ଭୁବନେଶ୍ବର : ଆରମ୍ଭ ହୋଇଛି ପଞ୍ଚୁକ । ରାଜ୍ୟର ସମସ୍ତ ଶୈବାଳୟରେ ଜମୁଛି ଭକ୍ତ ଙ୍କ ଭିଡ। ତେବେ ପଞ୍ଚୁକ ପରେ ଶ୍ରୀଲିଙ୍ଗରାଜ ମନ୍ଦିର ସିଂହଦ୍ବାରର କବାଟ ମରାମତି ହେବ । ନୂଆ କବାଟ ଖଞ୍ଜାଯିବା କାମ ଆରମ୍ଭ ହେବ । କେନ୍ଦ୍ର ପ୍ରତ୍ନତତ୍ତ୍ବ ବିଭାଗ(ଏଏସ୍ଆଇ) ପକ୍ଷରୁ ହେଉଥିବା ଏହି କାର୍ଯ୍ୟ ଆସନ୍ତା ୧୦ ତାରିଖରୁ ଆରମ୍ଭ ହେବ। ଏଥିପାଇଁ ସିଂହଦ୍ବାରକୁ ୧୫ ଦିନ ପାଇଁ ପୂରା ବନ୍ଦ ରଖାଯିବ। ତେଣୁ ସେବାୟତସମୂହ ଓ ଶ୍ରଦ୍ଧାଳୁମାନଙ୍କ ଯାତାୟାତ ପାଇଁ ମନ୍ଦିରର ଉତ୍ତରଦ୍ବାର ଖୋଲାରହିବ। ଏନେଇ ମନ୍ଦିର ପ୍ରଶାସନ ସମେତ ବିଭିନ୍ନ ନିଯୋଗକୁ ଏଏସ୍ଆଇ ପକ୍ଷରୁ ଚିଠି ଲେଖାଯାଇଛି ବୋଲି ସୂଚନା ଦିଆଯାଇଛି।
ମନ୍ଦିର ସିଂହଦ୍ବାରରେ ହେବାକୁ ଥିବା ଏହି କାମ ପାଇଁ କିଛି ଉଠା ଦୋକାନୀ ଓ ମନ୍ଦିର ଭିତରେ ଥିବା କିଛି ଭୋଗ ଦୋକାନକୁ ବାହାର କରିବାକୁ ଏଏସ୍ଆଇ ମଧ୍ୟ ମନ୍ଦିର ପ୍ରଶାସନକୁ ଚିଠି ଲେଖିଛି।
ସୂଚନାଯୋଗ୍ୟ ଯେ ଦୀର୍ଘ ଦିନ ହେଲା ସିଂହଦ୍ବାରର ଏହି ମୁଖ୍ୟ କବାଟ ଦୋହଲୁଛି। ତେଣୁ ନୂଆ କବାଟ ଲଗାଇବାକୁ ବହୁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା। ଏଏସ୍ଆଇ ଏଭିତରେ ବନ ଉନୟନ ନିଗମରୁ ଶାଗୁଆନ୍ କାଠ ଆଣି ନୂଆ କବାଟ ନିର୍ମାଣ କାମ ଶେଷ କରିଛି। ୧୫ଫୁଟ୍ ଲମ୍ବ ଓ ୫ ଫୁଟ୍ ଚଉଡ଼ାରେ କବାଟ ତିଆରି ହୋଇଛି ଏବଂ ୮୨ ଘନଫୁଟ ଶାଗୁଆନ୍ କାଠ ଲାଗିଛି। ପ୍ରଥମେ ପରୀକ୍ଷାମୂଳକ ଭାବେ କବାଟ ଝୁଲାଇଦିଆଯିବ। ସ୍ବତନ୍ତ୍ର କବ୍ଜା ନିର୍ମାଣ କରାଯାଇଛି ଏବଂ ଆବଶ୍ୟକ ହେଲେ କବାଟର ଓଜନକୁ ଦେଖି ବଡ଼ କବ୍ଜା ଲାଗିବ ବୋଲି ସ୍ଥିର କରାଯାଇଛି।
ରହିଗଲା ରୁପା ଛାଉଣି ପ୍ରସ୍ତାବ!
ଏଏସ୍ଆଇ ନୂଆ କବାଟ ନିର୍ମାଣ କାମ ଓ ଲଗାଇବାକୁ ପ୍ରସ୍ତୁତ ହୋଇସାରିଥିବା ବେଳେ କବାଟରେ ରୁପା ଛାଉଣି ହେବା ପ୍ରସ୍ତାବ ସେମିତି ରହିଯିବ ବୋଲି ଜଣାପଡ଼ିଛି। ପୂର୍ବ ଆଲୋଚନା ଅନୁଯାୟୀ ରାଜ୍ୟ ସରକାର କବାଟରେ ରୁପା ଛାଉଣି କରିବେ ବୋଲି ପ୍ରସ୍ତାବ ଦେଇଥିଲେ। ଏନେଇ ରାଜ୍ୟ ସରକାର ଓ ସେବାୟତମାନଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା। ତତ୍କାଳୀନ ବିଏମ୍ସି କମିସନର ସଂଜୟ ସିଂହଙ୍କ ପ୍ରସ୍ତାବ ପରେ ତାଙ୍କ ସହ ଦୁଇ ଥର ବୈଠକ ମଧ୍ୟ ହୋଇଥିଲା। କିଏ କବାଟ ଛାଉଣି ପାଇଁ ଏହି ରୁପା ଦେବ, ତାହା ପ୍ରଶାସନ କିମ୍ବା ବିଏମ୍ସି କମିସନର ପ୍ରକାଶ କରିନଥିଲେ। ଅବଶ୍ୟ ଏଥିପାଇଁ ବିଭିନ୍ନ ଦାତାଙ୍କୁ ଅନୁରୋଧ କରାଯାଇଥିଲା ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ କବାଟ ତିଆରି ହୋଇସାରିଥିବା ବେଳେ ରୁପା ଛାଉଣି ହେବାର ବାସ୍ନା ଜଣାପଡ଼ୁନାହିଁ। ଏଣେ ଏଏସ୍ଆଇ ଅଧିକାରୀ ଅରୁଣ କୁମାର ମଲ୍ଲିକ କହିଛନ୍ତି ଯେ ଯଦି କେହି କବାଟରେ ରୁପା ଛାଉଣି କରିବାର ଅଛି, ତୁରନ୍ତ କରାଇନିଅନ୍ତୁ। ନଚେତ୍ ପୁରୁଣା ପିତ୍ତଳ ଛାଉଣି ଦେଇ ନୂଆ କବାଟକୁ ଲଗାଇ ଦିଆଯିବ। ସୂଚନା ଥାଉକି ୧୯୮୦ ମସିହାରେ ଏହି କବାଟରେ ପିତ୍ତଳ ଛାଉଣି କରାଯାଇଥିଲା ।





