ଭୁବନେଶ୍ୱର,୧୨/୧(ସତ୍ୟପାଠ ବ୍ୟୁରୋ): ଉତ୍ତର ପ୍ରଦେଶର ଲଖିମପୁର ଖେରିରେ ଚାଷୀଙ୍କ ଉପରେ ଗାଡ଼ି ଚଢାଇ ହତ୍ୟା ଘଟଣାର ଶୁଣାଣି ସରିବାକୁ ୫ ବର୍ଷ ସମୟ ଲାଗିବ। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି କେନ୍ଦ୍ରମନ୍ତ୍ରୀ ଆଶିଷ ମିଶ୍ରାଙ୍କ ପୁଅ ଅଜୟ କୁମାର ମିଶ୍ରା। ତେବେ ଘଟଣାରେ ୨୦୦ ଜଣ ସାକ୍ଷୀ ଥିବାରୁ ଶୁଣାଣି ସାରିବାକୁ ପ୍ରାୟ ୫ ବର୍ଷ ସମୟ ଲାଗିବ ବୋଲି ବର୍ତ୍ତମାନ ମାମଲାର ବିଚାର କରୁଥିବା ଆଡିସନାଲ ସେସନ୍ସ ଜଜ୍ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି।
ଘଟଣାରେ ଗିରଫ ହୋଇଥିବା ଆଶିଷ ମିଶ୍ରା ଏବେ ଜେଲରେ ଅଛନ୍ତି। ତାଙ୍କ ଜାମିନ ଆବେଦନର ଶୁଣାଣି କରିବା ବେଳେ ସର୍ବୋଚ୍ଚ ଅଦାଲତ ନିମ୍ନ ଅଦାଲତକୁ ଶୁଣାଣି କେବେ ସରିବ ବୋଲି ନିର୍ଦ୍ଦିଷ୍ଟ ଭାବେ ଜଣାଇବାକୁ କହିଥିଲେ। ଏହି ନିର୍ଦ୍ଦେଶ ପରେ ଟ୍ରାଏଲ କୋର୍ଟ ଜଜ୍ ଷ୍ଟାଟସ ରିପୋର୍ଟ ଏକ ବନ୍ଦ ଲଫାପାରେ ସୁପ୍ରିମକୋର୍ଟଙ୍କୁ ଦେଇଛନ୍ତି।
ଜଷ୍ଟିସ ସୂର୍ଯ୍ୟ କାନ୍ତ ଓ ଜଷ୍ଟିସ ଭି ରାମସୁବ୍ରମଣିଅନଙ୍କ ଖଣ୍ଡପୀଠ ଏହି ରିପୋର୍ଟକୁ ଅନୁଧ୍ୟାନ କରିବା ପରେ କହିଛନ୍ତି ଯେ, “ନିମ୍ନ ଅଦାଲତର ଜଜ୍ ଦେଇଥିବା ତଥ୍ୟ ଅନୁସାରେ ଶୁଣାଣି ଶେଷ ହେବାକୁ ୫ ବର୍ଷ ସମୟ ଲାଗିବ। ଏହି ରିପୋର୍ଟରେ କୁହାଯାଇଛି ଯେ ଘଟଣାରେ ୨୦୮ ଜଣ ସାକ୍ଷୀ ରହିଛନ୍ତି। ସେହିପରି ୧୭୧ଟି ଦସ୍ତାବିଜ ଓ ୨୭ ଏଫଏସ୍ଏଲ ରିପୋର୍ଟ ରହିଛି। ଏଗୁଡ଼ିକୁ ଅନୁଶୀଳନ କରିବାକୁ ସମୟ ଲାଗିବ।”
ଅଭିଯୁକ୍ତ ଆଶିଷ ମିଶ୍ରା ଜାମିନ ଆବେଦ କରିବା ବେଳେ କହିଥିଲେ ଯେ ମାମଲାର ଶୁଣାଣି ସରିବାରୁ ଅନେକ ବର୍ଷ ଲାଗିବ। ଘଟଣା ପାଇଁ ସେ ବର୍ଷେରୁ ଅଧିକ ସମୟ ଜେଲରେ କାଟି ସାରିଲେଣି। ତେଣୁ ତାଙ୍କୁ ଜାମିନ ଦିଆଯାଉ। ତେବେ ଏହାକୁ ଘଟଣାରେ ପ୍ରାଣ ହରାଇଥିବା ଚାଷୀଙ୍କ ପରିବାର ଲୋକ ଜୋରଦାର ବିରୋଧ କରିଥିଲେ। ଅଭିଯୁକ୍ତଙ୍କୁ କୌଣସି ପ୍ରକାରର ସୁରକ୍ଷା ଦିଆଯାଇ ପାରିବ ନାହିଁ ବୋଲି ସେମାନେ କହିଥିଲେ। ସେମାନଙ୍କ ଅଭିଯୋଗ ଅନୁଯାୟୀ ଆଶିଷ ମିଶ୍ରା ୫ ଜଣ ଚାଷୀଙ୍କୁ ଗାଡ଼ି ମଡ଼ାଇ ହତ୍ୟା କରିଛନ୍ତି। ଘଟଣାର ସାକ୍ଷୀମାନଙ୍କୁ ସରକାର ସୁରକ୍ଷା ଦେଇଥିଲେ ମଧ୍ୟ ସେମାନଙ୍କୁ ନିୟମିତ ଧମକ ମିଳୁଛି। ତେଣୁ ଆଶିଷ ମିଶ୍ରା ଜାମିନ ପାଇଲେ ସାକ୍ଷୀଙ୍କୁ ପ୍ରଭାବିତ କରିବେ ବୋଲି ପୀଡ଼ିତମାନେ ଯୁକ୍ତି ଉପସ୍ଥାପନ କରିଥିଲେ।
ସୂଚନାଯୋଗ୍ୟ ଯେ, ୨୦୨୧ ମସିହା ଅକ୍ଟୋବର ୩ରେ ଚାଷୀମାନେ ଉତ୍ତର ପ୍ରଦେଶର ଲଖିମପୁର ଖେରିରେ ବିକ୍ଷୋଭ କରୁଥିବା ବେଳେ ସେମାନଙ୍କ ଉପରେ ଗାଡ଼ି ମଡ଼ାଇ ଦିଆଯାଇଥିଲା। ଏଥିରେ ୪ ଜଣ ଚାଷୀଙ୍କ ମୃତ୍ୟୁ ଘଟିଥିବା ବେଳେ ଏହା ପରେ ପ୍ରବଳ ହିଂସାକାଣ୍ଡ ଘଟିଥିଲା। ଫଳରେ ଆଉ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଜଣେ ସାମ୍ବାଦିକ ମଧ୍ୟ ଏହି ପୂରା ଘଟଣାରେ ଜୀବନ ହରାଇଥିଲେ।





