ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଦୀର୍ଘଦିନ ଧରି ଯାଜପୁର ଜିଲ୍ଲା ଧର୍ମଶାଳାରେ ଲୁଚି ରହିଥିବା କଶ୍ମୀରୀ ସନ୍ଦିଗ୍ଧ ଈଶାନ ବୁଖାରୀ କେମିତି ଆତଙ୍କୀ ଲିଙ୍କ୍ରେ ଆସିଥିଲା? କେବେଠାରୁ ସେମାନଙ୍କ ସହ ଯୋଡ଼ି ହୋଇଥିଲା? କେବଳ ପାକିସ୍ତାନ ଓ କେରଳର ସନ୍ଦିଗ୍ଧଙ୍କ ସହ ସମ୍ପର୍କରେ ଥିଲା, ନା ଅନ୍ୟ ଆତଙ୍କୀ ଓ ଆଇଏସ୍ଆଇ ଏଜେଣ୍ଟଙ୍କ ସହ ଯୋଗାଯୋଗରେ ଥିଲା। ତାର ଆତଙ୍କୀ ଲିଙ୍କ୍, ଅପରାଧ ସାମ୍ରାଜ୍ୟର ଗୁମର ଖୋଲିବା ପାଇଁ କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ ଟିମ୍ ସମସ୍ତ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି।
ବୁଖାରୀ କେଉଁ ସମୟରେ କେଉଁଠି ରହୁଥିଲା? ତା ସହ କେଉଁମାନେ ରହୁଥିଲେ? କେଉଁ କେଉଁ ଇଣ୍ଟରନ୍ୟାନସାଲ୍ ନମ୍ବରୁ ତାକୁ କଲ୍ ଆସିଥିଲା? ସେ କେଉଁ କେଉଁ ଇଣ୍ଟରନ୍ୟାସନାଲ୍ ନମ୍ବରକୁ କଲ୍ କରିଥିଲା? ଏ ସମସ୍ତ ତଥ୍ୟ ହାତେଇବା ପାଇଁ ଏସ୍ଟିଏଫ୍ ଟିମ୍ ବୁଖାରୀ ଠାରୁ ଜବତ କରିଥିବା ମୋବାଇଲ୍ ଓ ସିମ୍ରୁ ଲିଙ୍କ ସ୍ଥାପନ କରି ସିଡିଆର ରିପୋର୍ଟ ମଗାଇଛି। ସେହିପରି ସେ ହ୍ବାଟ୍ସଆପ୍, ଇନ୍ଷ୍ଟାଗ୍ରାମ, ଟେଲିଗ୍ରାମ, ଫେସ୍ବୁକ ଭଳି ସୋସିଆଲ୍ ମିଡିଆ ମାଧ୍ୟମରେ ଆଇଏସ୍ଆଇ ଏଜେଣ୍ଟ ଓ ସନ୍ଦିଗ୍ଧଙ୍କ ସହ ଭିଡିଓ କଲ, ଚାଟିଂ କରିଥିବା ଜଣାପଡ଼ିଛି। ହେଲେ ସମସ୍ତ ଚାଟ୍, କଲ୍କୁ ଡିଲିଟି କରି ଦେଇଛି। ସୋସିଆଲ୍ ମିଡିଆ ତଥ୍ୟ ପାଇଁ ଫେସ୍ବୁକ୍କୁ ଚିଠି କରାଯାଇଛି।
ଏହାଛଡ଼ା ତାର ୧୦ଟି ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଠାବ କରାଯାଇଛି। ଯେଉଁଥିରେ ଏକାଧିକ ସନ୍ଦେହଜନକ ଆକାଉଣ୍ଟ ସହ ଆର୍ଥିକ କାରବାର ହୋଇଛି। ସେ କେଉଁମାନଙ୍କୁ ଟଙ୍କା ପଠାଉଥିଲା? ତାକୁ କେଉଁମାନେ ଟଙ୍କା ପଠାଇଥିଲେ? ଏସବୁର ଯାଞ୍ଚ ପାଇଁ ଏସ୍ଟିଏଫ୍ ଫାଇନାନ୍ସିଆଲ୍ ଇଣ୍ଟେଲିଜେନ୍ସି ୟୁନିଟ୍(ଏଫ୍ଆଇୟୁ)କୁ ଚିଠି ଲେଖିଛି। ସିଡିଆର୍, ସୋସିଆଲ୍ ମିଡିଆ ଓ ଏଫଆଇୟୁ ତଥ୍ୟ ମିଳିବା ପରେ ତାକୁ ନେଇ ଖୋଳତାଡ଼ କରିବ ଏସ୍ଟିଏଫ୍। ଏହା ଭିତରେ ତାକୁ ରିମାଣ୍ଡରେ ଆଣି ଜେରା ପାଇଁ ଏସ୍ଟିଏଫ୍ କୋର୍ଟରେ ଆବେଦନ କରିଛି। ସୋମବାର ଠାରୁ ରିମାଣ୍ଡରେ ଅଣାଯାଇପାରେ ବୋଲି ଜଣେ ଅଧିକାରୀ କହିଛନ୍ତି। ରିମାଣ୍ଡ ସମୟରେ ଆଇବି, ଏନ୍ଆଇଏ ବି ତାକୁ ଜେରା କରିବେ। ବିଭିନ୍ନ ରାଜ୍ୟରେ ଅପରାଧିକ ଲିଙ୍କକୁ ନେଇ ସମ୍ପୃକ୍ତ ରାଜ୍ୟ ପୁଲିସ ମଧ୍ୟ ଜେରା କରିପାରନ୍ତି।
ସୂଚନାଯୋଗ୍ୟ ଯେ, ଆତଙ୍କବାଦୀ ଲିଙ୍କ୍ରେ ଥିବା ବୁଖାରୀ ଗୁଇନ୍ଦା ସଂସ୍ଥା ଓ ପୁଲିସ କବଳରୁ ବର୍ତ୍ତିବା ପାଇଁ ନିଜର ପରିଚୟ ଗୋପନ ରଖି ଏକାଧିକ ରାଜ୍ୟରେ ଆତ୍ମଗୋପନ କରିଥିଲା। ଏଥିପାଇଁ ଯୁବତୀଙ୍କୁ ନିଜର ଅସ୍ତ୍ର କରିଥିଲା। କାହାକୁ ଡାକ୍ତର ତ କାହାକୁ ପିଏମ୍ଓ ଅଫିସ ଅଧିକାରୀ, ପୁଣି କାହାକୁ ଏନ୍ଆଇଏ ଉଚ୍ଚପଦସ୍ତ ଅଧିକାରୀଙ୍କ ଘନିଷ୍ଠ କହି ଫସାଇ ବିବାହ କରୁଥିଲା। ଶେଷରେ ଗତ ୧୬ ତାରିଖରେ ଲୁଚକାଳି ଖେଳ ଶେଷ କରିଥିଲା କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ ଟିମ୍। ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ନେଉଳପୁର ଅଞ୍ଚଳରୁ ତାକୁ ଗିରଫ କରିବା ପରେ ଘଟଣା ପଦାକୁ ଆସିଥିଲା।





