ନିଜ ମେଣ୍ଟ ସହଯୋଗୀ କଂଗ୍ରେସ ସରକାରକୁ କେଜ୍ରିୱାଲଙ୍କ ଟାର୍ଗେଟ: କହିଲେ, ‘ଛତିଶଗଡ଼ରେ ଆମ ଦଳକୁ ଗୋଟିଏ ସୁଯୋଗ ଦେଲେ ଅନ୍ୟ ଦଳକୁ ଭୁଲିଯିବେ’

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ସଜବାଜ ଆରମ୍ଭ। ଦଳକୁ ମଜବୁତ କରିବାକୁ ଆଜି ଛତିଶଗଡ଼ ଗସ୍ତ କରିଛନ୍ତି ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍। ଆପ୍ ଜାତୀୟ ଦଳ ଭାବେ ଘୋଷିତ ହେବା ପରେ ବିଭିନ୍ନ ରାଜ୍ୟରେ ଦବ୍ ଦବା ଜାହିର କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛି ଦଳ। ଏହି ପରିପ୍ରେକ୍ଷୀରେ ଆଜି ଛତିଶଗଡ଼ ଗସ୍ତ କରି ଏଠାରେ ସରକାରରେ ଥିବା ନିଜର ମେଣ୍ଟ ସହଯୋଗୀ କଂଗ୍ରେସକୁ ଟାର୍ଗେଟ କରିବା ସହିତ ରାଜ୍ୟବାସୀଙ୍କୁ ବହୁ ପ୍ରତିଶ୍ରୁତି ଦେଇଛନ୍ତି ଅରବିନ୍ଦ କେଜ୍ରିୱାଲ।

ଆମ ଦଳକୁ ଗୋଟିଏ ସୁଯୋଗ ଦେଲେ ଅନ୍ୟ ଦଳ କଥା ଭୁଲିଯିବେ ବୋଲି କେଜ୍ରିୱାଲ୍ କହିଛନ୍ତି। ଯଦି ରାଜ୍ୟରେ ଆପ୍ ଆସେ ତେବେ ବେରୋଜଗାରୀଙ୍କୁ ରୋଜଗାର ଯୋଗାଇ ଦେବା ସହ ଭତ୍ତା ସୁବିଧା ମଧ୍ୟ ଦିଆଯିବ। ଏଥିସହ ବିଭିନ୍ନ ମାଗଣା ଯୋଜନା ମଧ୍ୟ ଘୋଷଣା କରିଛନ୍ତି କେଜ୍ରିୱାଲ। ରାଜ୍ୟରେ ଆପ୍ ସରକାର ଆସିଲେ ଶିକ୍ଷା ସ୍ୱାସ୍ଥ୍ୟ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଅଣାଯିବ ବୋଲି ସେ କହିଛନ୍ତି | କଂଗ୍ରେସ ସରକାରକୁ ଟାର୍ଗେଟ କରି ସେ କହିଛନ୍ତି ଯେ, ଦୀର୍ଘ 76 ବର୍ଷ ଧରି ଦେଶ ସ୍ୱାଧୀନତା ପାଇଥିଲେ ମଧ୍ୟ ଆପ ଛଡା କୌଣସି ଦଳ ଦେଶର ଶିକ୍ଷା ଓ ସ୍ୱାସ୍ଥ୍ୟ କଥା ଚିନ୍ତା କରି ନାହାନ୍ତି ବୋଲି କେଜ୍ରିୱାଲ କହିଛନ୍ତି |

ଏହାସହିତ ନିର୍ବାଚନ ପାଇଁ ବିଭିନ୍ନ ଗ୍ୟାରେଣ୍ଟି ଦେଇଛନ୍ତି କେଜ୍ରିୱାଲ | ସେ କହିଛନ୍ତି ଯେ, ପ୍ରତ୍ୟେକ ବେରୋଜଗାରୀଙ୍କୁ ଚାକିରି ଦିଆଯିବ। ଚାକିରି ନ ମିଳିବା ପର୍ଯ୍ୟନ୍ତ ପ୍ରତ୍ୟେକ ବେକାରୀଙ୍କୁ ମାସିକ ୩୦୦୦ ଭତ୍ତା ସୁବିଧା ଯୋଗାଇ ଦିଆଯିବ। ସରକାରୀ ଚାକିରିରେ ପ୍ରାୟ ୧୦ ଲକ୍ଷଙ୍କୁ ନିଯୁକ୍ତି ମିଳିବ। ନିଯୁକ୍ତିରେ ସ୍ୱଚ୍ଛତା ଆଣି ସାଧାରଣ ଜନତାଙ୍କୁ ସୁଯୋଗ ଦିଗରେ ଫୋକସ୍ ରହିବ। ଏହାସହିତ ଦିଲ୍ଲୀ ଏବଂ ପଞ୍ଜାବ ଭଳି ଛତିଶଗଡର ପ୍ରତ୍ୟେକ ପରିବାରକୁ ୩୦୦ ୟୁନିଟ୍ ବିଦ୍ୟୁତ୍ ମାଗଣାରେ ଦିଆଯିବ। ସମସ୍ତ ଗ୍ରାମ ଓ ସହରରେ ୨୪ ଘଣ୍ଟିଆ ବିଜୁଳି ସୁବିଧା ଯୋଗାଇ ଦିଆଯିବ। ଆପ୍ ସରକାର ଆସିଲେ ସମସ୍ତ ପୁରୁଣା ବକେୟା ଘରୋଇ ବିଲ୍ ଛାଡ କରାଯିବ।

ସେହିପରି ମହିଳାମାନଙ୍କ ପାଇଁ ସେ ଘୋଷଣା କରିଛନ୍ତି ଯେ, ଆପ ସରକାର ଆସିଲେ ମହିଳାଙ୍କ ପାଇଁ ଆରମ୍ଭ ହେବ ସ୍ତ୍ରୀ ସମ୍ମାନ ଯୋଜନା। ୧୮ ବର୍ଷରୁ ଅଧିକ ସମସ୍ତ ମହିଳାଙ୍କୁ ପ୍ରତି ମାସରେ ୧୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ରାଶି ଯୋଗାଇ ଦିଆଯିବ।

ସେହିପରି ଛତିଶଗଡ଼ର ପ୍ରତ୍ୟେକ ପିଲାଙ୍କୁ ଭଲ ଏବଂ ମାଗଣା ଶିକ୍ଷା ଦିଆଯିବ। ସମସ୍ତ ସରକାରୀ ବିଦ୍ୟାଳୟ ଦିଲ୍ଲୀ ପରି ଉଚ୍ଚ ମାନର ହେବ। ଦିଲ୍ଲୀ ଭଳି ଛତିଶଗଡ଼ର ଘରୋଇ ବିଦ୍ୟାଳୟଗୁଡ଼ିକୁ ବେଆଇନ ଭାବେ ଫି ବୃଦ୍ଧି ଉପରେ ରୋକ୍ ଲଗାଯିବ। ଶିକ୍ଷକମାନଙ୍କ ଖାଲି ପଦବୀ ପୂରଣ ହେବ।ଶିକ୍ଷକମାନଙ୍କୁ ଶିକ୍ଷାଦାନ ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟରେ ନିୟୋଜିତ କରାଯିବ ନାହିଁ। ଦିଲ୍ଲୀ ଭଳି ଛତିଶଗଡର ପ୍ରତ୍ୟେକ ନାଗରିକଙ୍କ ପାଇଁ ମାଗଣା ଏବଂ ଭଲ ଚିକିତ୍ସାର ବ୍ୟବସ୍ଥା। ମେଡିସିନ୍, ଟେଷ୍ଟିଂ ଏବଂ ଅପରେସନ୍ ସବୁକିଛି ଦିଲ୍ଲୀ ଭଳି ମାଗଣା କରାଯିବ। ଦିଲ୍ଲୀ ପରି ପ୍ରତ୍ୟେକ ଗ୍ରାମ ଏବଂ ୱାର୍ଡରେ ମୋହଲା କ୍ଲିନିକ ଖୋଲାଯିବ। ଛତିଶଗଡ଼ର ସମସ୍ତ ସରକାରୀ ଡାକ୍ତରଖାନାର ନବୀକରଣ କରାଯିବ ଏବଂ ନୂତନ ସରକାରୀ ଡାକ୍ତରଖାନା ଖୋଲାଯିବ। ସମସ୍ତ ସଡ଼କ ଦୁର୍ଘଟଣା ରୋଗୀଙ୍କୁ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ବୋଲି କେଜ୍ରିୱାଲ କହିଛନ୍ତି।

ତେବେ 2024 ଲୋକସଭା ନିର୍ବାଚନ ପାଇଁ ଆପ ଓ କଂଗ୍ରେସ ସମେତ 26 ଟି ରାଜନୈତିକ ଦଳ ବିଜେପି ସରକାରକୁ ହରାଇବାକୁ ଇଣ୍ଡିଆ ମେଣ୍ଟ ଗଠନ କରିଥିବାବେଳେ ଏବେ ନିଜ ମେଣ୍ଟ ସହଯୋଗୀକୁ କେଜ୍ରିୱାଲ ଟାର୍ଗେଟ କରିବା ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି |

Related Posts