ଫିରିଙ୍ଗିଆ ଥାନାରେ ଲଙ୍କାକାଣ୍ଡ ଘଟଣା‌: ଆଇଆଇସିଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି, ୨ ହୋମଗାର୍ଡଙ୍କୁ କାର୍ଯ୍ୟରୁ ଅନ୍ତର କଲେ ଏସପି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୁଲିସ ଗଞ୍ଜେଇ କାରବାର କରୁଥିବା ଅଭିଯୋଗକୁ ନେଇ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନାରେ ଗତକାଲି ଲଙ୍କାକାଣ୍ଡ ପରେ ଆଜି ଆଇଆଇସି ତପନ କୁମାର ନାହାକଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି। ଏହି ମାମଲାରେ ୨ ହୋମଗାର୍ଡଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଛି। ଏନେଇ କନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ର
ସୂଚନା ଦେଇଛନ୍ତି|

ଏସ୍‌ପି କହିଛନ୍ତି, ଥାନାରେ ନିଆଁ ଲଗାଇବା ତଥା ପୁଲିସ୍ କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ପାଖାପାଖି ୩୦ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ୧୫/୧୬ ଜଣଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି। ସେମାନଙ୍କୁ ଗିରଫ କରିବାକୁ ପ୍ରକ୍ରିୟା ଚାଲିଛି। ଆଜି ସନ୍ଧ୍ୟା ସୁଦ୍ଧା ସେମାନଙ୍କୁ କୋର୍ଟ ଚାଲାଣ କରାଯିବ।

ଫିରିଙ୍ଗିଆ ଥାନା ଆଇଆଇସି ଓ ଦୁଇ ହୋମଗାର୍ଡଙ୍କ ବିରୋଧରେ ଗଞ୍ଜେଇ ଚାଲାଣ ନେଇ ଆସିଥିବା ଅଭିଯୋଗ ସଂପର୍କରେ ଏସ୍‌ପି କହିଛନ୍ତି ଯେ ଏହାର ତଦନ୍ତ ଚାଲିଛି। କିନ୍ତୁ ଏନେଇ ଆମକୁ କେହି କିଛି ପ୍ରମାଣ ଦେଇ ନାହାନ୍ତି। ଯେଉଁ ଭିଡିଓ କଥା କୁହାଯାଉଛି, ତାହା ମଧ୍ୟ ଆମର ହସ୍ତଗତ ହୋଇନାହିଁ। ଅଭିଯୋଗ ଆଧାରରେ ଆମେ ଘଟଣାର ତଦନ୍ତ କରୁଛୁ। ଆମକୁ ପ୍ରମାଣ ଦେଲେ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। ତଥାପି ବର୍ତ୍ତମାନ ପାଇଁ ଫିରିଙ୍ଗିଆ ଥାନା ଆଇଆଇସିଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରାଯାଇଛି। ତା’ସହିତ ଯେଉଁ ଦୁଇ ହୋମଗାର୍ଡଙ୍କ ବିରୋଧରେ ଅଭିଯୋଗ ଆସିଛି, ସେମାନଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଛି।

ଏସ୍‌ପି କହିଛନ୍ତି, ଯେଉଁ ଗାଁର ଲୋକେ ଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ସେହି ସବୁ ଗାଁଗୁଡ଼ିକରେ ଗଞ୍ଜେଇ ମାମଲାରେ ବହୁବାର ରେଡ୍ ହୋଇଥିଲା। ଏ ବର୍ଷ କନ୍ଧମାଳ ଜିଲ୍ଲାରେ ପାଖାପାଖି ୩୦ ଟନ୍ ଗଞ୍ଜେଇ ଜବତ କରାଯାଇଥିବା ବେଳେ ସେଥିରୁ ପ୍ରାୟ ୧୦ ଟନ୍ କେବଳ ଫିରିଙ୍ଗିଆ ଥାନା ଅଞ୍ଚଳରୁ ଜବତ ହୋଇଛି। ସେଥିପାଇଁ ଏହି ଥାନା ଅଞ୍ଚଳରେ ଥିବା ଗାଁଗୁଡ଼ିକରେ ବହୁତ ଚାପ ସୃଷ୍ଟି ହୋଇଛି। ଆଉ ସେହି ଗାଁଗୁଡ଼ିକରୁ ହିଁ ଗତକାଲି ଅଧିକାଂଶ ଲୋକ ଏକତ୍ରିତ ହୋଇଥିଲେ ବୋଲି ଏସପି କହିଛନ୍ତି।

ସୂଚନାଯୋଗ୍ୟ, ଗତକାଲି କିଛି ଉତ୍ତ୍ୟକ୍ତ ଲୋକ ଫିରିଙ୍ଗିଆ ଥାନା ଉପରେ ଆକ୍ରମଣ କରିଥିଲେ । ଥାନା ଅଧିକାରୀ ଓ ତାଙ୍କ ୨ ସହଯୋଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଥାନା ପରିସରରେ ଯାହା ପାଇଲେ ଜାଳିଲେ। ଦୁଇଦିନ ଧରି ଏହି ପ୍ରସଙ୍ଗରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ପରିସ୍ଥିତି ଆଜି ହିଂସାତ୍ମକ ମୋଡ଼ ନେଇଥିଲା। ଶତାଧିକ ଲୋକ ଥାନା ପରିସରରେ ବ୍ୟାପକ ଭଙ୍ଗାରୁଜା କରିବା ସହ ମାଲ୍‌ଖାନାରେ ଗଚ୍ଛିତ ଗଞ୍ଜେଇ ବାହାରେ ଗଦାକରି ନିଆଁ ଲଗାଇ ଦେଇଥିଲେ। ଏହାସହ ଜବତ ଗାଡ଼ିଗୁଡ଼ିକରେ ମଧ୍ୟ ନିଆଁ ଲଗାଇ ଦେଇଥିଲେ। ଉତ୍ତ୍ୟକ୍ତ ଲୋକେ ଥାନାରୁ କିଛି ବନ୍ଧୁକ ମଧ୍ୟ ଲୁଟି ନେଇଥିବା ପୁଲିସ କହିଛି। କିଛି ସମୟ ପାଇଁ ଥାନା ପରିସରରେ ନିଆଁ ହୁତ୍‌ ହୁତ୍‌ ହୋଇ ଜଳିଥିବା ବେଳେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ଫୁଲବାଣୀ ଏସ୍‌ଡିପିଓ ସୁପ୍ରସନ୍ନ ମଲ୍ଲିକଙ୍କୁ ଥାନାରେ ଉତ୍ତ୍ୟକ୍ତ ଲୋକେ ନିସ୍ତୁକ ପିଟିଥିଲେ। ଲୋକଙ୍କ ମାଡ଼ରେ ତହସିଲଦାର ଏମ୍‌. ଅନୁରାଧା, ସ୍ଥାନୀୟ ସାମ୍ବାଦିକ ସୁବ୍ରତ ମହାନ୍ତି ଆହତ ହୋଇଛନ୍ତି। ଏସ୍‌ଡିପିଓ ସୁପ୍ରସନ୍ନ ମଲିକ ଏବଂ ସାମ୍ବାଦିକ ସୁବ୍ରତ ମହାନ୍ତିଙ୍କୁ ଅଧିକ ଚିକିତ୍ସା ନିମନ୍ତେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେହିପରି ଅନ୍ୟ ପୁଲିସ କର୍ମଚାରୀ ମଧ୍ୟ ଲୋକଙ୍କ ଆକ୍ରମଣର ଶିକାର ହୋଇଥିଲେ। ଘଟଣାସ୍ଥଳରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି ହୋଇଛି। କନ୍ଧମାଳ ଏସ୍‌.ପି ଶୁଭେନ୍ଦୁ କୁମାର ପାତ୍ର ଘଟଣାସ୍ଥଳରେ ଉପସ୍ଥିତ ରହି ପରିସ୍ଥିତି ପ୍ରତି କଡ଼ା ନଜର ରଖିଛନ୍ତି। ଫିରିଙ୍ଗିଆ ଥାନା ଏବଂ ଆଖାପାଖ ଅଞ୍ଚଳରେ ୪ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯାଇଛି।

Related Posts