ଭୁବନେଶ୍ଵର (ସତ୍ୟପାଠ ବ୍ୟୁରୋ): କେନ୍ଦ୍ର ସଂସ୍କୃତି ରାଷ୍ଟ୍ର ମନ୍ତ୍ରୀ ମିନାକ୍ଷୀ ଲେଖି ସଂସଦରେ ଦେଇଥିବା ଏକ ଟିପ୍ପଣୀକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି। ଗୁରୁବାର ମିନାକ୍ଷୀ ଲୋକସଭାରେ ଦିଲ୍ଲୀ ସେବା ନିଯୁକ୍ତି ବିଲ୍ ଉପରେ ଆଲୋଚନାରେ ଭାଗ ନେବା ସମୟରେ ଜଣେ ବିରୋଧୀ ସାଂସଦ ହସ୍ତକ୍ଷେପ କରିଥିଲେ। ତେବେ ନିଜ ଭାଷଣ ସମୟରେ ବିଭ୍ରାଟ ହେବାରୁ ଲେଖି ସଙ୍ଗେସଙ୍ଗେ ତାଙ୍କୁ କହିଥିଲେ, ‘ଗୋଟେ ମିନିଟ୍ , ଗୋଟେ ମିନିଟ୍। ଶାନ୍ତ ହୋଇଯାଅ ନଚେତ ଆପଣଙ୍କ ଘରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ପହଞ୍ଚିଯିବ।’
ତେବେ ଲେଖିଙ୍କର ଏହି ଟିପ୍ପଣୀକୁ ନେଇ ଶାସକ ଦଳକୁ ଟାର୍ଗେଟ କରିଛନ୍ତି ବିରୋଧୀ। ଏନ୍ସିପି (ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି) ମୁଖପାତ୍ର କ୍ଲାଇଡ୍ କ୍ରେଷ୍ଟୋ କହିଛନ୍ତି, କେନ୍ଦ୍ର ସରକାର କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଅପବ୍ୟବହାର କରୁଥିବା ନେଇ ବିରୋଧୀ ଦଳ ନେତାମାନେ ବାରମ୍ବାର ଅଭିଯୋଗ କରି ଆସୁଥିଲେ। ଆଉ ଲେଖିଙ୍କ ଏହି ଟିପ୍ପଣୀରୁ ବିରୋଧୀଙ୍କ ଅଭିଯୋଗ ସତ ପ୍ରମାଣିତ ହେଉଛି।
ସେହିପରି ଯୁବ କଂଗ୍ରେସ ସଭାପତି ଶ୍ରୀନିବାସ ବିଭି କହିଛନ୍ତି, ଲେଖି ଲୋକସଭାରେ ରଖିଥିବା ଟିପ୍ପଣୀ ଦ୍ବାରା ସେ ବିରୋଧୀଙ୍କୁ ସତର୍କ କରୁଛନ୍ତି ନା’ ଧମକ ଦେଉଛନ୍ତି। ଟିଏମ୍ସି (ତୃଣମୂଳ କଂଗ୍ରେସ) ମୁଖପାତ୍ର ସକେତ ଗୋଖେଲ ସଂସଦରେ ଲେଖିଙ୍କ ଇଡି ଟିପ୍ପଣୀକୁ ଆଶ୍ଚର୍ଯ୍ୟଜନକ କହିଛନ୍ତି। ସେ କହିଛନ୍ତି, ମନ୍ତ୍ରୀମାନେ ଏବେ ବିରୋଧୀ ଦଳ ନେତାଙ୍କ ବିରୋଧରେ ଇଡିର ବ୍ୟବହାରକୁ ନେଇ ଖୋଲାଖୋଲି ଧମକ ଦେଉଛନ୍ତି।
ତେବେ ବିରୋଧୀମାନେ ଏହାକୁ ନେଇ ଟାର୍ଗେଟ କରୁଥିବା ବେଳେ ଏନେଇ ମିନାକ୍ଷୀଙ୍କର ପ୍ରତିକ୍ରିୟା ମିଳିପାରିନାହିଁ।





