କଂଗ୍ରେସରେ ମାତିଛନ୍ତି କୁଚକ୍ରୀ ଗୋଷ୍ଠୀ, ଚକ୍ରାନ୍ତରୁ ଦଳକୁ ବଂଚାଇବାକୁ ଆହ୍ୱାନ ଦେଲେ ଚିରଞ୍ଜୀବ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦଳରୁ ନିଲମ୍ବିତ ହେବାପରେ ଆଜି ପ୍ରଥମ ଥର ମୁହଁ ଖୋଲିଛନ୍ତି ଚିରଞ୍ଜିବୀ ବିଶ୍ୱାଳ | ସାମ୍ବାଦିକ ସମ୍ମିଳନୀ କରି ସେ ପ୍ରଦେଶ କଂଗ୍ରେସ କମିଟି ଉପରେ ଜୋରଦାର ବର୍ଷିଛନ୍ତି | ଚିରଞ୍ଜୀବ କହିଛନ୍ତି ଯେ ମୁଁ କଂଗ୍ରେସ ପରିବାରରୁ ଆସିଛି | ମୋତେ ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବନ କରାଗଲା | ପିସିସି ସଭାପତିଙ୍କ ସୁପାରିଶ କ୍ରମେ ମୋତେ ନିଲମ୍ବନ କରାଯାଇଛି | କଂଗ୍ରେସ ବିରୋଧରେ କୌଣସି କାମ କରିନାହିଁ | ମୁଁ କଂଗ୍ରେସର ଜଣେ ଶୃଙ୍ଖଳିତ କର୍ମୀ | କଂଗ୍ରେସରୁ ନିଲମ୍ବନ କରିବା ମୋତେ ଦାରୁଣ ଆଘାତ ଦେଇଛି | ଗୋଟିଏ କୁଚକ୍ରୀ ଗୋଷ୍ଠୀ ମୋତେ ଦୂରେଇବାକୁ ଚେଷ୍ଟାରେ ଅଛନ୍ତି | ଯେଉଁଠି କଂଗ୍ରେସ ସ୍ଥିତି ଭଲ ରହିଛି, ସେଠି କୁଚକ୍ରୀ ଗୋଷ୍ଠୀ ମାତିଛନ୍ତି | ଭଲ ପ୍ରଦର୍ଶନ କରୁଥିବା ଜିଲ୍ଲାରେ କଂଗ୍ରେସକୁ ଭାଗ ଭାଗ କରିବାକୁ ଚେଷ୍ଟାରେ ଅଛନ୍ତି | କଂଗ୍ରେସକୁ ସୁଦୃଢ କରିବାକୁ ଭୁବନେଶ୍ୱରରେ ଏକ ସଭାର ଆୟୋଜନ କରାଇଥିଲୁ | କଂଗ୍ରେସକୁ ସୁଦୃଢ କରାଇବାକୁ ସଭାର ଆୟୋଜନ କରାଯାଇଥିଲା |

ସତ କହିବା ଯଦି ପାପ, ତେବେ ହଁ, ମୁଁ ପାପ କରିଛି | ମୋ ପାଇଁ ଝାରସୁଗୁଡ଼ାରେ କଂଗ୍ରେସ ଖରାପ ପ୍ରଦର୍ଶନ କଲା ବୋଲି ମୋତେ କୁହାଗଲା | ଧାମନଗର ଓ ପଦ୍ମପୁର ନିର୍ବାଚନରେ କାହାପାଇଁ ଖରାପ ପ୍ରଦର୍ଶନ ହେଲା | ନିଜ ଛାଇ ଦେଖି ଡରୁଥିବା ଲୋକମାନେ ମୋ ବିରୋଧରେ ଚକ୍ରାନ୍ତ କରୁଛନ୍ତି, ସେମାନେ ୨୫ ବର୍ଷ ହେଲା ଜିତିନାହାନ୍ତି | ଚକ୍ରାନ୍ତ କାହା ପରାମର୍ଶରେ ନିଆଯାଇଛି ସେକଥା ମୁଁ ଜାଣେ ନାହିଁ | ମୁଁ ଜଣେ ସ୍ୱାଭିମାନୀ ଲୋକ, କାର୍ଯ୍ୟାନୁଷ୍ଠାନକୁ ଡରେ ନାହିଁ | ଦୁର୍ବଳ ଲୋକ ଅଭିଯୋଗ କରନ୍ତି, ମୁଁ କେଉଁଠି ଅଭିଯୋଗ କରିବି ନାହିଁ | ତାଙ୍କୁ ଓ ତାଙ୍କ ପରିବାରକୁ ଦୂରେଇ ରଖି ଯଦି କଂଗ୍ରେସ ରାଜ୍ୟରେ ୯ରୁ ୯୦ ହୋଇପାରିବ ତା’ହେଲେ ତାକୁ ସାଧୁବାଦ ଦେବି ବୋଲି ସେ କହିଛନ୍ତି । ସେହିପରି ଚିରଞ୍ଜୀବ ୨୦୨୪ ନିର୍ବାଚନ ଲଢ଼ିବେ ବୋଲି ସ୍ପଷ୍ଟ ଭାବେ କହିଛନ୍ତି | ସେ କହିଛନ୍ତି ଯେ ମୁଁ କଂଗ୍ରେସରୁ ଲଢ଼ିବି କି ସ୍ୱାଧୀନ ଭାବେ ଲଢ଼ିବି ତାହା ସମୟ ହିଁ କହିବ | ସେହିପରି ପିସିସି ସଭାପତିଙ୍କୁ ଇସାରା ଇସାରାରେ କହିଛନ୍ତି ଯେ ଯିଏ ନିଜ ଛାଇକୁ ଦେଖି ଡରେ, ସେ ଏଭଳି ପଦକ୍ଷେପ ନେଇଛି | ଗୋଡ ତଳେ ମାଟିନଥିବା ଲୋକ ହିଁ ଏଭଳି ପଦକ୍ଷେପ ନେଇଛି |

Related Posts