ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଉତ୍ତରାଖଣ୍ଡରେ ବଡ଼ ଅଘଟଣ, ଟ୍ରାନ୍ସଫର୍ମର୍ ଫାଟିବାରୁ ଗଲା ୧୬ ଜଣଙ୍କ ଜୀବନ। ଅଳକାନନ୍ଦା ନଦୀ କୂଳରେ ଚାଲିଥିବା ‘ନମାମି ଗଙ୍ଗେ ପ୍ରକଳ୍ପ’ ସାଇଟରେ ଗୋଟାଏ ବିଦ୍ୟୁତ୍ ଟ୍ରାନ୍ସଫର୍ମର୍ ବିସ୍ଫୋରଣ ଘଟିବାରୁ ପ୍ରଥମେ ୧୦ଜଣକର ମୃତ୍ୟୁ ଘଟିଥିବା ବେଳେ ଏବେ ମୃତ୍ୟୁସଂଖ୍ୟା ୧୬ରେ ପହଞ୍ଚିଛି।
ମିଳିଥିବା ସୂଚନା ମୁତାବକ, ଗତକାଲି ରାତିରେ ଏହି ଘଟଣା ଘଟିଥିଲା। ଗାଁର ଲୋକମାନେ କରେଣ୍ଟ ଲାଗିବାରୁ ଜଣେ ସିକ୍ୟୁରିଟି ଗାର୍ଡଙ୍କ ମୃତ୍ୟୁ ହୋଇଥିବା ଖବର ପୁଲିସକୁ ଦେଇଥିଲେ। ଖବର ପାଇ ଯେତେବେଳେ ପୁଲିସ୍ କର୍ମଚାରୀ ଗ୍ରାମବାସୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ, ସେତେବେଳେ ଅନେକ ଲୋକ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିବା ଜଣାପଡ଼ିଥିଲା। ତୁରନ୍ତୁ ସେମାନଙ୍କୁ ଡାକ୍ତରଖାନା ନିଆଯାଇଥିଲେ ବି ଏବେ ୧୬ଜଣକର ମୃତ୍ୟୁ ଘଟିଛି। ୧୬ଜଣକ ମଧ୍ୟରେ ଜଣେ ସବ ଇନ୍ସପେକ୍ଟର ଓ ୫ଜଣ ହୋମଗାର୍ଡ ଥିବା ଜଣାପଡ଼ିଛି। ତେବେ ଟ୍ରାନ୍ସଫର୍ମର୍ କାହିଁକି ଫାଟିଲା ଏହା ପଛର କାରଣ ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି ପୁଲିସ।
ଟ୍ରାନ୍ସଫର୍ମର୍ ବିସ୍ଫୋରଣ ଘଟିଥିବା ନିର୍ମାଣାଧୀନ ନମାମି ଗଙ୍ଗେ ସ୍ବିରେଜ୍ ସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ରିଲିଫ୍ ଅଭିଯାନ ଆରମ୍ଭ କରିଛନ୍ତି। ସରକାରୀ ଅଧିକାରୀମାନଙ୍କ କହିବା ଅନୁସାରେ, ପ୍ରକଳ୍ପସ୍ଥଳର ‘କେୟାର୍ଟେକର୍’ଙ୍କୁ କରେଣ୍ଟ୍ ମାରିଥିଲା। ସେତେବେଳକୁ ଅଳକାନନ୍ଦା ନଦୀ କୂଳରେ ଲାଗିଥିବା ରେଲିଙ୍ଗ୍ରେ ବିଜୁଳି ପ୍ରବାହିତ ହେଉଥିଲା। ତେଣୁ, ଘଟଣାସ୍ଥଳରେ ପହଞ୍ଚିଥିବା ସ୍ଥାନୀୟ ଲୋକେ, ତାଙ୍କ (କେୟାର୍ଟେକର୍) ପରିବାର ଲୋକଙ୍କୁ ମଧ୍ୟ ସେହି ରେଲିଙ୍ଗ୍ରୁ ବିଜୁଳି ଆଘାତ ଲାଗିଥିଲା।





