ମେଲ୍ବର୍ଣ୍ଣ: ଅତ୍ୟଧିକ କାର୍ଯ୍ୟଭାର ଯୋଗୁଁ ନିଜ ପଦରୁ ଓହରି ଯିବେ ଲାଚ୍ଲାନ ହେଣ୍ଡରସନ୍ କ୍ରିକେଟ୍ ଅଷ୍ଟ୍ରେଲିଆ (ସିଏ)ର ମୁଖ୍ୟ (ଅଧ୍ୟକ୍ଷ) । ଏନେଇ ସେ ରବିବାର ନିଷ୍ପତ୍ତି ନେଇଛନ୍ତି। ନିକଟରେ ହେଣ୍ଡରସନ୍ ପର୍ଥରେ ଅବସ୍ଥିତ ହେଲ୍ଥ ଇନ୍ସ୍ୟୁରାନ୍ସ ପ୍ରୋଭାଇଡେଡ୍ ଏଚ୍ବିଏଫ୍ର ସିଇଓ ପଦରେ ନିଯୁକ୍ତ ହୋଇଥିବାରୁ ‘ସିଏ’ର ଅଧ୍ୟକ୍ଷ ଦାୟିତ୍ବ ପାଇଁ ସମୟ ଦେଇପାରିବେନି ବୋଲି କହିଛନ୍ତି। ମୋ ନିଜ ସହର ପର୍ଥରେ ନୂଆ ଦାୟିତ୍ବ ତୁଲାଇବା କଷ୍ଟକର ହୋଇପଡ଼ିବ। ତେଣୁ ‘ସିଏ’ର ଦାୟିତ୍ବ ପାଇଁ ସମୟ ମିଳିବନି ବୋଲି କହି ହେଣ୍ଡରସନ୍ ପଦତ୍ୟାଗ ନିଷ୍ପତ୍ତି ନେଇଛନ୍ତି।
ଏହା ହିଁ ‘ସିଏ’ ଦାୟିତ୍ବରୁ ମୁକ୍ତ ହେବାର ପ୍ରକୃଷ୍ଟ ସମୟ ବୋଲି ସେ କହିଛନ୍ତି। ହେଣ୍ଡରସନ୍ ଚଳିତ ବର୍ଷ ଫେବ୍ରୁଆରିରେ ଅର୍ଲ ଏଡିଙ୍ଗ୍ସଙ୍କ ଇସ୍ତଫା ପରେ ମଧ୍ୟବର୍ତୀ ଅଧ୍ୟକ୍ଷ ରିଚାର୍ଡ ଫ୍ରିଉଡେନ୍ଷ୍ଟେନ୍ଙ୍କଠାରୁ ‘ସିଏ’ର ଅଧ୍ୟକ୍ଷ ଦାୟିତ୍ବ ଗ୍ରହଣ କରିଥିଲେ। ଏବେ ସେ ପଦ ଛାଡ଼ିବାର ନିଷ୍ପତ୍ତି ନେଇଥିବାରୁ ତାଙ୍କ ସ୍ଥାନରେ ‘ସିଏ’ର ପରର୍ବତୀ ଅଧ୍ୟକ୍ଷ ପଦ ପୂର୍ବତନ ନ୍ୟୁସାଉଥ୍ୱେଲ୍ସ ମୁଖ୍ୟ ମାଇକ୍ ବେୟର୍ଡ ଗ୍ରହଣ କରିବେ ବୋଲି ସ୍ପଷ୍ଟ ହୋଇଛି।
ଆସନ୍ତାବର୍ଷ ଫେବ୍ରୁଆରିରେ ହିଁ ହେଣ୍ଡରସନ୍ଙ୍କଠାରୁ ବେୟର୍ଡ ନୂଆ ଦାୟିତ୍ବ ଗ୍ରହଣ କରିବେ। ୫୪ ବର୍ଷ ବୟସ୍କ ବେୟର୍ଡ ୨୦୧୪ରୁ ୨୦୧୭ ପର୍ଯ୍ୟନ୍ତ ନ୍ୟୁସାଉଥ୍ୱେଲ୍ସର ମୁଖ୍ୟ ପଦ ସମ୍ଭାଳିଥିଲା ବେଳେ ୨୦୨୦ରେ କ୍ରିକେଟ୍ ଅଷ୍ଟ୍ରେଲିଆ ବୋର୍ଡରେ ଯୋଗଦେଇଥିଲେ। ନୂଆ ଦାୟିତ୍ବ ତାଙ୍କ ପାଇଁ ଆହ୍ବାନଭରା ରହିବ ବୋଲି ବେୟର୍ଡ କହିଛନ୍ତି ।





