ଭୁବନେଶ୍ୱର,୧୫/୫(ସତ୍ୟପାଠ ବ୍ୟୁରୋ): ଭାରତୀୟ କୁସ୍ତି ସଂଘ ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଧାରଣାରେ ବସିଥିବା ମହିଳା କୁସ୍ତି ଯୋଦ୍ଧାମାନେ ଏଥର ଦୁଇ ମହିଳା କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖି ସହଯୋଗ ଲୋଡ଼ିଛନ୍ତି। କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଓ ନିର୍ମଳା ସୀତାରମଣଙ୍କ ସମେତ ୪୧ ଜଣ ମହିଳା ବିଜେପି ସାଂସଦଙ୍କୁ ଚିଠି ଲେଖି ନ୍ୟାୟ ମାଗିଛନ୍ତି ମହିଳା କୁସ୍ତି ଯୋଦ୍ଧା।
ଏହି ଚିଠିରେ ଲେଖାଯାଇଛି ‘ମହିଳା କୁସ୍ତିଯୋଦ୍ଧାମାନେ ଭାରତୀୟ କୁସ୍ତି ସଂଘ ଅଧ୍ୟକ୍ଷଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହୋଇଛନ୍ତି। ସଂଘରେ ତାଙ୍କର ଦୀର୍ଘ ସମୟ ଧରି ଅଧ୍ୟକ୍ଷତାରେ କୁସ୍ତି ଯୋଦ୍ଧାମାନେ ଅନେକ ଥର ତାଙ୍କ ଦ୍ୱାରା ଯୌନ ଶୋଷଣର ଶିକାର ହୋଇଛନ୍ତି। ମଝିରେ ମଝିରେ ସ୍ୱର ଉଠାଇବାକୁ ଚେଷ୍ଟା କରିଥିଲେ ବି ଶକ୍ତି ଲଗାଇ ଦବାଇ ଦିଆଯାଇଥିଲା। ବର୍ତ୍ତମାନ ପାଣି ନାକ ଉପରେ ବହିଲାଣି। ମହିଳାଙ୍କ ସମ୍ମାନ ପାଇଁ ଲଢ଼ିବା ଛଡ଼ା ଆମ ପାଖରେ ଆଉ କୌଣସି ରାସ୍ତା ନାହିଁ।’
ଚିଠିରେ ଆହୁରି ମଧ୍ୟ କୁହାଯାଇଛି ଯେ ଆମେ ଦୀର୍ଘ ୨୦ ଦିନ ହେଲା ଅନ୍ୟାୟ ବିରୋଧରେ ଲଢ଼ୁଛି। ସଂସଦରେ ଶାସକ ଦଳର ମହିଳା ନେତ୍ରୀ ଭାବରେ ଆପଣଙ୍କ ପାଖରେ ଆମର ଅନେକ ଆଶା ଓ ଅନୁରୋଧ ରହିଛି। ଦୟାକରୀ ଆପଣମାନେ ଆମର ସ୍ୱର ହେଇ ଆମ ସମ୍ମାନ ରକ୍ଷା କରନ୍ତୁ। ଜନ୍ତରମନ୍ତର ଆସି ଆମକୁ ରାସ୍ତା ଦେଖାନ୍ତୁ ବୋଲି ମହିଳା କୁସ୍ତିଯୋଦ୍ଧାଙ୍କ ପକ୍ଷରୁ ଲେଖାଯାଇଥିବା ଚିଠିରେ ଲେଖାଯାଇଛି।





