ଭୁବେନଶ୍ୱର: ରାଜ୍ୟରେ ଏବେ କରୋନାର ଦୈନିକ ସଂକ୍ରମଣ ବଢ଼ିବାରେ ଲାଗିଛି । ମହାମାରୀର ତୃତୀୟ ଲହର ପରେ ସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେଉଥିବାବେଳେ ଏବେ ପୁଣିଥରେ ଦେଶରେ କରୋନା ନିଜ ପ୍ରକୋପ ଦେଖାଇବା ଆରମ୍ଭ କଲାଣି । ରାଜ୍ୟରେ ଦେଶ ତୁଳନାରେ ସଂକ୍ରମଣ ବେଶ୍ କମ୍ ରହିଥିଲେ ବି ବିପଦକୁ ଏଡ଼ାଇ ଦିଆଯାଇନପାରେ ।
ତେବେ ରାଜ୍ୟରେ କୋଭିଡ୍ ସଂକ୍ରମଣକୁ ରୋକିବା ଲାଗି ଆଗୁଆ ସତର୍କତାମୂଳକ ପଦକ୍ଷେପ ନିଆଯାଉଛି । ପୂର୍ବରୁ ବିଏମସି ଅଞ୍ଚଳରେ ମାସ୍କ ବାଧ୍ୟତାମୂଳକ କରାଯାଇଛି । ଏହାରି ମଧ୍ୟରେ ଭୁବନେଶ୍ୱରରେ ୨୫ ଟି ୟୁପିଏଚସି/ୟୁସିଏଚସି କୋଭିଡ୍ ଟେଷ୍ଟ ବ୍ୟବସ୍ଥା କରାଯାଇଛି । ଏହି ସେଣ୍ଟର ଗୁଡ଼ିକ ସକାଳ ୯ ଟାରୁ ସାଢ଼େ ୧୧ ଏବଂ ସନ୍ଧ୍ୟା ୫ ଟାରୁ ୭ ଟା ପର୍ଯ୍ୟନ୍ତ ଖୋଲାରହିବ । ସେହିପରି କ୍ୟାପିଟାଲ ହସ୍ପିଟାଲରେ ସକାଳ ୮ଟାରୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ଟେଷ୍ଟିଂ ହୋଇପାରିବ । ଯଉଁମାନଙ୍କ ଠାରେ ଲକ୍ଷଣ ରହିଛି ଟେଷ୍ଟ କରାଇ ନେବାକୁ ପରାମର୍ଶ ଦିଆଯାଉଛି । ଏହାର ଏକ ତାଲିକା ମଧ୍ୟ ଜାରି କରାଯାଇଛି ।
ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୩ ଶହ ଟପିଛି । ଗତ ୨୪ ଘଣ୍ଟାରେ ୩୪୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଲୋକାଲ କେସ ୧୪୪ ହୋଇଥିବା ବେଳେ କ୍ୱାରେଣ୍ଟାଇନରୁ ୨୦୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗରୁ ୪୯ ଆକ୍ରାନ୍ତ ଥିବା ଜଣାପଡିଛି।





