ୟୁପିରେ ବିଜେପି ସରକାର ଥିବା ପର୍ଯ୍ୟନ୍ତ କାହାକୁ ବି ଧମକାଇ ପାରିବେନି ମାଫିଆ: ଯୋଗୀ ଆଦିତ୍ୟନାଥ

ଭୁବନେଶ୍ୱର,୧୮/୪(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶର ବହୁଚର୍ଚ୍ଚିତ ଗ୍ୟାଙ୍ଗଷ୍ଟର ଅତିକ ଅହମ୍ମଦ ଓ ତାର ଭାଇ ଅଶରଫର ହତ୍ୟାକାଣ୍ଡ ପରେ ମାଫିଆଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।ୟୁପିରେ ୨୦୧୨ରୁ ୨୦୧୭ ମଧ୍ୟରେ ୭୦୦ରୁ ଅଧିକ ଦଙ୍ଗା ହୋଇଥିଲା । ହେଲେ ୨୦୧୭ରୁ ୨୦୨୩ ମଧ୍ୟରେ ୟୁପିରେ ଗୋଟିଏ ବି ଦଙ୍ଗା ହୋଇନାହିଁ । ରାଜ୍ୟରେ ବିଜେପି ସରକାର ଥିବା ପର୍ଯ୍ୟନ୍ତ ଆଉ କାହାକୁ ବି ମାଫିଆମାନେ ଡରାଇ ଧମକାଇ ପାରିବେ ନାହିଁ ବୋଲି ଯୋଗୀ କହିଛନ୍ତି।

ଆଜି ଲକ୍ଷ୍ନୌର ଟେକ୍ସଟାଇଲ ପାର୍କରେ ଏକ ଚୁକ୍ତିପତ୍ର ସ୍ବାକ୍ଷର କରିବା ସମୟରେ କଡ଼ା ଚେତାବନୀ ଦେଇ ଯୋଗୀ କହିଛନ୍ତି, ଉତ୍ତରପ୍ରଦେଶରେ ୨୦୦୭ରୁ ୨୦୧୨ ମଧ୍ୟରେ ୩୬୪ରୁ ଅଧିକ ଦଙ୍ଗା ହୋଇଥିଲା । ଏପରିକି ୨୦୧୨ରୁ ୨୦୧୭ ମସିହା ମଧ୍ୟରେ ପ୍ରାୟ ୭୦୦ରୁ ଅଧିକ ଦଙ୍ଗା ହୋଇଥିଲା । ହେଲେ ୨୦୧୭ରୁ ୨୦୨୩ ମଧ୍ୟରେ ୟୁପିରେ ଗୋଟିଏ ବି ଦଙ୍ଗା ହୋଇନାହିଁ । ଗୋଟିଏ ଥର ବି କର୍ଫ୍ୟୁ ଲାଗିନାହିଁ କି ଏପରି ହେବାର ପରିସ୍ଥିତି ମଧ୍ୟ ଉପୁଜିନାହିଁ । ରାଜ୍ୟରେ ବିଜେପି ସରକାର ଥିବା ପର୍ଯ୍ୟନ୍ତ ମାଫିଆମାନେ କାହାକୁ ବି ଡରାଇ ଧମକାଇ ପାରିବେ ନାହିଁ ବୋଲି ଯୋଗୀ କହିଛନ୍ତି।

ସେହିପରି ଉତ୍ତରପ୍ରଦେଶ ଅପରାଧର ହବ୍‌ ବୋଲି ସାରା ଦେଶରେ କୁଖ୍ୟାତି ଅର୍ଜନ କରିଥିଲା । ମାତ୍ର ରାଜ୍ୟରେ ବିଜେପି ସରକାର ଆସିବା ପରଠୁ ରାଜ୍ୟର ଆଇନ ଶୃଙ୍ଖଳାରେ ପରିବର୍ତ୍ତନ ଆସିଛି । ଏବେ ଫୋନରେ କୌଣସି ବ୍ୟବସାୟୀଙ୍କୁ ମାଫିଆମାନେ ଭୟଭୀତ କରିପାରିବେ ନାହିଁ ବୋଲି କହିଛନ୍ତି ଯୋଗୀ । ଗ୍ୟାଙ୍ଗଷ୍ଟାର ଅତିକର ହତ୍ୟାକାଣ୍ଡର ୩ ଦିନ ପରେ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ର ଏପରି ପ୍ରତିକ୍ରିୟା ସାମ୍ନାକୁ ଆସିଛି ।

ସୂଚନାଯୋଗ୍ୟ ଯେ, ଗତ ୧୫ ତାରିଖରେ ୩ଜଣ ଦୁର୍ବୃତ୍ତ ଗଣମାଧ୍ୟମ ପ୍ରତିନିଧିଙ୍କ ବେଶରେ ଆସି ମାଫିଆ ବ୍ରଦର୍ସ ଅତିକ ଓ ଅଶରଫଙ୍କ ଉପରେ ଅତର୍କିତ ଗୁଳିମାଡ଼ କରିଥିଲେ । ପୋଲିସ କିଛି ଜାଣିବା ପୂର୍ବରୁ ଅତିକ ଓ ଅଶରଫର ମୃତ୍ୟୁ ଘଟିସାରିଥିଲା । ଏହାପରେ ପୋଲିସ ସୁଟରମାନଙ୍କୁ କାବୁ କରିଥିଲା । ତେବେ ସେମାନେ ଗ୍ୟାଙ୍ଗଷ୍ଟାର ହେବେ ବୋଲି ଅତିକ ଓ ଅଶ୍ରଫକୁ ହତ୍ୟା କରିଥିବା କହିଥିଲେ । ଏହି ହତ୍ୟାକାଣ୍ଡ ନେଇ ବିରୋଧୀ ପୋଲିସ ଓ ରାଜ୍ୟର ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନ ଉଠାଇଥିବା ବେଳେ ଏପଟେ ରାଜ୍ୟ ସରକାର ଘଟଣାରେ ନ୍ୟାୟିକ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Related Posts