ସୁରକ୍ଷାକର୍ମୀଙ୍କ ଗୁଳିରେ ‘ଲଶ୍କର୍‌-ଏ-ତୈବା’ର କମାଣ୍ଡର୍‌ ନିହତ

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ବାରମୂଳା ଜିଲ୍ଲା ସୀମାନ୍ତରେ ବଡ଼ଗାମ ପୁଲିସ ଏବଂ ସ୍ଥାନୀୟ ସେନା ୟୁନିଟ୍‌ ପକ୍ଷରୁ ସଙ୍ଗଠିତ ଏନ୍‌କାଉଣ୍ଟର୍‌ | ଏହି ଏନକାଉଣ୍ଟର ରେ ନିଷିଦ୍ଧ ଆତଙ୍କବାଦୀ ସଙ୍ଗଠନ ‘ଲଶ୍କର୍‌-ଏ-ତୈବା’ର ଜଣେ ଶୀର୍ଷସ୍ତରୀୟ କମାଣ୍ଡର୍‌ ନିହତ ହୋଇଛି | ଏଥିସହ ଆଉ ଜଣେ ଆତଙ୍କବାଦୀ ମଧ୍ୟ ଏହି ଘଟଣାରେ ଆହତ ହୋଇଛନ୍ତି।

କଶ୍ମୀର ଇନ୍‌ପେକ୍ଟର୍‌ ଜେନେରାଲ୍‌ ଅଫ୍‌ ପୁଲିସ ବିଜୟ କୁମାର କହିଛନ୍ତି‌ ଯେ, ବାରମୂଳା ଏନ୍‌କାଉଣ୍ଟର୍‌ରେ ନିହତ ହୋଇଥିବା ଆତଙ୍କବାଦୀଜଣକ ହେଉଛନ୍ତି ୟୁସୁଫ୍‌ କାନ୍ତ୍ରୁ। ନିରାପତ୍ତା ବଳର ହିଟ୍‌ ଲିଷ୍ଟ୍‌ରେ ତାଙ୍କ ନାମ ରହିଛି।

କୁମାର ଆହୁରି ମଧ୍ୟ କହିଛନ୍ତି, ଅଳ୍ପ ଦିନ ପୂର୍ବେ ବଡ଼ଗାମ୍‌ ଜିଲ୍ଲାରେ ନିହତ ହୋଇଥିବା ଜଣେ ‘ଏସ୍‌ପିଓ’ ଏବଂ ତାଙ୍କ ଭାଇ, ଜଣେ ଯବାନ ଓ ଜଣେ ସାଧାରଣ ନାଗରିଙ୍କ ସମେତେ କାନ୍ତ୍ରୁ କେତେକ ସାଧାରଣ ନାଗରିକ ଏବଂ ନିରାପତ୍ତା ବଳର କର୍ମଚାରୀଙ୍କ ହତ୍ୟା ଘଟଣାରେ ଜଡ଼ିତ ଅଛନ୍ତି।

ସରକାରୀ କର୍ମଚାରୀମାନେ କହିଛନ୍ତି ଯେ, ବଡ଼ଗାମ ପୁଲିସ ଠାରୁ ସୂଚନା ପାଇବା ପରେ ବଡ଼ଗାମ୍‌ ଏବଂ ବାରମୂଳା ଜିଲ୍ଲାର ସୀମାନ୍ତରେ ଅବସ୍ଥିତ ଉକ୍ତ ଗ୍ରାମରେ ଅଭିଯାନ ଆରମ୍ଭ ହୋଇଥିଲା। ବଡ଼ଗାମ ପୁଲିସ ଏବଂ ସ୍ଥାନୀୟ ସେନା ୟୁନିଟ୍‌ ରାତି ତମାମ ସେ ଅଞ୍ଚଳରେ ଆତ୍ମଗୋପନ କରିଥିବା ଆତଙ୍କବାଦୀମାନଙ୍କ ସହ ଗୁଳି ବିନିମୟ କରିଥିଲା।

ପ୍ରାରମ୍ଭିକ ପର୍ଯ୍ୟାୟ ଗୁଳି ବିନିମୟରେ ନିରାପତ୍ତା ବଳର ୩ଜଣ ଯବାନ ସାମାନ୍ୟ ଆହତ ହୋଇଥିଲେ। ଆହତମାନଙ୍କୁ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସାମାନ୍ୟ ଆହତ ଯୋଗୁଁ ଶୀଘ୍ର ଡିସଚାର୍ଜ କରାଯାଇଥିଲା । ଘଟଣାସ୍ଥଳରୁ ବିପୁଳ ପରିମାଣାର ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି |

Related Posts