ଭୁବନେଶ୍ୱର,୪/୧୦(ସତ୍ୟପାଠ ବ୍ୟୁରୋ): ମୁମ୍ବାଇରେ ଥିବା ମହାରାଷ୍ଟ୍ରର ସଚିବାଳୟରେ ଘଟିଛି ଗୋଟିଏ ଅଦ୍ଭୂତ ଘଟଣା। ସଚିବାଳୟର ତୃତୀୟ ମହଲାରୁ ତଳକୁ ଡେଇଁ ପଡ଼ିଛନ୍ତି ମହାରାଷ୍ଟ୍ର ବିଧାନସଭାର ଉପ ବାଚସ୍ପତି ନରହରି ଜିରୱାଲ। ତାଙ୍କ ସହ ଜଣେ ବିଜେପି ସାଂସଦ ଓ ଆଉ ଦୁଇ ଜଣ ବିଧାୟକ ମଧ୍ୟ ସଚିବାଳୟର ତୃତୀୟ ମହମଲାରୁ ତଳକୁ ଜମ୍ପ କରିଛନ୍ତି।
ଗୋଟିଏ ନିର୍ଦ୍ଦିଷ୍ଟ ସଂପ୍ରଦାୟର ଲୋକଙ୍କୁ ଅନୁସୂଚିତ ଜନଜାତି ବର୍ଗରେ ସାମିଲ କରିବା ପାଇଁ ଉଦ୍ୟମ ଚାଲିଥିବାରୁ ଏହାର ପ୍ରତିବାଦରେ ସେମାନେ ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି। ଉପ ବାଚସ୍ପତି ଜିରୱାଲ ଓ ୩ ଜନ ପ୍ରତିନିଧି ସଚିବାଳୟର ତୃତୀୟ ମହଲାରୁ ଡେଇଁଥିଲେ ହେଁ ସେମାନଙ୍କର କୌଣସି କ୍ଷୟକ୍ଷତି ହୋଇନାହିଁ। କାରଣ ତଳେ ବନ୍ଧା ଯାଇଥିବା ବିରାଟ ଜାଲରେ ସେମାନେ ପଡ଼ିଛନ୍ତି। ସଚିବାଳୟ ଯାହା ମହାରାଷ୍ଟ୍ରରେ ମନ୍ତ୍ରଣାଳୟ ଭାବେ ଜଣାଶୁଣା ସେଠାରୁ ଡେଇଁ ଯେମିତି କେହି ଆତ୍ମହତ୍ୟା ନ କରନ୍ତି, ସେଥିପାଇଁ ୨୦୧୮ରେ ଏଠାରେ ନେଟ ଲଗା ଯାଇଥିଲା। ତେଣୁ ତୃତୀୟ ମହମଲାରୁ ଡେଇଁ ଥିବା ଜନ ପ୍ରତିନିଧିମାନେ ଉକ୍ତ ନେଟରେ ପଡ଼ିଛନ୍ତି।

ଅନୁସୂଚିତ ଜନଜାତି ବର୍ଗରେ ଧାନଗର ସଂପ୍ରଦାୟର ଲୋକଙ୍କୁ ସାମିଲ କରିବା ପାଇଁ ଦାବି ତୀବ୍ର ହେଉଛି। ସରକାର ମଧ୍ୟ ସେମାନଙ୍କୁ ଏସ୍ଟି ବର୍ଗରେ ସାମିଲ କରିବା ପାଇଁ ବିଚାର କରୁଛନ୍ତି। କିନ୍ତୁ ଏହାକୁ ଖୋଦ ସରକାରୀ ଦଳରେ ଥିବା ଅଜିତ ପାୱାରଙ୍କ ଏନସିପିର ବିଧାୟକ ଜିରୱାଲ ବିରୋଧ କରିଛନ୍ତି। ସେହିପରି ବିଜେପି ଶାସକ ମେଣ୍ଟରେ ଥିଲେ ହେଁ ଦଳର ଜଣେ ସାଂସଦ ମଧ୍ୟ ସରକାରଙ୍କ ଆଭିମୁଖ୍ୟକୁ ବିରୋଧ କରି ସଚିବାଳୟ ଉପରୁ ତଳକୁ ଡେଇଁଛନ୍ତି।
ଲୋକ ପ୍ରତିନିଧିମାନେ ନେଟରେ ପଡ଼ିବା ପରେ ପୁଣି ସଚିବାଳୟ ବିଲଡିଂ ଉପରକୁ ଚଢ଼ୁଥିବାରୁ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ସେମାନଙ୍କୁ ପୁଲିସ୍ ସହାୟତାରେ ସେଠାରୁ ଉଦ୍ଧାର କରାଯାଇଥିଲେ।
ଏହାପୂର୍ବରୁ ମନ୍ତ୍ରଣାଳୟରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକ ବେଳେ କିଛି ଆଦିବାସୀ ବିଧାୟକ ଏହା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଧାନଗର ସଂପ୍ରଦାୟର ଲୋକ ଏବେ ଓବିସି ବର୍ଗରେ ରହିଛନ୍ତି। ତେବେ ସେମାନଙ୍କୁ ଏସ୍ଟି ବର୍ଗରେ ସାମିଲ କରିବା ପାଇଁ ଦାବି ତୀବ୍ର ହେବାରେ ଲାଗିଛି।





