ବହୁ ପ୍ରତିକ୍ଷିତ ମହାନଦୀ ଜଳ ବିବାଦର ସମାଧାନ ପାଇଁ ଏବେ ତତ୍ପରତା ପ୍ରକାଶ ପାଇଛି। ଚୂଡ଼ାନ୍ତ ନିଷ୍ପତ୍ତି ପୂର୍ବରୁ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍ର ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆଜି ଛତିଶଗଡ଼ର ରାୟଗଡ଼ ଜିଲ୍ଲାରେ ପହଞ୍ଚି ବିଭିନ୍ନ ଜଳ ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ କରିଛନ୍ତି। ବିଶେଷ କରି ଓଡ଼ିଶା ସୀମାକୁ ଲାଗି ରହିଥିବା କଲମା ବ୍ୟାରେଜ୍ ଓ କେଲୋ ଡ୍ୟାମ୍ର ବାସ୍ତବ ସ୍ଥିତି ପରଖିଛି ଟ୍ରିବ୍ୟୁନାଲ୍।ଟ୍ରିବ୍ୟୁନାଲ୍ ଅଧ୍ୟକ୍ଷା ତଥା ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ବେଲା ଏମ୍. ତ୍ରିବେଦୀଙ୍କ ନେତୃତ୍ୱରେ ଆସିଥିବା ଏହି ଟିମ୍ରେ ସଦସ୍ୟ ଜଷ୍ଟିସ୍ ଡଃ ରବି ରଞ୍ଜନ ଓ ଜଷ୍ଟିସ୍ ଇନ୍ଦରମିତ କୌର କୋଚର ସାମିଲ ଅଛନ୍ତି। ମଙ୍ଗଳବାର ପୂର୍ବାହ୍ନରେ ଟିମ୍ କେଲୋ ଡ୍ୟାମ୍ ପରିଦର୍ଶନ କରିବା ସହ ଅପରାହ୍ନରେ କଲମା ବ୍ୟାରେଜ୍ର ଗେଟ୍ ପରିଚାଳନା ଓ ଜଳ ସଂରକ୍ଷଣ କ୍ଷମତାର ଯାଞ୍ଚ କରିଛନ୍ତି। ଏହି ସମୟରେ ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କ ବରିଷ୍ଠ ଜଳ ସମ୍ପଦ ଅଧିକାରୀ ଓ ବୈଷୟିକ ବିଶେଷଜ୍ଞମାନେ ମଧ୍ୟ ଉପସ୍ଥିତ ଥିଲେ।ସୂଚନାଯୋଗ୍ୟ ଯେ, ଛତିଶଗଡ଼ ସରକାର ମହାନଦୀର ଉପରମୁଣ୍ଡରେ ଏକାଧିକ ବ୍ୟାରେଜ୍ ନିର୍ମାଣ କରି ଜଳ ଅଟକାଉଥିବାରୁ ହୀରାକୁଦ ଜଳଭଣ୍ଡାରକୁ ଆସୁଥିବା ପାଣିର ପରିମାଣ କ୍ରମାଗତ ଭାବେ ହ୍ରାସ ପାଉଛି। ବିଶେଷ କରି ଅଣମୌସୁମୀ ସମୟରେ ପାଣି ନଛାଡ଼ିବା ଫଳରେ ଓଡ଼ିଶାରେ କୃଷି, ପାନୀୟ ଜଳ ଓ ଶିଳ୍ପ କ୍ଷେତ୍ରରେ ସଂକଟ ଦେଖାଦେଉଛି। ଏହି ଟ୍ରିବ୍ୟୁନାଲ୍ ଟିମ ଉଭୟ ଓଡିଶା ଓଃ ଛତିଶଗଡ ପରିଦର୍ଶନ କରି ରିପୋର୍ଟ ପ୍ରସ୍ତୁତ କରୁଛି।ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗଠିତ ଏହି ଟ୍ରିବ୍ୟୁନାଲ୍ର କାର୍ଯ୍ୟକାଳ ୨୦୨୬ ଏପ୍ରିଲ ପର୍ଯ୍ୟନ୍ତ ରହିଛି। ଏହାପୂର୍ବରୁ ସମସ୍ତ ତଥ୍ୟ ସଂଗ୍ରହ କରି ଏକ ଐତିହାସିକ ରାୟ ପ୍ରକାଶ ପାଇବା ନେଇ ଆଶା କରାଯାଉଛି। ଛତିଶଗଡ଼ର ଶିଳ୍ପ ଭିତ୍ତିଭୂମି ଓ ଓଡ଼ିଶାର କୃଷି ସ୍ୱାର୍ଥ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଟ୍ରିବ୍ୟୁନାଲ୍ ପାଇଁ ବଡ଼ ଆହ୍ୱାନ ହେବ। ଆଜିର ଏହି ଗସ୍ତ ପରେ ଉଭୟ ରାଜ୍ୟର ସୀମାନ୍ତ ଅଞ୍ଚଳରେ ରାଜନୈତିକ ଓ ପ୍ରଶାସନିକ ସ୍ତରରେ ହଲଚଲ ଜୋର ଧରିଛି।





