ଲୋଇସିଂହାର ବିଜେପି ବିଧାୟକ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଉପରକୁ ଆକ୍ରମଣ: ୨ ଗୁରୁତର

ବଲାଙ୍ଗିର: ବିଜେପି ବିଧାୟକଙ୍କ ଉପରକୁ ଆକ୍ରମଣ | ଲୋଇସିଂହାର ବିଜେପି ବିଧାୟକ ମୁକେଶ ମହାଲିଙ୍ଗଙ୍କ ଗାଡ଼ିକୁ ଆକ୍ରମଣ କରିଛନ୍ତି ଦୁର୍ବୁତ୍ତ | ଫଳରେ ଏହି ଆକ୍ରମଣରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି | ଆହତ ମାନଙ୍କୁ ଗୁରୁତର ଅବସ୍ଥାରେ ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପଛ ସିଟ୍‌ରେ ବିଧାୟକ ବସିଥିବାରୁ ସେ ସୁରକ୍ଷିତ ଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ବଲାଙ୍ଗିର- ସମ୍ବଲପୁର ଜାତୀୟ ରାଜପଥ ୨୬ରେ ବୁର୍ଡା ଛକରେ ବିଧାୟକଙ୍କ ଗାଡ଼ି ଉପରକୁ ଦୁଇ ଜଣ ଯୁବକ ଢେଲା ପଥର ମାଡ଼ କରିବା ସହ ବିଧାୟକଙ୍କ ପିଏସ୍‌ଓ ଓ ଗାଡ଼ି ଡ୍ରାଇଭରକୁ ଆକ୍ରମଣ କରିଛନ୍ତି। ପିଏସ୍‌ଓ ଶଂକର ବରିହା ଓ ଡ୍ରାଇଭର ଦେବରାଜ ନାଗଙ୍କୁ ଗୁରୁତର ଅବସ୍ଥାରେ ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପଛ ସିଟ୍‌ରେ ବିଧାୟକ ବସିଥିବାରୁ ସେ ସୁରକ୍ଷିତ ଥିବା ସୂଚନା ମିଳିଛି। ଆଜି ବିଧାୟକ ମହାଲିଙ୍ଗ ବାଦିବାହାଲ ଗାଁରେ ଏକ କାର୍ଯ୍ୟକ୍ରମ ସାରି ନିଜ ଗାଁ ନଅଗାଁ(ଖ) କୁ ଫେରୁଥିଲେ। ଏହି ସମୟରେ ବୁର୍ଡା ଛକ ଠାରେ ଦୁଇଜଣ ଯୁବକ ଆସି ବିଧାୟକଙ୍କ ଗାଡ଼ି ସାମ୍ନାରେ ବାଇକ୍‌ ରଖି ଦେଇଥିଲେ। ବିଧାୟକଙ୍କ ପିଏସ୍‌ଓ ଓ ଡ୍ରାଇଭର ଯୁବକଦ୍ୱୟଙ୍କୁ ଗାଡ଼ି ଆଗରୁ ବାଇକ୍‌ ହଟାଇବା ପାଇଁ କହିଥିଲେ। ଏହାପରେ ସେମାନେ ଢେଲାପଥର ମାଡ଼ କରିବା ସହ ପିଏସ୍‌ଓ ଓ ଡ୍ରାଇଭରକୁ ଆକ୍ରମଣ କରିଥିଲେ। ପିଏସ୍‌ଓ ଓ ଡ୍ରାଇଭର ତଳେ ପଡ଼ିଯିବା ଦେଖି ବିଧାୟକ ଗାଡ଼ିରୁ ବାହାରି ଆସିଥଲେ। ଏହାପରେ ଯୁବକଦ୍ୱୟ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଲୋଇସିଂହା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ବିଧାୟକ ମୁକେଶ ମହାଲିଙ୍ଗ କହିଛନ୍ତି, ବୁର୍ଡା ଛକରେ ଦୁଇ ଜଣ ଯୁବକ ବାଇକରେ ଆସି ଗାଡ଼ିକୁ ଅଟକାଇଥିଲେ। ଗାଡ଼ି କାହିଁକି ଅଟକାଉଛ ବୋଲି ମୋ ପିଏସ୍ଓ ସେମାନଙ୍କୁ ପଚାରିଥିଲେ। ଏତିକିରେ ଉଭୟ ଚିହିଁକି ପିଏସ୍ଓଙ୍କୁ ମାଡ଼ ମାରିଥିଲେ। ପିଏସ୍ଓଙ୍କୁ ମାଡ଼ ହେଉଥିବା ଦେଖି ଡ୍ରାଇଭର ସେମାନଙ୍କୁ ରୋକିଥିଲେ। ସେମାନେ ଡ୍ରାଇଭରଙ୍କୁ ବି ଛାଡ଼ି ନଥିଲେ, ତାଙ୍କୁ ବି ମାଡ଼ ମାରିଥିଲେ। ଉଭୟଙ୍କୁ ସେମାନେ ମାରୁଥିବା ବେଳେ ମୁଁ ଗାଡ଼ିରୁ ଓହ୍ଲାଇଥିଲି। ମୋତେ ଚିହ୍ନିଛ କି ବୋଲି ପଚାରିବାରୁ, ସେମାନେ ଦଉଡ଼ି ପଳାଇଥିଲେ।

ସେ ଆହୁରି କହିଛନ୍ତି, ଘଟଣା ସଂପର୍କରେ ମୁଁ ଏସ୍‌ପିଙ୍କୁ ଫୋନ୍ କରି ଜଣାଇଥିଲି। ହେଲେ ଆଇଆଇସି ସେଠାରେ ଆସି ପହଞ୍ଚିଥିଲେ। ସଂପୃକ୍ତ ଯୁବକଙ୍କୁ ଖୋଜା ଚାଲିଥିବା ପୁଲିସ କହିଛି। ଉଭୟ ପିଏସ୍ଓ ଓ ଡ୍ରାଇଭର ଆହତ ହୋଇ ହସ୍ପିଟାଲରେ ଅଛନ୍ତି। କାହା ସହ ମୋର ବ୍ୟକ୍ତିଗତ ଶତ୍ରୁତା ନଥିବା ବେଳେ, ରାଜନୈତିକ ଶତ୍ରୁତା ପାଇଁ ଏପରି ଘଟଣା ଘଟିଥିବା ଅନୁମାନ କରାଯାଉଛି |

Related Posts