ଭିଜିଲାନ୍ସ ପଞ୍ଝାରେ ମାଲକାନଗିରି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ

ମାଲକାନଗିରି: ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ମାଲକାନଗିରି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ | ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ମୁଖ୍ୟ କୃଷି ଅଧିକାରୀ ଏମ୍ ଆନନ୍ଦ ରାଓଙ୍କ ଘର ସମେତ ମାଲକାନଗିରି, ନବରଙ୍ଗପୁର ଓ ବିଶାଖାପାଟଣାର ୬ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଚାଲିଥିବାର ଖବର ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ନବରଙ୍ଗପୁର ବାସଭବନ ସହ ଅନ୍ୟ ୨ଟି ଭିଜିଲାନ୍ସ ଟିମ୍ ଚଢ଼ାଉ କରୁଛି। ଏଣେ ତାଙ୍କର ମାଲକାନଗିରି କାର୍ଯ୍ୟାଳୟ, ବାସଭବନ ଏବଂ ବିଶାଖାପାଟଣାରେ ଥିବା ନିଜ ଘରେ ବି ଚଢ଼ାଉ ଜାରି ରହିଛି।

ଜିଲ୍ଲା କୃଷି ଅଧିକାରୀ ଏମ୍. ଆନନ୍ଦ ରାଓଙ୍କ ନାମରେ ପୂର୍ବରୁ ଦୀର୍ଘ ଦିନ ଧରି ଆୟ ବହିର୍ଭୂତ ସମ୍ପତି ଠୁଳ ରଖିଥିବା ଅଭିଯୋଗ ହୋଇ ଆସୁଥିଲା। ଏହି ଅଭିଯୋଗ ଆଧାରରେ ଭିଜିଲାନ୍ସ ଚଢ଼ାଉ ହୋଇଛି।

ଆଜି ସକାଳୁ ଭିଜିଲାନ୍ସ ଟିମ୍ ଚଢ଼ାଉ କରୁଛି। ମାଲକାନଗିରି ଭିଜିଲାନ୍ସ ଡିଏସପିଙ୍କ ସମେତ ଅନ୍ୟ କର୍ମଚାରୀମାନେ ଏହି ଚଢ଼ାଉରେ ସାମିଲ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ଘରୁ କିଛି ନଗଦ ଟଙ୍କା ସହ ସୁନା ଗହଣା ଠାବହୋଇଥିବା ସୂଚନା ମିଳିଛି । ଏବେବି ଜାରି ରହିଛି ଚଢାଉ । ତେବେ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି । ସେନେଇ ସବିଶେଷ ତଥ୍ୟ ହାସଲ ହୋଇନାହିଁ ।

Related Posts