ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ହେଲିକପ୍ଟରକୁ ବ୍ୟବହାର କରିବା ପାଇଁ ମାନଙ୍କୁ ସାଥିରେ ରଖୁଛନ୍ତି କେଜ୍ରିୱାଲ: ନିର୍ମଳା ସୀତାରମଣ

ଭୁବନେଶ୍ୱର,୧୫/୬(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀରେ ଅଫିସର ନିଯୁକ୍ତି ଓ ବଦଳି ନେଇ କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶକୁ ନେଇ ଏବେ ଆମ୍‌ ଆଦ୍‌ମୀ ପାର୍ଟି ଓ ଭାରତୀୟ ଜନତା ପାର୍ଟି ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ଏହି ଅଧ୍ୟାଦେଶ ବିରୋଧରେ ଆପର ରାଷ୍ଟ୍ରୀୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଭିନ୍ନ ରାଜ୍ୟକୁ ଯାଇ ବିରୋଧୀ ଦଳଗୁଡ଼ିକର ମୁଖିଆମାନଙ୍କୁ ଭେଟି ସମର୍ଥନ ଲୋଡ଼ୁଛନ୍ତି। ଏହି ସମୟରେ ତାଙ୍କ ସହିତ ଆପ୍ ନେତା ତଥା ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ମଧ୍ୟ ରହୁଛନ୍ତି। ଆଉ ଏହି କଥାକୁ ନେଇ କେଜ୍ରିୱାଲଙ୍କୁ ତେରେଛା ବାଣ ମାରିଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ।

ସେ କହିଛନ୍ତି ଯେ କେଜ୍ରିୱାଲ ଦେଶରେ ଯେକୌଣସି ସ୍ଥାନକୁ ଯାଉଛନ୍ତି, ତାଙ୍କ ସହ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନଙ୍କୁ ନେଇ ଯାଉଛନ୍ତି। ଏହା ପଛରେ ଏକ ବିଶେଷ କାରଣ ରହିଛି। ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ହେଲିକପ୍ଟରକୁ ବ୍ୟବହାର କରିବା ପାଇଁ କେଜ୍ରିୱାଲ ଯେଉଁଠାକୁ ଯାଉଛନ୍ତି ଭଗୱନ୍ତ ମାନଙ୍କୁ ସାଙ୍ଗରେ ନେଉଛନ୍ତି। କେବଳ ସେତିକି ନୁହେଁ, ହେଲିକପ୍ଟର ବାବଦକୁ ହେଉଥିବା ଖର୍ଚ୍ଚ ପଞ୍ଜାବ ରାଜକୋଷରୁ ଖର୍ଚ୍ଚ ହେଉଛି ବୋଲି ଦିଲ୍ଲୀ ବିଜେପି ପକ୍ଷରୁ ଆୟୋଜିତ ‘ସର୍ବ ସମାଜ ସମ୍ମଳିନୀ’ରେ ଯୋଗ ଦେବା ଅବସରରେ ସୀତାରମଣ କହିଛନ୍ତି ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମାଲୋଚନା କରି ସେ କହିଛନ୍ତି, ଗରିବ ଲୋକଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ ଅର୍ଥକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପାଇଁ ରାଜ ଉଆସ ନିର୍ମାଣ କରାଯାଉଛି। ଲୋକଙ୍କ ଅର୍ଥକୁ ସେ ନିଜ ସରକାରୀ ବାସଭବନର ପୁନରୁଦ୍ଧାର କାର୍ଯ୍ୟରେ ଲଗାଇଛନ୍ତି।

ସେ ଆହୁରି କହିଛନ୍ତି, ୨୦୧୨ରେ କେଜ୍ରିୱାଲ କହିଥିଲେ ଯେ ଶରଦ ପାୱାରଙ୍କର ସ୍ୱିସ ବ୍ୟାଙ୍କରେ ଏକାଉଣ୍ଟ ଅଛି। ଏପରିକି ପାୱାରଙ୍କ ଉକ୍ତ ଏକାଉଣ୍ଟର ନମ୍ବର ତାଙ୍କ ପାଖରେ ଅଛି ବୋଲି ସେ କହିଥିଲେ। ୨୦୧୩ରେ ସେ ଲାଲୁ ପ୍ରସାଦ ଯାଦବଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିଲେ। କିନ୍ତୁ ବର୍ତ୍ତମାନ ସେ ସେହି ନେତାମାନଙ୍କୁ ନିଜ ସପକ୍ଷରେ ବାହାରିବା ପାଇଁ ସାକ୍ଷାତ କରୁଛନ୍ତି। ଏଥିରୁ ଜଣାପଡୁଛିରେ କେଜ୍ରିୱାଲଙ୍କ ଉଦ୍ଦେଶ୍ୟ ଆଦୌ ସ୍ୱଚ୍ଛ ନୁହେଁ ବୋଲି ସୀତାରମଣ କହିଛନ୍ତି।

Related Posts