ଭୁବନେଶ୍ବର : ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ୩ୟ ମେକ୍ ଇନ ଓଡ଼ିଶା । ତେବେ ଏହି ସମ୍ମିଳନୀ ପୂର୍ବରୁ ଓଡ଼ିଶା ସରକାର ବିଭିନ୍ନ ଦେଶର ନିବେଶକମାନଙ୍କୁ ଆକୃଷ୍ଟ କରିବା ଲକ୍ଷ୍ୟରେ ଅଣ୍ଟା ଭିଡିଛନ୍ତି । ଆସନ୍ତା ୩୧ ତାରିଖରେ ନୂଆଦିଲ୍ଲୀଠାରେ ଏକ ସ୍ବତନ୍ତ୍ର ସମାବେଶର ଆୟୋଜନ କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୬ଟି ଦେଶର ରାଷ୍ଟ୍ରଦୂତମାନଙ୍କୁ ଭେଟି ଓଡ଼ିଶାରେ ନିବେଶ କରିବାକୁ ଆମନ୍ତ୍ରଣ ଜଣାଇବେ । ଏହି ୧୬ଟି ଦେଶ ହେଲେ ଆମେରିକା, ବ୍ରିଟେନ, ଜାପାନ, ଲକ୍ସମ୍ବର୍ଗ, ଜର୍ମାନୀ, ଫ୍ରାନ୍ସ, ଇଟାଲି,ଦକ୍ଷିଣ କୋରିଆ, ଅଷ୍ଟ୍ରେଲିଆ, ବାହାରିନ, ସିଂଗାପୁର, ବେଲଜିୟମ, ଓମାନ, କାତାର ଓ ୟୁଏଇ ।
ଏହା ସହିତ ସେ ଶିଳ୍ପପତିମାନଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହି ସମାବେଶରେ ନବୀନ ମେକ-ଇନ-ଓଡ଼ିଶା ସମ୍ମିଳନୀ ସମ୍ପର୍କରେ ଆଲୋଚନା କରିବା ସହ ଓଡ଼ିଶାରେ ବ୍ୟବସାୟ ବାତାବରଣକୁ ସରଳ କରିବାକୁ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ସଂପର୍କରେ ବି ଆଲୋଚନା କରିବେ ।
ଏହି ଅବସରରେ ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଶିଳ୍ପ ସଚିବ ହେମନ୍ତ ଶର୍ମା ଓ ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଯୋଗ ଦେବେ ।





