ଭାଇରାଲ ଭିଡ଼ିଓ ଘଟଣାରେ ମଣିପୁର ମୁଖ୍ୟମନ୍ତ୍ରୀଙ୍କ ବିବାଦୀୟ ବୟାନ: ‘ଏଭଳି ୧୦୦ ଘଟଣା ଘଟୁଛି’

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମଣିପୁରର ଭାଇରାଲ ଭିଡ଼ିଓ ଘଟଣାରେ ମୁଖ୍ୟମନ୍ତ୍ରୀ ଏନ୍‌ ବୀରେନ ସିଂହ ଗୁରୁବାର ଏକ ବିବାଦୀୟ ବୟାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଜାତୀୟ ଗଣମାଧ୍ୟମ ‘ଇଣ୍ଡିଆ ଟୁଡେ’କୁ ଟେଲିଫୋନ୍‌ ମାଧ୍ୟମରେ ଏକ ସ୍ବତନ୍ତ୍ର ସାକ୍ଷାତକାର ଦେଇ କହିଛନ୍ତି ଯେ, ଏଭଳି ୧୦୦ ଘଟଣା ଘଟୁଛି। ସେଥିପାଇଁ ଆମେ ରାଜ୍ୟରେ ଇଣ୍ଟରନେଟ୍‌ ବନ୍ଦ କରିଥିଲୁ। ରାଜ୍ୟ ସରକାର କିଭଳି ଏହି ଘଟଣା ସଂକ୍ରାନ୍ତରେ ଜାଣିପାରିଲେନି ବୋଲି ପ୍ରଶ୍ନ କରିବାରୁ ମୁଖ୍ୟମନ୍ତ୍ରୀ ଏହାର ଉତ୍ତରରେ କହିଥିଲେ ଯେ ରାଜ୍ୟରେ ଏଭଳି ଶହେ ଘଟଣା ଘଟୁଛି।

ତେବେ ମଣିପୁର ମୁଖ୍ୟମନ୍ତ୍ରୀଙ୍କ ଏହି ବୟାନ ବିବାଦ ସୃଷ୍ଟି କରିଛି। ତାଙ୍କୁ ବିଭିନ୍ନ ମହଲ କଡ଼ା ସମାଲୋଚନା କରିବା ସହ ବିଭିନ୍ନ ମହଲରୁ ତାଙ୍କର ଇସ୍ତଫା ଦାବି କରାଯାଇଛି। ଇତିମଧ୍ୟରେ କଂଗ୍ରେସ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌ ବୀରେନ ସିଂହଙ୍କ ଇସ୍ତଫା ଦାବି କରିଛି ଏବଂ ରାଜ୍ୟରେ ରାଷ୍ଟ୍ରପତି ଶାସନ ଦାବି କରିଛି।

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏକ ବିବୃତି ଜାରି କରି କହିଛନ୍ତି , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଣିପୁର ପ୍ରସଙ୍ଗରେ ସଂସଦରେ ଟିପ୍ପଣୀ ରଖିବା ଉଚିତ। ଏନଏଚଆରସି (ଜାତୀୟ ମାନବାଧିକାର କମିସନ୍‌) ଗୁରୁବାର ମଣିପୁର ସରକାରଙ୍କୁ ଏହି ଘଟଣାରେ ନୋଟିସ୍‌ ଜାରି କରିଛି। ମଣିପୁର ମୁଖ୍ୟ ସଚିବ ଏବଂ ଡିଜିପିଙ୍କୁ ନୋଟିସ କରି ଏନଏଚଆରସି ଉକ୍ତ ପ୍ରସଙ୍ଗରେ ୪ ସପ୍ତାହ ମଧ୍ୟରେ ରିପୋର୍ଟ ମାଗିଛନ୍ତି। ଏନଏଚଆରସି କହିଛନ୍ତି, ଘଟଣାରେ ରୁଜୁ ହୋଇଥିବା ଏତଲାର ତଦନ୍ତ ବିବରଣୀ ବି ରିପୋର୍ଟରେ ରହିବା ଉଚିତ। ପୀଡ଼ିତା ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା ସଂକ୍ରାନ୍ତରେ ରିପୋର୍ଟ ମଗାଯାଇଛି। ସେମାନଙ୍କୁ କୌଣସି ସହାୟତା ପ୍ରଦାନ କରାଯାଇଛି କି ନା’ ସେନେଇ ପ୍ରଶ୍ନ କରାଯାଇଛି।

Related Posts