ଭୁବନେଶ୍ୱର, ୧୨ ମାର୍ଚ୍ଚ: ରାଜ୍ୟରେ ବିଜେପି ସରକାର ଗଠନ ପରଠାରୁ ବାଲି ମାଫିଆଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିଚାଲିଥିବା ବେଳେ ସ୍ଥାନୀୟ ବିଜେପି ନେତାଙ୍କ ପ୍ରୋତ୍ସାହନ ଓ ଭାଗିଦାରୀରେ ଲଘୁ ଖଣିଜ ସମ୍ପଦର ବ୍ୟାପକ ଲୁଟ୍ ଚାଲିଛି ବୋଲି ବିଜୁ ଜନତା ଦଳ (ବିଜେଡି) ଗୁରୁତର ଅଭିଯୋଗ କରିଛି। ଆଜି ଭୁବନେଶ୍ୱରସ୍ଥିତ ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ନେତାମାନେ ଏହି ଅଭିଯୋଗ ଉଠାଇଥିଲେ।ଏହି ସାମ୍ବାଦିକ ସମ୍ମିଳନୀରେ ପୁରୀ ଜିଲ୍ଲା ବିଜେଡି ସଭାପତି ଓ ପୂର୍ବତନ ବିଧାୟକ ଉମାକାନ୍ତ ସାମନ୍ତରାୟ, ପୂର୍ବତନ ବିଧାୟକ ରୁଦ୍ର ପ୍ରସାଦ ମହାରଥୀ ଏବଂ ଛାତ୍ର ବିଜେଡିର ସଭାନେତ୍ରୀ ଇପ୍ସିତା ସାହୁ ଉପସ୍ଥିତ ଥିଲେ। ସେମାନେ କହିଥିଲେ ଯେ ରାଜ୍ୟର ବିଭିନ୍ନ ସ୍ଥାନରେ ବାଲି ଓ ମୋରମ ଭଳି ଲଘୁ ଖଣିଜ ସମ୍ପଦର ଅବୈଧ ଉତ୍ତୋଳନ ଚାଲିଛି ଏବଂ ଏଥିରେ ବାଲି ମାଫିଆମାନଙ୍କ ସହ ବିଜେପି ନେତା ଓ କର୍ମୀମାନଙ୍କ ଯୋଗସାଜସ୍ତା ରହିଛି।ରୁଦ୍ର ପ୍ରସାଦ ମହାରଥୀ କହିଥିଲେ ଯେ ପିପିଲି–ଡେଲାଙ୍ଗ ନିର୍ବାଚନ ମଣ୍ଡଳୀରେ ଜଣେ ସ୍ଥାନୀୟ ବିଜେପି ନେତାଙ୍କ ଧମକ ଭିଡିଓ ଭାଇରାଲ ହୋଇଛି। ସେହି ଭିଡିଓରେ ସାମ୍ବାଦିକମାନେ ବାଲି ଉଠୁଥିବା ସ୍ଥାନକୁ ଆସିଲେ ତାଙ୍କ କ୍ୟାମେରା ଭାଙ୍ଗିଦେବା ସହିତ ଭୟଙ୍କର ପରିଣାମ ହେବ ବୋଲି ଧମକ ଦେଉଥିବା ଦେଖାଯାଇଛି। ସେହି ବ୍ୟକ୍ତିଙ୍କ ଫଟୋ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀଙ୍କ ସହ ରହିଥିବାକୁ ଦେଖାଇ ସେ ବିଜେପି ନେତାଙ୍କ ସମ୍ପୃକ୍ତି ଉପରେ ପ୍ରଶ୍ନ ଉଠାଇଥିଲେ।ସେ ଆହୁରି କହିଥିଲେ ଯେ ମାର୍ଚ୍ଚ ୧୦ ତାରିଖ ରାତିରେ ବାଲି ଚୋରି ସମ୍ପର୍କିତ ଖବର ପାଇ ପୁରୀ ଜିଲ୍ଲା ଖଣି ଅଧିକାରୀ ସମୀର କୁମାର ମିଶ୍ର ପୋଲିସ ସହ ଘଟଣାସ୍ଥଳକୁ ଯାଉଥିବା ସମୟରେ ତାଙ୍କ ଗାଡ଼ିକୁ ଅଟକାଇ ଆକ୍ରମଣ କରାଯାଇଥିଲା। ଏନେଇ ପିପିଲି ଥାନାରେ ଏଫଆଇଆର ଦାଖଲ ହୋଇଥିଲେ ମଧ୍ୟ ୪୦ ଘଣ୍ଟା ବିତିଯାଇଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ।ଉମାକାନ୍ତ ସାମନ୍ତରାୟ କହିଥିଲେ ଯେ ରାଜ୍ୟରେ ବିଜେପି ସରକାର ଆସିବା ପରେ ପୁରୀ ଜିଲ୍ଲା ସମେତ ସମଗ୍ର ରାଜ୍ୟରେ ବାଲି ଓ ଅନ୍ୟାନ୍ୟ ଲଘୁ ଖଣିଜ ସମ୍ପଦର ଲୁଟ୍ ବଢ଼ିଛି। ମୁଖ୍ୟମନ୍ତ୍ରୀ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହୁଥିଲେ ମଧ୍ୟ ପ୍ରକୃତରେ କୌଣସି ପଦକ୍ଷେପ ନିଆଯାଉନାହିଁ ବୋଲି ସେ ଅଭିଯୋଗ କରିଥିଲେ।ଛାତ୍ର ବିଜେଡି ସଭାନେତ୍ରୀ ଇପ୍ସିତା ସାହୁ କହିଥିଲେ ଯେ ବାଲି ଚୋରି ଫଳରେ ନଦୀମାନଙ୍କ ଗତିପଥ ପରିବର୍ତ୍ତନ ହେଉଛି ଏବଂ ପରିବେଶ ଉପରେ ଗୁରୁତର ପ୍ରଭାବ ପଡ଼ୁଛି। ପିପିଲି–ଡେଲାଙ୍ଗ ଅଞ୍ଚଳରେ ବାଲି ଚୋରି ସମ୍ପର୍କିତ ଘଟଣାରେ ଜଣେ ସାମ୍ବାଦିକାଙ୍କ ମୃତ୍ୟୁ ଓ ଏକ ହାଇୱା ଧକ୍କାରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବାକୁ ଉଦାହରଣ ଦେଇ ସେ କହିଥିଲେ ଯେ ଏହି ଅବୈଧ କାରବାରରେ ସ୍ଥାନୀୟ ବିଜେପି ନେତାଙ୍କ ଭୂମିକା ରହିଛି।ବିଜେଡି ଏହି ସମସ୍ତ ଘଟଣାର ନିଷ୍ପକ୍ଷ ତଦନ୍ତ ସହ ଦୋଷୀଙ୍କ ବିରୋଧରେ ଶୀଘ୍ର କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛି।





