ଆସନ୍ତା ୧୮ରେ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା, ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇପାରେ ପ୍ରବଳରୁ ଅତିପ୍ରବଳ ବର୍ଷା

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆସୁଛି ଆଉ ଏକ ଲଘୁଚାପ । ଆସନ୍ତା ୧୮ ତାରିଖ ବେଳକୁ ଏହି ଲଘୁଚାପ ଆସିବା ସମ୍ଭାବନା । ଯାହାଫଳରେ ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ।

ଖବର ଅନୁଯାୟୀ, ଉତ୍ତର-ପୂର୍ବ ତତ୍‌ ସଂଲଗ୍ନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳର ସମୁଦ୍ର ମଧ୍ୟରେ ବାୟୁମଣ୍ଡଳର ୪.୫ ରୁ ୭.୬କିମି ଉଚ୍ଚତା ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି ।ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ବଙ୍ଗୋପସାଗର ଅଞ୍ଚଳର ଆସନ୍ତା ୧୮ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସମ୍ଭାବନା ରହିଛି । ଯାହାଫଳରେ ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ଅନୁମାନ କରାଯାଉଛି ।

ସୂଚନାଯୋଗ୍ୟ ଯେ, ବୁଧବାରଠୁ ୪ ଦିନ ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ବୋଲି ଅନୁମାନ କରାଯାଇଛି । ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବୁଧବାର ଦିନ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ଦେବଗଡ଼, ଢେଙ୍କାନାଳ, ସୋନପୁର, ଅନୁଗୁଳ, ବଲାଙ୍ଗୀର, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାରେ କେତେକ ସ୍ଥାନରେ ବର୍ଷା ସହ ଘଡ଼ଘଡ଼ି ଓ ବଜ୍ରପାତ ହୋଇପାରେ । ସେହିପରି ଗୁରୁବାର ଦିନ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଂଜାମ, ଗଜପତି ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ୧୮ ଓ ୧୯ ତାରିଖରେ ମଧ୍ୟ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।

Related Posts