ମମିତା ମେହେର ହତ୍ୟାକାଣ୍ଡ ମାମଲା; ଚାର୍ଜସିଟରେ ଗୋବିନ୍ଦର କଳାକାରନାମା; ଅନେକ ଛାତ୍ରୀ ଓ ଶିକ୍ଷୟିତ୍ରୀଙ୍କ ସହିତ ଥିଲା ତା’ର ପ୍ରେମ ସମ୍ପର୍କ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ମାମଲାର ଚାର୍ଜସିଟ ସାମ୍ନାକୁ ଆସିଛି । ଚାର୍ଜସିଟରେ ରହିଛି କିଛି ଛାତ୍ରୀ, ଶିକ୍ଷୟିତ୍ରୀ ଓ ମମିତା ମେହେରଙ୍କ ପରିବାର ଲୋକଙ୍କ ବୟାନ। ତେବେ ଏହି ବୟାନରୁ ସ୍ପଷ୍ଟ ହୋଇଯାଉଛି ଯେ ଗୋବିନ୍ଦ ସାହୁ ରସିକିଆ ଥିଲା । ଅନେକ ଛାତ୍ରୀ ଓ ଶିକ୍ଷୟିତ୍ରୀଙ୍କ ସହିତ ତା’ର ଥିଲା ପ୍ରେମ ସଂପର୍କ। ଏ ଖବର ସାମ୍ନାକୁ ଆସିବା ପରେ ପୁଣିଥରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ଏଭଳି ଚାଞ୍ଚଲ୍ୟକର ବୟାନ ରଖିଛନ୍ତି ସ୍କୁଲର ଜଣେ ପୂର୍ବତନ ଶିକ୍ଷୟିତ୍ରୀ। କିନ୍ତୁ ଘଟଣା ଦିନରୁ ଚର୍ଚ୍ଚାରେ ଥିବା ରୁମ ନଂ ୨୦ କଥା ବି ଉଲ୍ଲେଖ ରହିଛି ଚାର୍ଜସିଟ୍ରେ। ରୁମ ନଂ ୨୦ରେ ଦୁଇଜଣ ଯୁକ୍ତତିନି ପ୍ରଥମ ବର୍ଷ ବିଜ୍ଞାନ ଛାତ୍ରୀ ରହୁଥିଲେ। ଆଉ ରୁମ ନଂ ୧ରେ ରହୁଥିଲେ ଶିକ୍ଷୟିତ୍ରୀ ମମିତା ମେହେର। ପ୍ରାୟ ଅଧିକାଂଶ ରାତିରେ ରୁମ ନଂ ୨୦କୁ ଆସୁଥିଲା ଗୋବିନ୍ଦ। ଜଣେ ଛାତ୍ରୀଙ୍କ ସହ ନିୟମିତ କିଛି ସମୟ କାଟୁଥିଲେ। ତେଣୁ ଅନ୍ୟ ଜଣେ ଛାତ୍ରୀ ସେହି ସମୟରେ ରୁମ ନଂ-୧ରେ ରହୁଥିବା ମମିତାଙ୍କ ପାଖକୁ ଯାଉଥିଲେ। ଏପରିକି ଗୋବିନ୍ଦଙ୍କ ପ୍ରେମରେ ଉବୁଟୁବୁ ଛାତ୍ରୀଙ୍କ ସହ ଗୋବିନ୍ଦର ଅଶ୍ଳୀଳ ଭିଡିଓ ଓ ଭିଡିଓ କଲ୍ ରେକର୍ଡିଂ ରହିଥିଲା ମମିତାଙ୍କ ଫୋନ୍ରେ। ଯାହାକି ଅନ୍ୟ ଜଣେ ଛାତ୍ରୀ ଦେଖିଥିବା ବୟାନ ଦେଇଛନ୍ତି। ଗୋବିନ୍ଦର ଏଭଳି କାରନାମା ଜାଣିଥିଲେ ମମିତା। ତେଣୁ ସେପ୍ଟେମ୍ବର ୨୧ ତାରିଖ କଲେଜ ହଷ୍ଟେଲର ଗେଟ୍ ପାଖରେ ମମିତା ଓ ଗୋବିନ୍ଦ ମଧ୍ୟରେ ଉଚ୍ଚବାଚ ହୋଇଥିଲା।

ମମିତା ମେହେର ଏସବୁରୁ ଦୂରେଇ ରହିବାକୁ ଗୋବିନ୍ଦ ସାହୁଙ୍କୁ କହିଥିଲେ । ହେଲେ ଗୋବିନ୍ଦ ବାରବାର କହୁଥିଲା ମୋବାଇଲରୁ ଏସବୁ ଡିଲିଟ୍ କରିବା ପାଇଁ। କିନ୍ତୁ ଗୋବିନ୍ଦକୁ ମମିତା ଏକ୍ସପୋଜ କରିବାର ଧମକ ଦେଇଥିଲେ। ହେଲେ ଓଲଟା ଗୋବିନ୍ଦ କହିଥିଲା ତୋତେ ଉଡ଼ାଇ ଦେବି। ତୁ ମୋର କିଛି କରିପାରିବୁ ନାହିଁ। ଆଉ ସେପ୍ଟେମ୍ବର ୨୨ ତାରିଖ ଏକ ସୁଇଫ୍ଟ ଡିଜାୟାର କାର୍ରେ ମମିତାଙ୍କୁ ତାଙ୍କ ଗାଁ ଝରଣୀ ପଠାଇ ଦେଇଥିଲା ଗୋବିନ୍ଦ। ଚାର୍ଜସିଟରୁ ସ୍ପଷ୍ଟ ଭାବରେ ଜଣାପଡୁଛି ରସିକିଆ ଗୋବିନ୍ଦର ଅନୈତିକ ସଂପର୍କ ପାଇଁ ମମିତା ମେହେରଙ୍କ ହତ୍ୟାକାଣ୍ଡ ଘଟିଛି। ସେପଟେ ଗତକାଲି ବଙ୍ଗୋମୁଣ୍ଡା ଜେଏମ୍ଏଫ୍ସି କୋର୍ଟରେ ଚାର୍ଜସିଟ୍ କମିଟ୍ମେଣ୍ଟ୍ ହୋଇଛି। ଆଗକୁ କଣ୍ଟାବାଞ୍ଜି ଏଡିଜେଙ୍କ ଅଦାଲତରେ ଶୁଣାଣି ହେବ। ଖୁବ୍ଶୀଘ୍ର ଏଡିଜେ ତାରିଖ ଧାର‌୍ୟ୍ୟ କରିବେ। ଅନ୍ୟପଟେ ମମିତାଙ୍କ ହତ୍ୟାକାଣ୍ଡ ଅକ୍ଟୋବର ୮ ତାରିଖ ଘଟିଥିଲା। କିନ୍ତୁ ଗୋବିନ୍ଦ ମର୍ଡର ପ୍ଲଟ୍ର ବ୍ଲୁପ୍ରିଣ୍ଟ ତିଆରି କରିଥିଲା ଅକ୍ଟୋବର ୭ ତାରିଖରେ। ୭ ତାରିଖ ଅପରାହ୍ଣରେ ଧଳା ସ୍କୁଟିରେ ମହାଲିଙ୍ଗ ଷ୍ଟାଡିୟମରେ ପହଞ୍ଚିଥିଲା ଗୋବିନ୍ଦ। ସେଠି ଜେସିବି ଚଳାଉଥିବା ପୁଷ୍କର ଭୋଇଙ୍କୁ ନିର୍ଦେଶ ଦେଇଥିଲା ଷ୍ଟାଡିୟମର ଏକ କୋଣରେ ଗାତ ଖୋଲିବା ପାଇଁ। ଆଉ ସଂଧ୍ୟାରେ ଷ୍ଟାଡିୟମର ଜଗୁଆଳିଙ୍କୁ ସ୍କୁଲର ପୁରୁଣା ଚେୟାର ଟେବୁଲକୁ ଗାତ ପାଖରେ ପକାଇଦେବାର ନିର୍ଦେଶ ଦେଇଥିଲା ଗୋବିନ୍ଦ। ଏପରିକି ୮ ତାରିଖ ଅପରାହ୍ନରେ ଷ୍ଟାଡିୟମରେ ପହଞ୍ଚି କିଛି କାଠ ଗାତ ପାଖରେ ରଖିଦେବାର ନିର୍ଦେଶ ଦେଇଥିଲା।

ନିଜ ସହଯୋଗୀ ରାଧେ ଚଣ୍ଡୀକୁ ପୁରୁଣା ଟାୟାର ଆଣିବା ପାଇଁ ନିର୍ଦେଶ ଦେଇଥିଲା। ଆଉ ସଂଧ୍ୟା ୮ଟାରେ ଷ୍ଟାଡିୟମର ସେହି ଗାତ ପାଖରେ ହୁତୁହୁତୁ ହୋଇ ନିଆଁ ଜଳିବାର ଦେଖିଥିଲେ ଷ୍ଟାଡିୟମରେ କାମ କରୁଥିବା ଶ୍ରମିକମାନେ। ଏଭଳି ଭାବେ ନିଜ ଅଧୀନରେ କାମ କରୁଥିବା କର୍ମଚାରୀଙ୍କୁ ଲଗାଇ ମମିତାଙ୍କ ଶବକୁ ପୋଡ଼ି ଦେଇ ପୋତି ଦେଇଥିଲା ଗୋବିନ୍ଦ। ଆଉ ଏଇଠୁ ହିଁ ସୁରାକ ପାଇଥିଲା ପୁଲିସ। ସେପଟେ ହଷ୍ଟେଲରେ ନିଜ ରୁମ ନଂ୧କୁ ଆସୁଥିବା ଛାତ୍ରୀ ସହିତ ମମିତାଙ୍କର ଘନିଷ୍ଠତା ବଢ଼ିଥିଲା। ତେଣୁ ଛାତ୍ରୀ ଜଣକ ମମିତାଙ୍କଠାରୁ ଗୋବିନ୍ଦ ସଂପର୍କରେ ସବୁ ଜାଣିଥିଲେ। ଏପରିକି ମମିତାଙ୍କୁ ରାସ୍ତାରୁ ହଟାଇ ଦେବା ପାଇଁ ଗୋବିନ୍ଦ ଧମକ ଦେଇଥିବାର ସେ ଶୁଣିଥିଲେ। ତେଣୁ ୭ ତାରିଖ ମହାଲିଙ୍ଗ ଆସିବା ପାଇଁ ଗୋବିନ୍ଦ ଡକାଇଥିବା କଥା ଛାତ୍ରୀଙ୍କୁ କହିଥିଲେ ମମିତା। ତେଣୁ ୮ତାରିଖ ସକାଳ ୭ଟା ୪୫ରେ ଛାତ୍ରୀ ଜଣକୁ ମମିତା ମେସେଜ୍ କରିଥିଲେ ମୁଁ ଗୋବିନ୍ଦ ସହିତ ମହାଲିଙ୍ଗ ଯାଉଛି। ଆଉ ସେତେବେଳେ କ୍ଲାସ୍ ଚାଲୁଥିବାରୁ ୧୧ଟା ୩୦ରେ କ୍ଲାସ୍ ସରିବା ପରେ ମମିତା ମ୍ୟାଡାମଙ୍କୁ ଫୋନ୍ କରିଥିଲେ ଛାତ୍ରୀ ଜଣକ। କିନ୍ତୁ ଫୋନ୍ ସୁଇଚ୍ଅଫ୍ ଥିଲା।

ଡରି ଯାଇ ଛାତ୍ରୀ ଜଣକ ଗୋବିନ୍ଦ ସହ ସଂପର୍କ ଥିବା ଛାତ୍ରୀଙ୍କୁ ଏ ସଂପର୍କରେ ଅବଗତ କରିଥିଲେ। ତେଣୁ ଚାର୍ଜସିଟ୍ରେ ଥିବା ବିଭିନ୍ନ ଲୋକଙ୍କ ବୟାନରୁ ଜଣାପଡୁଛି ୮ଟାରେ ଚାନ୍ଦୋତରା ଛକରୁ ମମିତାଙ୍କୁ ନେଲା ପରେ ୧୧ଟା ଭିତରେ ହତ୍ୟା କରି ସାରିଥିଲା ଜହ୍ଲାଦ ଗୋବିନ୍ଦ। ୧୧ଟା ୩୦ରେ ମମିତାଙ୍କ ଫୋନ ସୁଇଚ୍ଅଫ୍ ହୋଇଯାଇଥିଲା। ତେଣୁ ମମିତାଙ୍କ ସହ ଘନିଷ୍ଠ ଥିବା ଛାତ୍ରୀ ଜଣକ ଗୋବିନ୍ଦ ସହିତ ସଂପର୍କରେ ଥିବା ଛାତ୍ରୀଙ୍କୁ ଏ ନେଇ ସୂଚନା ଦେଇଥିଲେ। ତେଣୁ ଗୋବିନ୍ଦକୁ ଫୋନ କରିଥିଲେ ଗୋବିନ୍ଦ ସହ ସଂପର୍କରେ ଥିବା ଛାତ୍ରୀ। ଆଉ ତାଙ୍କ ବୟାନରେ ସ୍ପଷ୍ଟ ଉଲ୍ଲେଖ ରହିଛି, ସ୍ଥିର ନଥିଲା ଗୋବିନ୍ଦ। କଥା କହୁଥିବା ବେଳେ ଥତମତ ହେଉଥିଲା। ଏପରିକି ମମିତା ସଂପର୍କରେ ପଚାରିବାରୁ ଓଲଟା ଗାଳି କରି କହିଥିଲା ତା’ ବାବଦରେ ତୁ କାହିଁକି ପଚାରୁଛୁ ? ନିଜ ଝିଅର ଖୋଜ ଖବର ନପାଇ ଗୋବିନ୍ଦ ପାଖକୁ ଯାଇଥିଲେ ମମିତାଙ୍କ ବାପା ସୁଚନ୍ଦ୍ର ମେହେର ଓ ପରିବାର ଲୋକେ। ନିଜେ ଗୋବିନ୍ଦ ଅଭିଯୋଗ ଲେଖି କେଗାଁ ଥାନାକୁ ଯାଇଥିଲା।

କେଗାଁ ଥାନା ପୁଲିସ ଗୋବିନ୍ଦ ଇସାରାରେ ଏତଲା ରଖିନଥିଲା। କିନ୍ତୁ ସେତିକିରେ ଅଟକିନଥିଲା ଗୋବିନ୍ଦ। ସୁଚନ୍ଦ୍ରଙ୍କୁ ନେଇ ଗାଁର ଜଗନ୍ନାଥ ମନ୍ଦିରର ପଣ୍ଡିତଙ୍କ ପାଖକୁ ଯାଇଥିଲା। ଆଉ ଗଣନା କରି ପଣ୍ଡିତ କହିଥିଲେ, ମମିତା ଖରିଆର ପଟେ ଯାଇଛି। ତେଣୁ କୌଣସି ମତେ ଗୋବିନ୍ଦକୁ ସନ୍ଦେହ କରିନଥିଲେ ପରିବାର ଲୋକେ। ମମିତାଙ୍କ ଫୋନରେ ଥିଲା ରସିକିଆ ଗୋବିନ୍ଦର ଅବୈଧ ପ୍ରେମର ବୈଧ ଭିଜୁଆଲ। ପ୍ରେମରେ ଉବୁଟୁବୁ ଗୋବିନ୍ଦର କଲ୍ ରେକର୍ଡିଂ। ଯାହା ଗୋବିନ୍ଦର ନିଦ ହଜାଇ ଦେଇଥିଲା। କଲବଲ ହେଉଥିଲା ଗୋବିନ୍ଦ। ଆଉ ଶେଷରେ ମମିତାଙ୍କୁ ରାସ୍ତାରୁ ହଟାଇ ଦେଇଥିଲା। କିନ୍ତୁ ମମିତା ନିଖୋଜର ପ୍ରଥମ ଦିନରେ ମମିତାଙ୍କ ବାପା ଦେଇଥିଲେ ଚାଞ୍ଚଲ୍ୟକର ବୟାନ। ମୋ ଝିଅ କହିଥିଲା, ପେନ୍ଡ୍ରାଇଭ୍ରେ ରହିଛି ଗୋବିନ୍ଦର ଜହ୍ଲାଦ ପଣିଆ। ଅନେକ ଝିଅ ଓ ମହିଳାଙ୍କୁ ବରବାଦ କରିଥିବା ଦଲିଲ ଦସ୍ତାବିଜ। କିନ୍ତୁ ଚାର୍ଜସିଟ ଦାଖଲ ହୋଇଥିଲେ ସୁଦ୍ଧା ପେନ୍ଡ୍ରାଇଭକୁ ନେଇ କୌଣସି ଜାଗାରେ ଉଲ୍ଲେଖ କରି ନାହିଁ ପୁଲିସ।

Related Posts