ବିଳମ୍ବିତ ରାତିରେ ଦିଲ୍ଲୀ ମହିଳା କମିଶନ୍ ଅଧ୍ୟକ୍ଷାଙ୍କୁ ୧୫ ମିଟର ପର୍ଯ୍ୟନ୍ତ ଘୋଷାଡି ନେଲା କାର ଚାଳକ

ଭୁବନେଶ୍ୱର, ୧୯/୧(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀରୁ ଆସିଛି ଏକ ଆଶ୍ଚଯ୍ୟ କରିବା ଭଳି ଖବର। ଦିଲ୍ଲୀ ମହିଳା କମିଶନ୍ ଅଧ୍ୟକ୍ଷା ସ୍ବାତୀ ମାଲିଓ୍ବାଲଙ୍କୁ ଜଣେ କାର ଚାଳକ ୧୦-୧୫ ମିଟର ଘୋଷଡି ନେଇଥିବାର ଅଭିଯୋଗ ହୋଇଛି। ଘଟଣାଟି ବୁଧବାର ବିଳମ୍ବିତ ରାତିରେ ଦିଲ୍ଲୀ ଏମ୍ସ ହସ୍ପିଟାଲ ନିକଟରେ ଘଟିଥିବା ସୂଚନା ମିଳିଛି। ପୋଲିସ ନିଶାସକ୍ତ ଅବସ୍ଥାରେ ଥିବା ଅଭିଯୁକ୍ତ ହରିଶ ଚନ୍ଦ୍ର(୪୭) ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଥିବା କଥା ଜଣାପଡିଛି। ଏହା ସହିତ ତା’ର କାର ଜବତ କରିଛି।

ଘଟଣା ସମ୍ପର୍କରେ ସ୍ବାତୀ ଟ୍ବିଟ୍‌ କରି କହିଛନ୍ତି ଯେ, ଗତକାଲି ବିଳମ୍ବିତ ରାତିରେ ସେ ଦିଲ୍ଲୀରେ ମହିଳାଙ୍କ ସୁରକ୍ଷା ସ୍ଥିତିର ଅନୁଧ୍ୟାନ କରୁଥିଲେ। ଏହି ସମୟରେ ଜଣେ କାର ଚାଳକ ନିଶାସକ୍ତ ଅବସ୍ଥାରେ ତାଙ୍କୁ ଅସଦାଚରଣ କରିଥିଲା। ସ୍ବାତୀ ସେହି ବ୍ୟକ୍ତିକୁ ବିରୋଧ କରିବା ସହ ତାକୁ ଧରି ନେଇଥିଲେ। ତେବେ ଚାଳକ ଜଣକ କାରର କାଚରେ ସ୍ବାତୀଙ୍କ ତାଙ୍କ ହାତକୁ ବନ୍ଦ କରି ୧୦-୧୫ ମିଟର ପର୍ଯ୍ୟନ୍ତ ଘୋଷାଡି ନେଇଥିଲା। ମାଲିଓ୍ବାଲ ଲେଖିଛନ୍ତି, ଭଗବାନ ଜୀବନ ବଞ୍ଚାଇ ଦେଲେ, ଯଦି ରାଜଧାନୀ ଦିଲ୍ଲୀରେ ମହିଳା କମିଶନ୍‌ ଅଧ୍ୟକ୍ଷା ସୁରକ୍ଷିତ ନୁହେଁ, ତେବେ ପରିସ୍ଥିତି କିଭଳି ଅଛି ଭାବି ନିଅନ୍ତୁ।

ମିଳିଥିବା ସୂଚନା ଅନୁସାରେ, ଘଟଣାଟି ବୁଧବାର ରାତି ୩ଟାରେ ଘଟିଛି। ସ୍ବାତୀ ଦିଲ୍ଲୀ ଏମ୍ସର ଗେଟ୍‌ ନମ୍ବର ୨ ପାଖରେ ଥିଲେ। ଏହି ସମୟରେ ଜଣେ କାର ଚାଳକ ତାଙ୍କୁ ନିଜ କାରରେ ବସିବାକୁ କହିଥିଲେ। ସ୍ବାତୀ ଯେତେବେଳେ କାର ଚାଳକଙ୍କୁ ରୋକିବାକୁ ଚେଷ୍ଟା କରିଥିଲେ ସେ କାରର କାଚକୁ ଉପରକୁ ଟେକି ଦେଇଥିଲା। ସ୍ବାତୀଙ୍କ ହାତ କାର ଭିତରେ ଫଶି ଯାଇଥିଲା ଓ କାର ଚାଳକ ତାଙ୍କୁ ୧୦ ରୁ ୧୫ ମିଟର ପର୍ଯ୍ୟନ୍ତ ଘୋଷାଡି ନେଇଥିଲା। ଘଟଣା ସମ୍ପର୍କରେ ସୂଚନା ପାଇବା ପ​‌ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।

Related Posts