁମ- ୬୭୮୨୨୬୨୨୮୬
ହାଓ୍ଵଡ଼ା- ୦୩୩-୨୬୩୮୨୨୧୭
ଖଡ଼ଗପୁର- ୮୯୭୨୦୭୩୯୨୫, ୯୩୩୨୩୯୨୩୩୯
ବାଲେଶ୍ଵର- ୮୨୪୯୫୯୧୫୫୯, ୭୯୭୮୪୧୮୩୨୨
କୋଲକାତା ସାଲିମାର- ୯୯୦୩୩୭୦୭୪୬
ରେଳ ସହାୟତା- ୦୪୪-୨୫୩୫୪୭୭୧
ଚେନ୍ନାଇ ସେଣ୍ଟ୍ରାଲ ରେଲଓ୍ଵେ- ୦୪୪-୨୫୩୩୦୯୫୨, ୦୪୪-୨୫୩୩୦୯୫୩ ଏବଂ ୦୪୪-୨୫୩୫୪୭୭୧





