କେନ୍ଦ୍ର ଆଇନମନ୍ତ୍ରୀ ପଦରୁ ହଟିଲେ କିରେନ ରିଜ୍‌ଜୁ, ଅର୍ଜୁନ ରାମ ମେଘୱାଲ ହେଲେ ନୂଆ ଆଇନମନ୍ତ୍ରୀ

ଭୁବନେଶ୍ୱର,୧୭/୫(ସତ୍ୟପାଠ ବ୍ୟୁରୋ): କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଏକ ବଡ଼ ଧରଣର ଅଦଳବଦଳ ହୋଇଛି । ଆଇନ ମନ୍ତ୍ରୀ ପଦରୁ କିରେନ ରିଜ୍‌ଜୁଙ୍କୁ ହଟାଇ ଦିଆଯାଇଛି । ତାଙ୍କ ସ୍ଥାନରେ ଅର୍ଜୁନ ରାମ ମେଘୱାଲଙ୍କୁ ଆଇନ ମନ୍ତ୍ରୀ ଭାବେ ଦାୟିତ୍ଵ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କ୍ୟାବିନେଟ୍‌ର ପୁନଃ ସମ୍ପ୍ରସାରଣକୁ ଅନୁମୋଦନ ଦେଇଛନ୍ତି ।ବର୍ତ୍ତମାନ କିରେନ୍ ରିଜିଜୁଙ୍କୁ ଆଇନ ମନ୍ତ୍ରଣାଳୟରୁ ହଟାଯାଇ ଭୂବିଜ୍ଞାନ ମନ୍ତ୍ରଣାଳୟ ଦାୟିତ୍ୱ ଦିଆଯାଇଛି ।

ତେବେ ୨୦୨୧ରେ ଆଇନ ମନ୍ତ୍ରୀ ହୋଇଥିଲେ ରିଜିଜୁ । ରିଜୁଜୁ ଅରୁଣାଚଳ ପଶ୍ଚିମ ଲୋକସଭା ଆସନରୁ ବିଜେପି ସାଂସଦ । କିରେନ ରିଜିଜୁ ୧୯ ନଭେମ୍ବର ୧୯୭୧ରେ ଅରୁଣାଚଳ ପ୍ରଦେଶର ପଶ୍ଚିମ କାମେଙ୍ଗ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଆଇନ ଡିଗ୍ରୀ ହାସଲ କରିଛନ୍ତି । ୨୦୦୪ ରେ (ଅରୁଣାଚଳ ପଶ୍ଚିମ ନିର୍ବାଚନମଣ୍ଡଳୀ) ସେ ପ୍ରଥମ ଥର ପାଇଁ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ଜିତିଥିଲେ । କିନ୍ତୁ ସେ ୨୦୦୯ ଲୋକସଭା ନିର୍ବାଚନରେ ହାରି ଯାଇଥିଲେ । ୨୦୧୪ ନିର୍ବାଚନରେ ରିଜିଜୁ ପୁଣି ଜିତିଥିଲେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟରେ ସାମିଲ୍ ହୋଇଥିଲେ । ଏହା ପରେ ତାଙ୍କୁ ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ୨୦୧୯ ରେ କ୍ରୀଡ଼ା ମନ୍ତ୍ରୀ କରାଯାଇଥିଲା । ଜୁଲାଇ ୨୦୨୧ରେ, ଯେତେବେଳେ ସେ କ୍ୟାବିନେଟ ବିସ୍ତାର ସମୟରେ ଆଇନ ମନ୍ତ୍ରୀ ହୋଇଥିଲେ । ରବି ଶଙ୍କର ପ୍ରସାଦଙ୍କ ସ୍ଥାନରେ ତାଙ୍କୁ ଏହି ଦାୟିତ୍ୱ ଦିଆଯାଇଥିଲା ।ତେବେ ଆଇନ୍ ମନ୍ତ୍ରୀ ହେବାପରେ ବିଭିନ୍ନ କାର୍ଯ୍ୟକ୍ରମରେ ସୁପ୍ରିମକୋର୍ଟ ର କଲେଜିୟମ ଉପରେ ସିଧାସଳଖ ପ୍ରଶ୍ନ ଉଠାଇ ଚର୍ଚ୍ଚାକୁ ଆସିଥିଲେ।

ତେବେ ନୂଆ ଆଇନ ମନ୍ତ୍ରୀ ହୋଇଥିବା ଅର୍ଜୁନ ରାମ ମେଘୱାଲ ୨୦୦୯ ଠାରୁ ବିକାନେରରୁ ସାଂସଦ ଅଛନ୍ତି । ମେଘୱାଲ ବିକାନେରର କିସ୍ମିଦେସର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ବିକାନର ଡୁଙ୍ଗର କଲେଜରୁ ବିଏ ଏବଂ ଏଲଏଲବି କରିଥିଲେ । ଏହା ପରେ ସେ ସମାନ କଲେଜରୁ ମାଷ୍ଟର ଡିଗ୍ରୀ (M.A) କରିଥିଲେ । ଏହା ପରେ ସେ ଫିଲିପାଇନ୍ସ ୟୁନିଭରସିଟିରୁ ଏମବିଏ ମଧ୍ୟ କରିଥିଲେ । ସେ ରାଜସ୍ଥାନ କ୍ୟାଡରର ଜଣେ ଆଇଏଏସ୍ ଅଧିକାରୀ ଭାବରେ କାର୍ଯ୍ୟ କରିଛନ୍ତି ଏବଂ ରାଜସ୍ଥାନରେ ଅନୁସୂଚିତ ଜାତିର ମୁଖ୍ୟ ଭାବରେ ପରିଗଣିତ ହୋଇଛନ୍ତି । ୨୦୦୯, ୨୦୧୪ ଏବଂ ୨୦୧୯ ଲୋକସଭା ନିର୍ବାଚନରେ ବିକାନେରରୁ ବିଜେପି ଟିକେଟରେ ମେଘୱାଲ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ । ତାଙ୍କୁ ୨୦୧୩ରେ ଶ୍ରେଷ୍ଠ ସଂସଦୀୟ ପୁରସ୍କାର ପ୍ରଦାନ କରାଯାଇଥିଲା । ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ ମଧ୍ୟରେ ସେ ଲୋକସଭାରେ ଭାରତୀୟ ଜନତା ପାର୍ଟିର ମୁଖ୍ୟ ସଚେତକ ଥିଲେ । ମେ ୨୦୧୯ରେ, ମେଘୱାଲ ସଂସଦୀୟ ବ୍ୟାପାର ଏବଂ ଭାରୀ ଶିଳ୍ପ ଏବଂ ସାର୍ବଜନୀନ ଉଦ୍ୟୋଗ ମନ୍ତ୍ରୀ ହୋଇଥିଲେ। ଏବେ ତାଙ୍କୁ ଆଇନ ମନ୍ତ୍ରଣାଳୟର ଦାୟିତ୍ୱ ମଧ୍ୟ ଦିଆଯାଇଛି।

Related Posts