ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶ୍ରୀକ୍ଷେତ୍ର ପୁରୀରେ ମାନବୀୟ ଲୀଳା କରୁଥିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବଦିନାତ୍ମକ ଯାତ୍ରା ଆରମ୍ଭ ହୋଇଛି। ହେଲେ ବହୁ ବର୍ଷର ବ୍ୟବଧାନ ପରେ ଏବର୍ଷ ତିନି ରଥ ନିର୍ଦ୍ଧାରିତ ସମୟରେ କିନ୍ତୁ ଶରଧାବାଲିରେ ପହଞ୍ଚିପାରିନି। ଗତକାଲି ସନ୍ଧ୍ୟା ହୋଇଯିବାରୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ବଳଗଣ୍ଡି ଛକରେ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ବଡ଼ଶଙ୍ଖରେ ଅଟକିଥିଲା | ହେଲେ, ବଡ଼ଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ ଶରଧାବାଲିରେ ପହଞ୍ଚି ଯାଇଥିଲା। ଅଧା ରାସ୍ତାରେ ଅଟକି ରହିଥିବା ଦର୍ପଦଳନ ରଥ ଓ ନନ୍ଦିଘୋଷ ରଥକୁ ଆଜି ସକାଳୁ ଟଣାଯାଇ ଶରଧାବାଲିକୁ ଅଣାଯାଇଥିଲା | ସେପଟେ ରଥ ଶରଧାବାଲିରେ ପହଂଚିବା ପରେ ନୀତିକାନ୍ତିରେ ଅହେତୁକ ବିଳମ୍ବ ପରିଲକ୍ଷିତ ହୋଇଥିଲା | ମଙ୍ଗଳ ଆଳତି, ଅବକାଶ ପରେ ନୀତି ଆଉ ନୀତି ବଢି ନଥିଲା | ଯାହା ଫଳରେ ରଥ ଉପରେ ମହାପ୍ରଭୁ ଭୋକରେ ରହିଛନ୍ତି |
ସୂଚନା ଅନୁସାରେ ନୀତି ସହ ସମ୍ପୃକ୍ତ ସେବକମାନେ ଆଜି ଗୁଣ୍ଡିଚା ମନ୍ଦିର ଅଭିମୁଖେ ଆସୁଥିବା ବେଳେ ଅଧାବାଟରେ ସେମାନଙ୍କୁ ରୋକିଥିଲା ପୋଲିସ | ପାସ ଦେଖାଇବା ସତ୍ୱେ ସେମାନଙ୍କୁ ପୋଲିସ ଗୁଣ୍ଡିଚା ମନ୍ଦିର ଆଡକୁ ଛାଡି ନଥିଲା, ସେବାୟତ ମାନେ ସେଠାରୁ ଫେରି ଯାଇଥିଲେ | ଯାହାଫଳରେ ଏବେ ମହାପ୍ରଭୁ ଭୋକରେ ରହିଛନ୍ତି | ସେପଟେ ଦ୍ଵିତୀୟ ଦିନରେ ରଥ ଲାଗିବା ଓ ମହାପ୍ରଭୁଙ୍କ ନୀତି ବିଭ୍ରାଟ ହେବା ପଛରେ ପରିଚାଳନାଗତ ସମସ୍ୟା ଓ ପ୍ରଶାସନିକ ଅଧିକାରୀଙ୍କ ସମନ୍ବୟ ଅଭାବ ଥିବା ଜଣାପଡୁଛି।
ତେବେ ଚଳିତ ବର୍ଷ ରଥଟଣା ନିର୍ଦ୍ଧାରିତ ସମୟରେ ହୋଇଥିଲେ ମଧ୍ୟ ରଥ ଠିକ ସମୟରେ ନପହଂଚିବାର ଏକ ମୁଖ୍ୟ କାରଣ ହେଉଛି, ରଥ ଗଡ଼ିବା ନେଇ ଯେଉଁ ସଙ୍କେତ ଦିଆଯାଇଥାଏ, ସେଥିରେ ଏବର୍ଷ ଗୁରୁତର ତ୍ରୁଟି ଦେଖିବାକୁ ମିଳିଛି। କାହାରି ଭିତରେ ସମନ୍ବୟ ରହିନି। ରଥ ଟାଣିବା ବେଳେ ରଥ ଗଡ଼ିବା ଓ ରୋକିବା ପାଇଁ ବ୍ୟବହୃତ ପତାକା ଦେଖାଇବାକୁ ରଥ ଆଗରେ ଓ ରଥ ଉପରେ ଜେଟିପି ଓ ପୁଲିସ ରହିଥାନ୍ତି। ସେହି ଅନୁସାରେ ପୁଲିସ ଡାକବାଜି ଜରିଆରେ ଘୋଷଣା ପରେ ରଥ ଗଡ଼ିଥାଏ। ରଥ କେଉଁଆଡ଼କୁ ମୋଡ଼ ନେବ, ସେ ସମ୍ପର୍କରେ ବି ସଂକେତ ଜରିଆରେ ସୂଚନା ପାଇବା ପରେ ପୁଲିସ ଡାକବାଜି ଜରିଆରେ ଘୋଷଣା କରିଥାନ୍ତି ଓ ସେହି ଦିଗକୁ ରଥ ଗଡ଼ିଥାଏ। ହେଲେ ଅଭିଯୋଗ ଉଠିଛି, ଚଳିତଥର ରଥ ତଳେ ଓ ରଥ ଉପରେ ଯେଉଁମାନେ ରହିଥିଲେ, ସେମାନେ ପତାକା ଦେଖାଇବାରେ ସେତେଟା ତାଳମେଳ ରହିନଥିଲା। ସେପଟେ ଡାକବାଜି ଜରିଆରେ ଘୋଷଣା କରୁଥିବା ପୁଲିସମାନେ ବି ଏହି ପତାକାକୁ ଅନୁପାଳନ କରିନଥିଲେ। ଯେଉଁଥିପାଇଁ ତିନି ରଥ ବଡ଼ଦାଣ୍ଡରେ ସିଂହଦ୍ବାରରୁ ମେଡିକାଲ୍ ଛକ ଭିତରେ ବାରମ୍ବାର ଡାହାଣ କୋଣ ମାଡ଼ି ଚାଲିଥିଲା। ଏଥିପାଇଁ ଏକାଧିକ ଥର ବଡ଼ଦାଣ୍ଡରେ ତିନି ରଥକୁ ଅଟକିବାକୁ ପଡ଼ିଥିଲା। ଯେଉଁଥିପାଇଁ ରଥ ଗଡ଼ିବା ବିଳମ୍ବ ହୋଇଥିଲା ବୋଲି କୁହାଯାଉଛି।
ସେପଟେ ଶ୍ରୀମନ୍ଦିର ଦାୟିତ୍ବରେ ପୂର୍ଣ୍ଣକାଳୀନ ପ୍ରଶାସକ ଦାୟିତ୍ବ ଗ୍ରହଣ କରିବା ପରେ ଜିଲ୍ଲା ପ୍ରଶାସନ ସହିତ ଶୀତଳ ଯୁଦ୍ଧ ଚାଲିଥିବା ଅଭିଯୋଗ ଉଠୁଛି। ଏହି ଶୀତଳଯୁଦ୍ଧର ପରିଣାମ ସ୍ବରୂପ ରଥଯାତ୍ରା ଦାୟିତ୍ବରେ ଥିବା ମୁଖିଆମାନେ ନିଜ ନିଜ ଭିତରେ ସମନ୍ବୟ ରଖିବାରେ ଗୁରୁତର ଅବହେଳା କରିଥିବା ଅଭିଯୋଗ ହେଉଛି। ରଥ ପହଂଚିବା ଓ ନୀତିକାନ୍ତି ବିଳମ୍ବର ଏହା ଆଉ ଏକ କାରଣ ମଧ୍ୟ ହୋଇପାରେ । ସେପଟେ ରଥ ବ୍ରେକ ପକାଇବାକୁ ଦାୟିତ୍ବ ନେଇଥିବା ଠିକାଦାର ଓ ଭୋଇ ସେବକଙ୍କ ଭିତରେ ଚାଲିଥିବା ଶୀତଳ ଯୁଦ୍ଧକୁ ମଧ୍ୟ ଗୋଟିଏ ମହଲ ଦାୟୀ କରୁଛନ୍ତି।
ତେବେ ମହାପ୍ରଭୁଙ୍କ ନୀତିକାନ୍ତିରେ ବିଳମ୍ବକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି | ସେପଟେ ନୀତିକାନ୍ତିରେ ବିଳମ୍ବ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କାହାରି ପ୍ରତିକ୍ରିୟା ମିଳିପାରି ନାହିଁ| ଆଗକୁ ବାହୁଡା ଯାତ୍ରା, ସୁନାବେଶ ଓ ନୀଳାଦ୍ରିବିଜେ ଭଳି ବହୁ ଗୁରୁତ୍ୱପୂର୍ଣ ପର୍ବ ରହିଥିବାବେଳେ ସେସବୁରେ ସମନ୍ୱୟର ସହ ମହାପ୍ରଭୁଙ୍କ ନୀତିକାନ୍ତି ହେଉଛି କି ନାହିଁ ତାହା ଦେଖିବାକୁ ବାକି ରହିଲା |





