ଭୁବନେଶ୍ୱର,୧୫/୬(ସତ୍ୟପାଠ ବ୍ୟୁରୋ): ଦେଶରେ ୟୁନିଫର୍ମ ସିଭିଲ କୋଡ ବା ସମାନ ନାଗରିକ ସଂହିତା ଲାଗୁ ନିମନ୍ତେ ବିଚାରବିମର୍ଶ ଆରମ୍ଭ ହୋଇଛି । ଭାରତର ୨୨ତମ ଆଇନ କମିଶନ ଏ ଦିଗରେ ନୂଆ ଉପାୟରେ ବିଚାର ବିମର୍ଶ ଆରମ୍ଭ କରିଛନ୍ତି । କମିଶନ ଏଥିପାଇଁ ମାନ୍ୟତାପ୍ରାପ୍ତ ଧାର୍ମିକ ସଙ୍ଗଠନ ଏବଂ ସାଧାରଣ ଜନତାଙ୍କ ଠାରୁ ୩୦ ଦିନ ମଧ୍ୟରେ ମତାମତ ଲୋଡିଛନ୍ତି ।
ଯେଉଁମାନେ ଏଥିରେ ରୁଚି ରଖୁଛନ୍ତି ସେମାନେ ନୋଟିସ ଜାରିର ଏକମାସ ମଧ୍ୟରେ ଇମେଲରେ ମତାମତ ପଠାଇପାରିବେ । ଏହାପୂବର୍ରୁ ୨୧ତମ ଆଇନ କମିଶନ ମଧ୍ୟ ଏ ଦିଗରେ ଅଧ୍ୟୟନ କରିଥିଲେ । ସେତେବେଳେ ୟୁସିସି ଉପରେ ଜନସାଧାରଣଙ୍କ ମତାମତ ଆଣିବା ଦିଗରେ ବିଚାର କରିବାର ଆବଶ୍ୟକତା ଥିବା କହିଥିଲେ । ସମାନ ନାଗରିକ ସଂହିତାର ଅର୍ଥ ହେଉଛି ଦେଶରେ ରହୁଥିବା ପ୍ରତି ନାଗରିକଙ୍କ ପାଇଁ ସମାନ ଆଇନ ଲାଗୁହେବା ।
ବ୍ୟକ୍ତି ଯେକୈାଣସି ଜାତି, ଧର୍ମର ହେଲେ ବି ସବୁ ଆଇନ ସେମାନଙ୍କ ପାଇଁ ସମାନ ଭାବେ ଲାଗୁ ହେବ । ବର୍ତ୍ତମାନ ଭାରତରେ ବିଭିନ୍ନ ଜାତି ଏବଂ ଧର୍ମ ଆଧାରରେ ଅଲଗା ଆଇନ ଏବଂ ବିବାହ ନିୟମ ରହିଛି । ଯେଉଁଥିପାଇଁ ଅନେକ ସମୟରେ ସାମାଜିକ ଢାଚାଂରେ ବିଭ୍ରାଟ ସୃଷ୍ଟି ହେବା ସହ ନ୍ୟାୟିକ ପ୍ରକ୍ରିୟା ପ୍ରଭାବିତ ହେଉଛି । ତେଣୁ ଦେଶରେ ସମାନ ନାଗରିକ ସଂହିତା ଲାଗୁ କରାଯିବା ପାଇଁ ବହୁଦିନରୁ ଦାବି ହୋଇଆସୁଛି ।





