ଘଟଗାଁ ରେଞ୍ଜ୍‌ରେ ବୁଲୁଛି ମହାବଳ ବାଘ, କ୍ୟାମେରାରେ କଏଦ ହେଲା ଫଟୋ

ଭୁବନେଶ୍ଵର,୨୮/୨(ସତ୍ୟପାଠ ବ୍ୟୁରୋ): କେନ୍ଦୁଝର ଜିଲ୍ଲା ପାଟଣା ଏବଂ ଘଟଗାଁ ରେଞ୍ଜ୍‌ ଅଞ୍ଚଳରେ ବୁଲୁଛି ମହାବଳ ବାଘ। ଗତକିଛି ଦିନ ଧରି ଆଶଙ୍କା ଭିତରେ ଜନସାଧାରଣ ରହୁଥିବା ବେଳେ ବାଘ ବୁଲୁଥିବା ନେଇ ସୋମବାର ପିସିସିଏଫ୍ ଏସକେ ପୋପଲି ଗଣମାଧ୍ୟମ ସମ୍ମୁଖରେ ସ୍ପଷ୍ଟ କରିଛନ୍ତି। ଘଟଗାଁ ରେଞ୍ଜ୍‌ କାଦବାହାଳି ନିକଟରେ ମହାବଳ ବାଘର ଫଟୋ କ୍ୟାମେରାରେ କଏଦ ହୋଇଛି। ବାଘଟିର ବୟସ ୩ରୁ ୪ ବର୍ଷ ହେବ ଓ ସେ ଶିମିଳିପାଳରୁ ଚାଲିଆସିଥିବା ନେଇ ସେ ସୂଚନା ଦେଇଛନ୍ତି। କଏଦ ମହାବଳ ବାଘର ଫଟୋ ଗଣମାଧ୍ୟମରେ ପ୍ରସାରିତ ହେବାପରେ ଏବେ ଜିଲ୍ଲାର ଜନସାଧାରଣଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି।

ସୂଚନା ‌ଅନୁସାରେ, ପାଟଣା ରେଞ୍ଜ୍‌ରେ ଗତ କିଛି ମାସଧରି ବାଘ ବୁଲୁଥିବା ନେଇ ଆତଙ୍କ ଲାଗି ରହିଛି। ମଇଁଷି ଏବଂ ଛେଳିକୁ ବାଘ ମାରି ଖାଇଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଜୋର୍‌ଦାର୍‌ ଚର୍ଚ୍ଚା ହୋଇଥିଲା। ବନ ବିଭାଗ ଏହାକୁ ସ୍ବୀକାର କରୁ ନଥିଲା। ଗତ ୨ ତାରିଖରେ ପାଟଣା ବନାଞ୍ଚଳର ରୋହିଣୀବୁମା ଗ୍ରାମର ଅନନ୍ତ ମାଝୀଙ୍କୁ ଜଙ୍ଗଲୀ ଜନ୍ତୁ ଆକ୍ରମଣ କରିବାରୁ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଜଙ୍ଗଲୀ ଜନ୍ତୁ ବାଘ ବୋଲି ସ୍ଥାନୀୟ ଲୋକେ କହିବା ସତ୍ତ୍ବେ ବନବିଭାଗ ଏହାକୁ ସ୍ବୀକାର କରିନାହିଁ। ତେବେ, ଗତ କିଛିଦିନ ହେବ ପାଟଣା ଏବଂ ଘଟଗାଁ ବନାଞ୍ଚଳ ସହିତ ଅଟେଇ ସଂରକ୍ଷିତ ଜଙ୍ଗଲରେ ଲୋକେ ଯାତାୟାତ କରୁଥିବା ରାସ୍ତାକୁ ବନ ବିଭାଗ ବନ୍ଦ କରିବା ସହିତ ଜଙ୍ଗଲର ବିଭିନ୍ନ ସ୍ଥାନରେ କ୍ୟାମେରା ଲଗାଇଥିଲା। ଏହି କ୍ୟାମେରାରେ ମହାବଳ ବାଘ ଚଳପ୍ରଚଳ ହେଉଥିବା ଜଣାପଡ଼ିଛି। ଏହି ବାଘଟି ଶିମିଳିପାଳରୁ ଆସି କରଞ୍ଜିଆ, ଘଟଗାଁ ଦେଇ ସାତକୋଶିଆକୁ ଚଳପ୍ରଚଳ ହେଉଥିବା ପିସିସିଏଫ୍‌ ସୂଚନା ଦେଇଛନ୍ତି।

Related Posts