ନିଜ ଦଳକୁ ବଞ୍ଚାଇବାକୁ ଯାଇ ନୀତିଶଙ୍କ କ୍ୟାବିନେଟରୁ ଦେଲେ ଇସ୍ତଫା ସନ୍ତୋଷ ମାଂଝୀ

ଭୁବନେଶ୍ୱର,୧୩/୬(ସତ୍ୟପାଠ ବ୍ୟୁରୋ): ବିହାର ରାଜନୀତିରେ ବଡ ହଲଚଲ । ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ସନ୍ତୋଷ ସୁମନ। ନୀତିଶ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଥିବା ସନ୍ତୋଷଙ୍କ ଇସ୍ତଫା ପରେ ନୀତିଶ-ତେଜସ୍ବୀ ମେଣ୍ଟ ସରକାରଙ୍କୁ ଲାଗିଛି ବଡ ଝଟକା।

ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଂଝୀଙ୍କ ପୁ୍ଅ ତଥା ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା ପାର୍ଟିର ରାଷ୍ଟ୍ରିୟ ଅଧ୍ୟକ୍ଷ ଡକ୍ଟର ସନ୍ତୋଷ ସୁମନ ମାଂଝୀ ଇସ୍ତଫା ଦେଇଛନ୍ତି। ମନ୍ତ୍ରୀ ବିଜୟ କୁମାର ଚୌଧୁରୀଙ୍କୁ ଭେଟି ସେ ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ୨୦୧୮ରେ ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ସନ୍ତୋଷ ବର୍ତ୍ତମାନ ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଥିଲେ।

ଇସ୍ତଫା ପରେ ସନ୍ତୋଷ ମାଂଝୀ ସାମ୍ବାଦିକ ସମ୍ମିଳନୀ କରି ଦଳର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା ପରେ ସେ ଏହି ନିଷ୍ପତ୍ତି ନେଇଥିବା ପ୍ରକାଶ କରିଛନ୍ତି। ଯଦିଓ ମିଳିତ ମେଣ୍ଟରୁ ଅଲଗା ହେବା କଥାକୁ ସେ ଅସ୍ବୀକାର କରିଛନ୍ତି କିନ୍ତୁ ଜେଡିୟୁ ସରକାରରେ ମିଶିବା କଥାକୁ ମଧ୍ୟ ସେ ପ୍ରତ୍ୟାଖ୍ୟାନ କରିଛନ୍ତି।

ସୂଚନା ଅନୁସାରେ, ଜନତା ଦଳ ୟୁନାଇଟେଡ (JDU) ସହ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା ପାର୍ଟି (HAM) ବିଲୀନ ପାଇଁ ଚାପ ପକାଯାଉଥିଲା । ଯାହାକି ସନ୍ତୋଷ ମାଂଝୀକୁ ନାପସନ୍ଦ ଥିଲା। ସେଥିପାଇଁ ସେ ଏଭଳି ଚରମ ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି। ବିଲୀନ ହେବାକୁ ଥିବା ଦଳର ଅସ୍ତିତ୍ବ ବଞ୍ଚାଇବା ପାଇଁ ଏଭଳି ନିଷ୍ପତ୍ତି ନେଇଥିବା ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି HAM ରାଷ୍ଟ୍ରୀୟ ଅଧ୍ୟକ୍ଷ ସନ୍ତୋଷ ସୁମନ ମାଂଝୀ।

ତେବେ ଗତ ୨୩ତାରିଖରେ ଡକାଯାଇଥିବା ବିରୋଧୀଙ୍କ ବୈଠକରେ ସାମିଲ ହୋଇନଥିଲେ ସନ୍ତୋଷ । ତାଙ୍କୁ ବୈଠକରେ ନିମନ୍ତ୍ରଣ କରାଯାଇନଥିଲା ଏବଂ ଅଣଦେଖା କରାଯାଉଥିଲା ବୋଲି ସେ କହିଛନ୍ତି। ଏହାସହ ସେ କହିଛନ୍ତି, “ଜଙ୍ଗଲରେ ଅନେକ ଜୀବ ଜନ୍ତୁ ଅଛନ୍ତି। ଦୀର୍ଘ ଦିନ ହେବ ସେମାନଙ୍କୁ ଶିକାର କରାଯିବାକୁ ପ୍ରୟାସ କରାଯାଉଛି।” ଏନେଇ ଦଳ ରଣନୀତି ପ୍ରସ୍ତୁତ କରିବା ପରେ ଆଗାମୀ ଦିନରେ ବିଚାର କରାଯିବ ବୋଲି କହିଛନ୍ତି ସନ୍ତୋଷ ସୁମନ।

ସୂଚନା ମୁତାବକ, ପୂର୍ବରୁ ସନ୍ତୋଷ ବିହାରର ୫ଟି ଲୋକସଭା ଆସନ ଟିକେଟ୍ ବାବଦରେ ନୀତିଶଙ୍କ ସହ ଆଲୋଚନା କରିଥିଲେ। ହେଲେ ପରେ ନୀତିଶ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା ପାର୍ଟିକୁ JDU ସହ ମିଶାଇ ଗୋଟିଏ ପାର୍ଟି କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ଯାହାକୁ ନେଇ ଉଭୟ ମେଣ୍ଟ ମଧ୍ୟରେ ଆରମ୍ଭ ହୋଇଥିଲା ଅସନ୍ତୋଷ। ଶେଷରେ ଦଳର ଅସ୍ଥିତ୍ବ ରକ୍ଷା କରିବାକୁ ଯାଇ ସନ୍ତୋଷ ସୁମନ ଇସ୍ତଫା ଦେଇଥିବା ଜଣାପଡିଛି।

Related Posts