ଭୁବନେଶ୍ଵର,୮/୩(ସତ୍ୟପାଠ ବ୍ୟୁରୋ): ଆଜି ଅଗରତାଲାର ‘ବିବେକାନନ୍ଦ ଷ୍ଟାଡିୟମ୍’ରେ ଆୟୋଜିତ ବିଶାଳ ସମାବେଶରେ ତ୍ରିପୁରାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଡାକ୍ତର ମାଣିକ ସାହା । ରାଜ୍ୟପାଳ ଏସ୍. ଏନ୍. ଆର୍ଯ୍ୟ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ମୁଖ୍ୟମନ୍ତ୍ରୀ ସାହାଙ୍କ ସହିତ ରତନ ଲାଲ୍ ନାଥ, ପ୍ରାଣଜିତ ସିଂହ ରାୟ, ଶାନ୍ତନା ଚକ୍ମା, ସୁଶାନ୍ତ ଚୌଧୁରୀ, ଟିଙ୍କୁ ରାୟ, ବିକାଶ ଦେବବର୍ମା, ସୁଧାଂଶୁ ଦାସ, ଏବଂ ଶୁକ୍ଳଚରଣ ନୁଆତିଆ ମଧ୍ୟ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।
ଆଜିର ଏହି ଶପଥ ଗ୍ରହଣ ଉତ୍ସବ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗରତାଲାରେ ଏକ ବିଶାଳ ରୋଡ୍ ସୋ’ରେ ବାହାରି ଶପଥ ଗ୍ରହଣ ସ୍ଥଳୀରେ ପହଞ୍ଚିଥିଲେ।
ତ୍ରିପୁରାରେ ‘ବିଜେପି’ ନେତୃତ୍ବାଧୀନ ସରକାରରେ କ୍ରମାଗତ ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ସାହାଙ୍କର ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡା ଏବଂ ଅନ୍ୟାନ୍ୟ ନେତୃବର୍ଗ ଯୋଗ ଦେଇଥିଲେ। ସେମାନଙ୍କ ସହ ଉତ୍ତରପୂର୍ବାଞ୍ଚଳରେ ବିଜେପି ସଫଳତାର କର୍ଣ୍ଣଧାର ତଥା ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ମଧ୍ୟ ଯୋଗଦେଇଥିଲେ। ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ, ମଣିପୁରର ମୁଖ୍ୟମନ୍ତ୍ରୀ ଏନ୍. ବୀରେନ୍ ସିଂହ ଏବଂ ସିକିମର ମୁଖ୍ୟମନ୍ତ୍ରୀ ପି. ଏସ୍. ସାଙ୍ଗମା ମଧ୍ୟ ଏହି ସମାରୋହରେ ଉପସ୍ଥିତ ଥିଲେ।
ସେପଟେ ରାଜ୍ୟରେ ଘଟିଥିବା ନିର୍ବାଚନ ପରବର୍ତ୍ତୀ ହିଂସାକାଣ୍ଡକୁ ବିରୋଧ କରି ବିରୋଧୀ ‘ସିପିଏମ୍’ ଏବଂ ‘କଂଗ୍ରେସ’ ଏହି ଶପଥ ଗ୍ରହଣ ଉତ୍ସବକୁ ବର୍ଜନ କରିଛନ୍ତି।





