ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବହୁ ଚର୍ଚ୍ଚିତ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲ୍ରେ ଥିବା ମନିଷ ସିସୋଦିଆ ଜାମିନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହି ମାମଲାର ଶୁଣାଣି କରି ଆଜି ଇଡି ଓ ସିବିଆଇକୁ ନିଜ ପକ୍ଷ ରଖିବାକୁ ନୋଟିସ ଜାରି କରିଛନ୍ତି ସର୍ବୋଚ୍ଚ ଅଦାଲତ।
ଜଷ୍ଟିସ ସଞ୍ଜୀବ ଖନ୍ନା, ଜଷ୍ଟିସ ବେଲା ତ୍ରିବେଦୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଆସନ୍ତା ୨୮ ତାରିଖ ସୁଦ୍ଧା ଉତ୍ତର ରଖିବାକୁ ଉଭୟ ଇଡି ଓ ସିବିଆଇକୁ ନୋଟିସ ଜାରି କରିଛନ୍ତି।
ମନିଷ ସିସୋଦିଆଙ୍କ ପତ୍ନୀଙ୍କ ସ୍ୱାସ୍ଥ୍ୟ ଖରାପ ରହୁଥିବା ସତ୍ତ୍ୱେ ତାଙ୍କ ଜାମିନ ଆବେଦନ ହାଇକୋର୍ଟରେ ବାରମ୍ବାର ଖାରଜ ହେଇଥିବାରୁ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ମନିଷ ସିସୋଦିଆ ଦିଲ୍ଲୀ ହାଇକୋର୍ଟର ଦୁଇଟି ଆଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ମନିଷ ସିସୋଦିଆଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନ ଉପରେ ଆସନ୍ତା ୨୮ ତାରିଖରେ ଶୁଣାଣି ହେବ |
ଏହି ଦୁଇଟି ମାମଲାରେ ଦିଲ୍ଲୀ ହାଇକୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି। ମନିଷ ସିସୋଦିଆଙ୍କ ଉପରେ ଲାଗିଥିବା ଆରୋପକୁ ସାଂଘାତିକ ଦର୍ଶାଇ ତାଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଥିଲେ ଦିଲ୍ଲୀ ହାଇକୋର୍ଟ। ସିସୋଦିଆ ଦିଲ୍ଲୀ ସରକାରରେ ଜଣେ କ୍ଷମତାଶୀଳ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିବା ବେଳେ ଏବେ ତାଙ୍କ ଦଳ କ୍ଷମତାରେ ଅଛି। ତେଣୁ ସେ ବାହାରକୁ ଆସିଲେ ସାକ୍ଷୀ, ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିପାରନ୍ତି ବୋଲି ଦର୍ଶାଇ ତାଙ୍କ ଜାମିନ ଆବେଦନ ଖାରଜ କରିଥିଲେ ଦିଲ୍ଲୀ ହାଇକୋର୍ଟ।
ଫେବୃଆରୀ ୨୬ରେ ପ୍ରଥମେ ସିବିଆଇ ମନୀଷ ସିସୋଦିଆଙ୍କୁ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ କରିଥିଲା। ତାଙ୍କ ରିମାଣ୍ଡ ଅବଧି ଶେଷ ହେବା ପରେ କୋର୍ଟ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ। ସେ ଜେଲରେ ଥିବା ବେଳେ ଇଡି ରୁଜୁ କରିଥିବା ମନି ଲଣ୍ଡରିଂ ମାମଲାରେ ସିସୋଦିଆଙ୍କୁ ତିହାର ଜେଲରେ ହିଁ ଜେରା କରିଥିଲା। ଏହାପରେ ଗତ ମାର୍ଚ୍ଚ ୯ ରେ ବିଧିବଦ୍ଧ ଭାବେ ଗିରଫ କରିଥିଲା। ସେବେଠାରୁ ସେ ଜେଲରେ ଅଛନ୍ତି।
୨୦୨୧ ନଭେମ୍ବରରେ ଆପ୍ ସରକାର ଦିଲ୍ଲୀରେ ବହୁ ଚର୍ଚ୍ଚିତ ନୂଆ ଅବକାରୀ ନୀତି ଲାଗୁ କରିଥିଲେ। ତେବେ ଅବକାରୀ ନୀତିରେ ଦୁର୍ନୀତି ହୋଇଥିବା ନେଇ ବଡ ଅଭିଯୋଗ ହେବାରୁ ୨୦୨୨ ସେପ୍ଟେମ୍ବରରେ ଏହାକୁ ପ୍ରତ୍ୟାହାର କରି ନେଇଥିଲେ ଦିଲ୍ଲୀ ସରକାର। ସେବେଠୁ ସିବିଆଇ ଓ ଇଡି ଏହାର ତଦନ୍ତ କରୁଛନ୍ତି।





