ମହାନଦୀ ଜଳ ବିବାଦ: ରାୟଗଡ଼ରେ ଟ୍ରିବ୍ୟୁନାଲ ସଦସ୍ୟ, ଆଜି କେଲୋ ଡ୍ୟାମ୍ ଓ କଲମା ବ୍ୟାରେଜ୍ ପରିଦର୍ଶନ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ମହାନଦୀ ଜଳ ବିବାଦ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ପୂର୍ବରୁ ଟ୍ରିବ୍ୟୁନାଲର ଅଧ୍ୟକ୍ଷା ଓ ସଦସ୍ୟମାନେ ଛତିଶଗଡ଼ର ରାୟଗଡ଼ ଜିଲ୍ଲାରେ ପହଞ୍ଚି ବିଭିନ୍ନ ଜଳ ପ୍ରକଳ୍ପର ସ୍ଥଳ ପରିଦର୍ଶନ ଆରମ୍ଭ କରିଛନ୍ତି। ମଙ୍ଗଳବାର (୧୦ ମାର୍ଚ୍ଚ) ସେମାନେ କେଲୋ ଡ୍ୟାମ୍ ଓ କଲମା ବ୍ୟାରେଜ୍‌ର ଅବସ୍ଥା ଅନୁଧ୍ୟାନ କରିବେ। ଏହି ପରିଦର୍ଶନକୁ ମହାନଦୀ ଜଳ ବଣ୍ଟନ ବିବାଦରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଦେଖାଯାଉଛି।

ଟ୍ରିବ୍ୟୁନାଲର ଅଧ୍ୟକ୍ଷା ପୂର୍ବତନ ସୁପ୍ରିମକୋର୍ଟ ନ୍ୟାୟାଧୀଶ ଜଷ୍ଟିସ୍ ବେଲା ଏମ୍. ତ୍ରିବେଦୀ, ସଦସ୍ୟ ଜଷ୍ଟିସ୍ ଡଃ ରବି ରଞ୍ଜନ ଓ ଜଷ୍ଟିସ୍ ଇନ୍ଦରମିତ କୌର କୋଚର ସହ ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କ ଅଧିକାରୀମାନେ ମଧ୍ୟ ଏହି ଗ୍ରସ୍ତରେ ସାମିଲ ହୋଇଛନ୍ତି। ସୋମବାର ସେମାନେ ଜିନ୍ଦଲ ଏୟାରଷ୍ଟ୍ରିପ୍‌ରେ ପହଞ୍ଚିବା ପରେ ରାୟଗଡ଼ ଓ ଶକ୍ତି ଜିଲ୍ଲାର ବିଭିନ୍ନ ଡ୍ୟାମ୍ ଓ ବ୍ୟାରେଜ୍‌ର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି।

ମହାନଦୀ ଜଳ ବିବାଦର ମୂଳ କାରଣ ହେଉଛି ଛତିଶଗଡ଼ରେ ମହାନଦୀ ଓ ଏହାର ଶାଖା ନଦୀଗୁଡ଼ିକରେ ନିର୍ମିତ ବ୍ୟାରେଜ୍ ଓ ଡ୍ୟାମ୍। ଓଡ଼ିଶା ସରକାରଙ୍କ ଅଭିଯୋଗ ଅନୁସାରେ, ଏହି ପ୍ରକଳ୍ପଗୁଡ଼ିକ ଯୋଗୁଁ ହୀରାକୁଦ ଜଳଭଣ୍ଡାରକୁ ଆସୁଥିବା ପାଣିର ପ୍ରବାହ କମିଯାଉଛି। ବିଶେଷକରି ଅଣ-ମୌସୁମୀ ସମୟରେ ଜଳ ପ୍ରବାହ ଅତ୍ୟନ୍ତ କମ୍ ହେଉଥିବାରୁ ଓଡ଼ିଶାର କୃଷି, ପାନୀୟଜଳ ଓ ଶିଳ୍ପ ଖାତାରେ ପ୍ରଭାବ ପଡ଼ୁଛି।

ଅନ୍ୟପଟେ ଛତିଶଗଡ଼ ସରକାର କହିଛନ୍ତି ଯେ, ଏହି ବ୍ୟାରେଜ୍‌ଗୁଡ଼ିକ ମାଧ୍ୟମରେ ଶିଳ୍ପ କାରଖାନା ଓ ଜଳ ଜୀବନ ମିଶନ ଭଳି ପ୍ରକଳ୍ପକୁ ପାଣି ଯୋଗାଣ କରାଯାଉଛି।

ମହାନଦୀ ଜଳ ବିବାଦର ସମାଧାନ ପାଇଁ ସୁପ୍ରିମକୋର୍ଟର ନିର୍ଦ୍ଦେଶକ୍ରମେ କେନ୍ଦ୍ର ସରକାର ଏହି ଟ୍ରିବ୍ୟୁନାଲ୍ ଗଠନ କରିଥିଲେ। ଟ୍ରିବ୍ୟୁନାଲର କାର୍ଯ୍ୟକାଳ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ରହିଛି ଏବଂ ଏହାର ପୂର୍ବରୁ ଚୂଡ଼ାନ୍ତ ରାୟ ଦେବାକୁ ଥିବାରୁ ଏହି ସ୍ଥଳ ପରିଦର୍ଶନକୁ ଅତ୍ୟନ୍ତ ଗୁରୁତ୍ୱ ଦିଆଯାଉଛି।

Related Posts