‘ଆମକୁ ୩୫ଟି ଲୋକସଭା ଆସନରେ ବିଜୟୀ କରାନ୍ତୁ, ମମତା ସରକାର ଆପେ ଆପେ ଭୁସୁଡ଼ିଯିବ’: ପଶ୍ଚିମବଙ୍ଗରେ ଅମିତ ଶାହଙ୍କ ରଣହୁଙ୍କାର

ଭୁବନେଶ୍ୱର,୧୫/୪(ସତ୍ୟପାଠ ବ୍ୟୁରୋ): ୨୦୨୪ ନିର୍ବାଚନରେ ଆମକୁ ୩୫ଟି ଲୋକସଭା ଆସନରେ ବିଜୟୀ କରାନ୍ତୁ। ମମତା ବାନାର୍ଜୀ ସରକାର ଆପେ ଆପେ ଭୁସୁଡ଼ିଯିବ। କିଛି ଏଭଳି କହି ପଶ୍ଚିମବଙ୍ଗର ବୀରଭୂମି ଜିଲ୍ଲାରେ ଆୟୋଜିତ ଏକ ଜନସଭାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା।

ଶାହ ଆହୁରି କହିଛନ୍ତି କ’ଣ ବେଙ୍ଗଲରେ ରାମ ନବମୀ ରାଲି କରି ହେବନି। ରାଲି କଲେ ଆକ୍ରମଣ କରାଯିବ? ଦିଦିଙ୍କ ତୁଷ୍ଟିକରଣ ରାଜନୀତି ଯୋଗୁ ରାଜ୍ୟରେ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ପଶ୍ଚିମବଙ୍ଗରେ ଥରେ ବିଜେପି ସରକାର ଗଠନ କଲେ ରାମ ନବମୀ ଶୋଭାଯାତ୍ରାରେ ଆକ୍ରମଣ କରିବାକୁ କାହାର ସାହସ ହେବନି ବୋଲି ଶାହା କହିଛନ୍ତି।

ସେହିଭଳି ଦିଦିଙ୍କ ଅପରାଧ ବିରୋଧରେ ଲଢ଼ାଇ କରିବାର ଗୋଟିଏ ରାସ୍ତା ହେଲା ବିଜେପି। ବେଙ୍ଗଲକୁ ଆତଙ୍କବାଦୀ ମୁକ୍ତ କରିବାର ଗୋଟିଏ ରାସ୍ତା ବିଜେପି। ବେଙ୍ଗଲରେ ଅନୁପ୍ରବେଶ ରୋକିବାର ଗୋଟିଏ ରାସ୍ତା ହେଉଛି ବିଜେପି। ୨୦୨୪ରେ ଆମକୁ ୩୫ଟି ଆସନରେ ବିଜୟୀ କରାଇଲେ ୨୦୨୫ ବିଧାନସଭା ନିର୍ବାଚନର ଆବଶ୍ୟକତା ପଡ଼ିବ ନାହିଁ। ୨୦୨୫ ପୂର୍ବରୁ ମମତା ସରକାର ଭାଙ୍ଗିଯାଇଥିବ ବୋଲି ଶାହା କହିଛନ୍ତି।

ଏହାସହିତ ମମତା ପରିବାରବାଦ୍ ରାଜନୀତି କରୁଥିବା ଅଭିଯୋଗ ଆଣି ଶାହ କହିଛନ୍ତି ‘ଦିଦି କେବଳ ତାଙ୍କ ପୁତୁରାଙ୍କୁ ରାଜ୍ୟରେ ପରବର୍ତ୍ତି ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛନ୍ତି। ମମତା ଦିଦି ଯଦି ଆପଣ ଭାବୁଛନ୍ତି ଯେ ଆପଣଙ୍କ ପରେ ଆପଣଙ୍କ ପୁତୁରା ମୁଖ୍ୟମନ୍ତ୍ରୀ ହେବ ତେବେ ଆପଣ ସ୍ୱପ୍ନ ଦେଖୁଥାନ୍ତୁ। ହେଲେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ବିଜେପିରୁ ହିଁ ହେବେ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିବା ସହିତ ୨୦୨୪ ନିର୍ବାଚନରେ ଏହାର ଟ୍ରେଲର ଦେଖିବେ ବୋଲି ଶାହା କହିଛନ୍ତି।

ତେବେ ଗୋଟିଏ ସମୟରେ ପଶ୍ଚିମବଙ୍ଗ ବିଜେପି ଶୂନ୍ୟ ଥିବା ବେଳେ ଗତ ଲୋକସଭା ନିର୍ବାଚନରେ ରାଜ୍ୟର ୪୨ଟି ଆସନରୁ ୧୮ଟି ରେ ବିଜୟୀ ହୋଇ ରାଜ୍ୟରେ ଏକ ପ୍ରମୁଖ ରାଜନୈତିକ ଶକ୍ତି ଭାବରେ ଉଭା ହୋଇଥିଲା। ଏହାପରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମଧ୍ୟ ବିଜେପି ଶାସକ ଟିଏମସି କୁ କଡା ଟକ୍କର ଦେଇଥିଲା। ୨୦୨୪ ନିର୍ବାଚନ ପୂର୍ବରୁ ପୁଣି ପଶ୍ଚିମବଙ୍ଗରେ ଅମିତ୍ ଶାହାଙ୍କ ଏଭଳି ଭାଷଣ ରାଜ୍ୟର ରାଜନୈତିକ ମହୋଲ୍ କୁ ସରଗରମ କରିଛି। ତେବେ ପଶ୍ଚିମବଙ୍ଗ କୁ ଫୋକସ କରିଥିବା ବିଜେପି ଉପରେ ଆଗାମୀ ନିର୍ବାଚନରେ ଲୋକେ କେତେ ଭରସା କରୁଛନ୍ତି ଓ ଶାହା ଙ୍କ ଭାଷଣର କେତେ ପ୍ରଭାବ ପଡୁଛି ତାହା ଦେଖିବାକୁ ବାକି ରହିଲା।

Related Posts