କେନ୍ଦ୍ର ବିରୋଧରେ ଦୁଇଦିନିଆ ଧାରଣାରେ ମମତା ବାନାର୍ଜୀ, ମଞ୍ଚରେ ୱାସିଂ ମେସିନ୍ ରଖି ବିଜେପିକୁ କଲେ କଟାକ୍ଷ

ଭୁବନେଶ୍ୱର,୩୦/୩ (ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ବିରୋଧରେ ବୁଧବାର ଠୁ ଦୁଇଦିନିଆ ଧାରଣା ଆରମ୍ଭ କରିଛନ୍ତି। ରାଜ୍ୟରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି (ବିଜେପି) ତଥା କେନ୍ଦ୍ର ସରକାରଙ୍କ ବିରୋଧରେ କୋଲକାତାରେ ଦୁଇଦିନିଆ ଧାରଣା ଆରମ୍ଭ କରିଛନ୍ତି ମମତା। ଏହାସହିତ ବିଜେପିକୁ କଟାକ୍ଷ କରିବାକୁ ଯାଇ ସେ ଏକ ନିଆରା ଉପାୟ ଆପଣାଇଛନ୍ତି। ବୁଧବାର ମମତାଙ୍କ ଧାରଣା ମଞ୍ଚରେ ଏକ ୱାସିଂ ମେସିନ୍ ଦେଖିବାକୁ ମିଳିଥିଲା। ଏହି ୱାସିଂ ମେସିନ୍ ସେ ସହିତ ପ୍ରଦର୍ଶନ କରିଥିଲେ।

ଟିଏମସି ଦ୍ୱାରା ପ୍ରସ୍ତୁତ ମଞ୍ଚରେ ଏକ ସାଙ୍କେତିକ ୱାସିଂ ମେସିନ୍ ରଖାଯାଇଥିଲା। ଏହାକୁ ବିଜେପିର ୱାସିଂ ମେସିନ୍ କୁହାଯାଉଥିଲା। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଥିରେ କଳା ପୋଷାକ ରଖି ଧଳା ରଙ୍ଗ ପୋଷାକ ବାହାର କରିଥିଲେ। ମମତା ଏବଂ ତାଙ୍କ ଦଳ ଏପରି ଦର୍ଶାଇ କହିବାକୁ ଚେଷ୍ଟା କରିଥିଲେ ଯେ ବିଜେପି ହେଉଛି ଏକ ୱାସିଂ ମେସିନ । ଏହି ମେସିନରେ ଯେତେ ମଇଳା ପ୍ରବେଶ କଲେ ମଧ୍ୟ ସେ ପରିସ୍କାର ହୋଇ ବାହାରିବ । ଟିଏମସି ଏପରି ପ୍ରଦର୍ଶନ କରି କେନ୍ଦ୍ରରେ ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି । ଏଥିସହ କେନ୍ଦ୍ରୀୟ ଏଜେନ୍ସି ମାଧ୍ୟମରେ କିଭଳି ଅନ୍ୟ ରାଜ୍ୟରେ ଥିବା ବିଜେପି ବିରୋଧୀ ଦଳ ହଇରାଣ ହେଉଛନ୍ତି ତାହା କହିବାକୁ ଚେଷ୍ଟା କରିଥିଲେ ମମତା।

ଏହି ଅବସରରେ ମମତା ବାନାର୍ଜୀ କହିଛନ୍ତି ଯେ ବିଜେପି ଏକ ୱାସିଂ ମେସିନରେ ପରିଣତ ହୋଇଛି। ଚୋର ଏବଂ ଡକାୟତଙ୍କ ତାଲିକା ବାହାର କର, ସେମାନେ ସମସ୍ତେ (ବିଜେପିରେ) ବସିଛନ୍ତି। ମୁଁ ସମ୍ବିଧାନ ବିଷୟରେ ତାଙ୍କ ବକ୍ତବ୍ୟ ଶୁଣିବାକୁ ଚାହୁଁଛି କି? ମମତା କହିଛନ୍ତି, ମୋର ବିରୋଧ କରିବାର ସମସ୍ତ ଅଧିକାର ଅଛି। ଯଦି ଆବଶ୍ୟକ ହୁଏ, ମୁଁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପ୍ରତିବାଦ କରିବି।

ତେବେ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ହେବ। ଏହାପୂର୍ବରୁ ପଶ୍ଚିମବଙ୍ଗକୁ କେନ୍ଦ୍ରରୁ ମିଳିଥିବା ଅର୍ଥକୁ ନେଇ ରାଜନୀତି ତୀବ୍ର ହୋଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ କେନ୍ଦ୍ରୀୟ ଯୋଜନା ପାଇଁ ଅର୍ଥ ଯୋଗାଇ ନଥିବା ଅଭିଯୋଗ କରିଛନ୍ତି। ଗୋଟିଏ ଦିନ ପୂର୍ବରୁ (28 ମାର୍ଚ୍ଚ) ସେ କହିଥିଲେ ଯେ କେନ୍ଦ୍ର ବଜେଟରେ ‘ମନରେଗା’ ଏବଂ ‘ହାଉସିଂ ସ୍କିମ୍’ ପାଇଁ ମଧ୍ୟ ଗୋଟିଏ ଟଙ୍କା ମଧ୍ୟ ଦିଆଯାଇ ନାହିଁ। ଏହି ପ୍ରସଙ୍ଗରେ ମମତା ବାନାର୍ଜୀ ଦୁଇ ଦିନିଆ ଆନ୍ଦୋଳନରେ ବସିଛନ୍ତି।

କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ମମତା କହିଛନ୍ତି ଯେ ବିଜେପି ନେତୃତ୍ୱାଧୀନ ସରକାର ରାଜ୍ୟ ପାଇଁ ମନରେଗା ପ୍ରକଳ୍ପ ତଥା ଇନ୍ଦିରା ଆବାସ ଯୋଜନା ବାବଦ ପାଣ୍ଠି ବନ୍ଦ କରି ଦେଇଛନ୍ତି।ଏଥିସହିତ ଓବିସି ଛାତ୍ରଙ୍କ ପାଇଁ ଛାତ୍ରବୃତ୍ତି ମଧ୍ୟ ବନ୍ଦ କରି ଦେଇଛନ୍ତି ବୋଲି ମମତା ଅଭିଯୋଗ କରିଛନ୍ତି।

Related Posts