ଅବକାରୀ ଦୁର୍ନୀତିରୁ ଦୃଷ୍ଟି ହଟାଇବା ଲାଗି କେଜ୍ରିୱାଲ ବିଧାୟକ କିଣିବା ଅଭିଯୋଗ ଆଣିଛନ୍ତି : ବିଜେପି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିଲ୍ଲୀର ୭ ଜଣ ଭାଜପା ସାଂସଦ ଉପରାଜ୍ୟପାଳ ବିନୟ କୁମାର ସାକ୍ସେନାଙ୍କୁ ଚିଠି ଲେଖିଛନ୍ତି। ଚିଠିରେ କୁହାଯାଇଛି ଯେ ଅବକାରୀ ଦୁର୍ନୀତି ବିବାଦରୁ ଦୃଷ୍ଟି ହଟାଇବା ଲାଗି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏବଂ ମନୀଷ ସିସୋଡିଆ ଭାଜପା ଉପରେ ବିଧାୟକ କିଣିବା ଅଭିଯୋଗ ଆଣିଛନ୍ତି। ଏକ କମିଟି ଗଠନ କରି ଏହି ଅଭିଯୋଗର ଯାଞ୍ଚ୍‌ କରାଯାଉ ବୋଲି ଭାଜପା ସାଂସଦ ମାନେ ଦାବି କରିଛନ୍ତି। ଯାହାଫଳରେ ଦେଶ ତଥା ରାଜ୍ୟବାସୀ ପ୍ରକୃତ ସତ୍ୟ ଜାଣିପାରିବେ।

ଗଣମାଧ୍ୟମକୁ ସମ୍ବୋଧିତ କରି ଭାଜପା ସାଂସଦ ମନୋଜ ତିୱାରୀ, ପ୍ରଭେଶ ସାହେବ ସିଂ ବର୍ମା, ରମେଶ ବିଧୁଡ଼ି, ମିନାକ୍ଷୀ ଲେଖି, ଏବଂ ହଂସରାଜ ହଂସ ଏହି ସୂଚନା ଦେଇଛନ୍ତି। ମନୋଜ ତିୱାରୀ କହିଛନ୍ତି ଯେ ଦିଲ୍ଲୀରେ ଗଣତନ୍ତ୍ରର ମୂଳଦୁଆ ଦୋହଲି ଯାଇଛି। ଦିଲ୍ଲୀରେ ଗୋଟିଏ ପରେ ଗୋଟିଏ ଦୁର୍ନୀତି ଘଟୁଛି। କେଜରିୱାଲଙ୍କ ଦଳ ଦିଲ୍ଲୀର ଲୋକଙ୍କ ପ୍ରଶ୍ନର ଉତ୍ତର ଦେଉନାହିଁ। ଆମେ ଅବକାରୀ ଦୁର୍ନୀତି ଉପରେ ପ୍ରଶ୍ନ ପଚାରିଥିଲୁ କିନ୍ତୁ ବିଭ୍ରାନ୍ତି କରିବାକୁ ଏହା ଉପରେ ଭିନ୍ନ ବିବୃତ୍ତି ଦିଆଯାଇଛି। ପ୍ରଥମେ ଅବକାରୀ ନୀତି ଠିକ କହିଥିଲେ ଏବଂ ପରେ ଦିଲ୍ଲୀର ବିଧାୟକ କିଣିବା ବିଷୟରେ ଅଭିଯୋଗ ଆଣିଲେ। ଅବକାରୀ ଦୁର୍ନୀତି ବିଷୟରେ ଧ୍ୟାନକୁ ହଟାଇବା ଲାଗି ସର୍ବଦା ଚେଷ୍ଟା କରାଯାଉଛି। ଏଥି ସହ ସେ କହିଛନ୍ତି ଯେ ଯାହା ଅଭିଯୋଗ ହୋଇଛି, ସେମାନଙ୍କ ଫୋରେନସିକ ତଦନ୍ତ କରାଯାଉ। ବର୍ତ୍ତମାନ ସମୟ ଆସିଛି, ଆମେ ଏହାର ଉତ୍ତର ଦେବାକୁ ଚାହୁଁଛୁ।

ସାଂସଦ ରମେଶ ବିଧୁଡି କହିଛନ୍ତି ଯେ ଯିଏ ଅଫର ଦେବା ପାଇଁ ମନୀଷ ସିସୋଡିଆଙ୍କୁ ଡାକିଲେ ତାଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। କେବଳ ଏତିକି ନୁହେଁ, ଯିଏ ତାଙ୍କୁ ଅଫର ଦେଇଥିଲେ ତାଙ୍କ ବିରୋଧରେ ମଧ୍ୟ ଏକ ମାମଲା ରୁଜୁ ହେବା ଉଚିତ।

ଏଥିସହିତ ଦିଲ୍ଲୀ ବିଧାନସଭାରେ ଏକ ବଡ଼ ଡ୍ରାମା ଚାଲିଛି ବୋଲି ସାଂସଦ ପ୍ରଭେଶ କହିଛନ୍ତି। ମୁଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଉଛି ଯେ ସେ ଅବକାରୀ ଦୁର୍ନୀତିରୁ ଧ୍ୟାନ ହଟାଇବାରେ ସଫଳ ହୋଇଛନ୍ତି। ଆପ ର ସଦସ୍ୟ ଏଭଳି ଲୋକେ ଯେଉଁମାନେ ନିଜେ ନିଜକୁ ଚାପୁଡ଼ା ମାରିବା ପରେ କାନ୍ଦନ୍ତି। ସେମାନଙ୍କର ବିଶ୍ୱର ସର୍ବଶ୍ରେଷ୍ଠ ଶିକ୍ଷା ଏବଂ ସ୍ବାସ୍ଥ୍ୟ ମଡେଲ ଅଛି, କିନ୍ତୁ ସେମାନେ ଏହାର ଲାଭ ନିଅନ୍ତି ନାହିଁ। କିଏ ଦିଲ୍ଲୀର ବିଧାୟକ କିଣିବାକୁ ଚେଷ୍ଟା କରିଛି ତାହାର ଅନୁସନ୍ଧାନ କରାଯିବା ଉଚିତ ବୋଲି ସେ କହିଛନ୍ତି।

Related Posts