ମଣିପୁର(ସତ୍ୟପାଠ ବ୍ୟୁରୋ): ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏନେଇ ରାଜନୈତିକ ଦଳମାନେ ନିଜ ନିଜର ରଣନୀତି ପ୍ରସ୍ତୁତ ମଧ୍ୟ କରିସାରିଲେଣି । ଏହା ମଧ୍ୟରେ ମଣିପୁରରେ କଂଗ୍ରେସ ପାର୍ଟି ଗଠବନ୍ଧନ କରିବାକୁ ଯାଉଥିବାର ଖବର ସାମ୍ନାକୁ ଆସିଛି । ତେବେ ମଣିପୁରରେ ପାଞ୍ଚଟି ଦଳ ସହ ଗଠମନ୍ଧନ କରି ନିର୍ବାଚନୀ ମଇଦାକୁ ଓହ୍ଲାଇବାକୁ ଯାଉଛି କଂଗ୍ରେସ । ଯେଉଁଠି କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ, କମ୍ୟୁନିଷ୍ଟ ପାର୍ଟି ଅଫ୍ ମାର୍କ୍ସବାଦୀ, ବ ରିଭଲୁସନ ସଶଲିସ୍ଟ ପାର୍ଟି, ଜନତା ଦଳ ଧର୍ମନିରପେକ୍ଷ ଏବଂ ଫରୱାର୍ଡ ବ୍ଲକ୍ ସହିତ ମିଳିତ କଂଗ୍ରେସ ଦଳ ଆଗାମୀ ବିଧାନସଭା ନିର୍ବାଚନରେ ଲଢ଼ିବ ଏବଂ ବିଜେପିକୁ ପରାସ୍ତ କରିବାକୁ କାର୍ଯ୍ୟ କରିବ ବୋଲି ମଣିପୁଣ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଏନ ଲୋକେନ ଗଣମାଧ୍ୟମ ନିକଟରେ ସ୍ପଷ୍ଟ କରିଛନ୍ତି । କେବଳ ଏତିକି ନୁହେଁ ବରଂ ବିଜେପିକୁ ପରାସ୍ତ କରିବା ପାଇଁ ସମସ୍ତ ଦଳ ଏକ ସାଧାରଣ ଲକ୍ଷ୍ୟ ନେଇ ଆଗକୁ ବଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି।
ଖୁବ୍ ଶୀଘ୍ର ଆମେ ମିଳିତ ମଞ୍ଚ ପାଇଁ ସିଟ୍ ଘୋଷଣା କରିବୁ ବୋଲି କହିଛନ୍ତି । ଅନ୍ୟପଟେ ୨୦୧୭ ମଣିପୁର ବିଧାନସଭା ନିର୍ବାଚନରେ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ ୬ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବାବେଳେ କମ୍ୟୁନିଷ୍ଟ ପାର୍ଟି ଅଫ୍ ମାର୍କ୍ସବାଦୀ ୨ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଫରୱାର୍ଡ ବ୍ଲକ୍ ମଧ୍ୟ ଦୁଇଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ତିନିଜଣ ଏକାଠି ହେଲେ ମଧ୍ୟ ୧% ଭୋଟ୍ ପାଇଲେ ନାହିଁ । ମଣିପୁରରେ ୨ ଟି ଲୋକସଭା ଆସନ ଭିତର ମଣିପୁର ଆସନ ଏବଂ ବାହ୍ୟ ମଣିପୁର ଆସନ ଅଛି । ୧୯୯୮ ପରେ ମଣିପୁରର କୌଣସି ସିପିଆଇ ନେତା ଲୋକସଭାରେ ପହଞ୍ଚି ନାହାଁନ୍ତି। ତେବେ ଅନ୍ତ ମଣିପୁର ଲୋକସଭା ଆସନରେ କମ୍ୟୁନିଷ୍ଟ ପାର୍ଟିର ପ୍ରଦର୍ଶନ ଭଲ ରହିଛି। ୨୦୧୯ ଲୋକସଭା ନିର୍ବାଚନରେ କମ୍ୟୁନିଷ୍ଟ ପାର୍ଟି ତୃତୀୟ ସ୍ଥାନ ଅଧିକାର କରିଥିଲା। ଏଥି ସହିତ ୨୦୦୪ ଏବଂ ୨୦୦୯ ଲୋକସଭା ନିର୍ବାଚନରେ କମ୍ୟୁନିଷ୍ଟ ପାର୍ଟି ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା। ସେପଟେ ମଣିପୁରରେ ୨୦୧୭ ରେ ପ୍ରଥମ ଥର ପାଇଁ ବିଜେପି ସରକାର ଗଠନ କରିଥିଲା ।
୨୦୧୭ ବିଧାନସଭା ନିର୍ବାଚନରେ କଂଗ୍ରେସ ୨୮ ଟି ଆସନ ପାଇଥିବାବେଳେ ଭାରତୀୟ ଜନତା ପାର୍ଟି ୨୧ ଟି ସିଟ୍ ପାଇଥିଲା । ଅନ୍ୟପକ୍ଷରେ ନାଗା ପିପୁଲ୍ସ ଫ୍ରଣ୍ଟ ଏବଂ ନ୍ୟାସନାଲ ପିପୁଲ୍ସ ପାର୍ଟି ପ୍ରତ୍ୟେକଙ୍କୁ ଚାରିଟି ଆସନ ପାଇଥିଲେ । ଏଲଜିପି ଏବଂ ତୃଣମୂଳ କଂଗ୍ରେସ ଗୋଟିଏ ସିଟ ପାଇଥିଲେ । ଗୋଟିଏ ଆସନରେ ଜଣେ ସ୍ୱାଧୀନ ପ୍ରାର୍ଥୀ ଜିତିଥିଲେ ଜ୍ଝ ତେବେ ଅଧିକ ଆସନ ଜିତିବା ସତ୍ତ୍ୱେ କଂଗ୍ରେସ ସରକାର ଗଠନ କରିପାରିନଥିଲା । ନାଗା ପିପୁଲ୍ସ ଫ୍ରଣ୍ଟ, ନ୍ୟାସନାଲ ପିପୁଲ୍ସ ପାର୍ଟି ଏବଂ ଏଲଜେପିର ବିଧାୟକଙ୍କ ସହଯୋଗରେ ବିଜେପି ପ୍ରଥମ ଥର ପାଇଁ ମଣିପୁରରେ ସରକାର ଗଠନ କଲା ଏବଂ ଏନ ବିରେନ ସିଂ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ ।





