ମନମୋହନଙ୍କ ନୂଆ ଟିମ୍; ବିଜେପି ରାଜ୍ୟ ପଦାଧିକାରୀ ଓ ମୋର୍ଚ୍ଚା ସଭାପତିଙ୍କ ନାଁ ଘୋଷଣା

ଭୁବନେଶ୍ଵର (ସତ୍ୟପାଠ ବ୍ୟୁରୋ): ରାଜ୍ୟ ବିଜେପିର ସଭାପତି ଭାବେ ଦାୟିତ୍ଵ ନେବାର ପ୍ରାୟ ୪ ମାସ ପରେ ଆଜି ନିଜର ନୂଆ ଟିମ୍ ଘୋଷଣା କରିଛନ୍ତି ମନମୋହନ ସାମଲ। ଘୋଷଣା ହୋଇଥିବା ଏହି ନୂଆ ପଦାଧିକାରୀଙ୍କ ତାଲିକାରେ ୩୫ ଜଣଙ୍କ ନାଁ ରହିଛି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଏହି ତାଲିକା ଜାରି କରିଥିବା ବେଳେ ଏଥିରେ ୧୦ ଉପସଭାପତି, ୫ ସାଧାରଣ ସମ୍ପାଦକ, ୧୦ ସମ୍ପାଦକଙ୍କ ସମେତ ବିଭିନ୍ନ ମୋର୍ଚ୍ଚାର ସଭାପତିଙ୍କ ନାମ ରହିଛି।

ତେବେ ଉପସଭାପତିଙ୍କ ତାଲିକାରେ ବିଧାୟକ ନାଉରୀ ନାୟକ, ସାଂସଦ ଅପରାଜିତା ଷଡ଼ଙ୍ଗୀ, ବରିଷ୍ଠ ନେତା ରବି ନାଏକ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ନାଁ ରହିଛି । ସେହିପରି ଗୋଲକ ମହାପାତ୍ର, ବିଧାୟିକା କୁସୁମ ଟେଟେ, ଲେଖାଶ୍ରୀ ସାମନ୍ତସିଂହାର, ସୁକେଶି ଓରାମ, ବିରଞ୍ଚିନାରାୟଣ ତ୍ରିପାଠୀଙ୍କ ନାଁ ମଧ୍ୟ ଉପସଭାପତି ତାଲିକାରେ ରହିଛି ।

ସେହିପରି ସାଧାରଣ ସମ୍ପାଦକ ତାଲିକାରେ ସାରଦା ପ୍ରସାଦ ଶତପଥୀ, ଯତୀନ ମହାନ୍ତି, ପୂର୍ଣ୍ଣିମା କେରକେଟା, ସିମଞ୍ଚଳ ଖଟେଇ ରହିଛନ୍ତି। ତେବେ ପୂର୍ବଭଳି ମାନସ ମହାନ୍ତିଙ୍କୁ ମିଳିଛି ସଂଗଠନ ସାଧାରଣ ସମ୍ପାଦକ ପଦ। ସେହିପରି ଯୁବନେତା ଟଙ୍କଧର ତ୍ରିପାଠୀ ଓ ଯୁବମୋର୍ଚ୍ଚା ର ସଭାପତି ଥିବା ଇରାସିସ ଆଚାର୍ଯ୍ୟଙ୍କୁ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି।

ସେହିପରି ମନମୋହନଙ୍କ ନୂଆ ଟିମରେ ବିଭିନ୍ନ ମୋର୍ଚ୍ଚାର ସଭାପତି ନିଯୁକ୍ତ ହୋଇଛନ୍ତି । ବିଜେପି ଯୁବ ମୋର୍ଚ୍ଚା ସଭାପତି ହୋଇଛନ୍ତି ଅଭିଳାଷ ପଣ୍ଡା । ଡକ୍ଟର ଐଶ୍ୱର୍ଯ୍ୟା ବିଶ୍ୱାଳଙ୍କୁ ମହିଳା ମୋର୍ଚ୍ଚା ସଭାପତି ପଦ ମିଳିଛି । ସେହିପରି ମହେଶ୍ୱର ସାହୁଙ୍କୁ କିଷାନ ମୋର୍ଚ୍ଚା, ନିତ୍ୟାନନ୍ଦ ଗଣ୍ଡଙ୍କୁ ଏସ୍‌ଟି ମୋର୍ଚ୍ଚା, ବିଭୁପ୍ରସାଦ ତରାଇଙ୍କୁ ଏସ୍‌ସି ମୋର୍ଚ୍ଚା ସୁରଥ ବିଶ୍ୱାଳଙ୍କୁ ଓବିସି ମୋର୍ଚ୍ଚା ସଭାପତି ଭାବେ ଦାୟିତ୍ୱ ମିଳିଛି ।

ତେବେ ଆଜି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ ଓଡ଼ିଶା ଗସ୍ତରେ ଆସୁଥିବା ବେଳେ ରାଜ୍ୟ ବିଜେପିର ନୂଆ ପଦାଧିକାରୀଙ୍କ ନାମ ଘୋଷଣା ହୋଇଛି। ଆସନ୍ତାକାଲି ଶାହ ଏହି ନୂଆ ଟିମ ଙ୍କ ସହ ଆଲୋଚନା କରିବା ନେଇ ମଧ୍ୟ ସୂଚନା ମିଳିଛି। ତେବେ ଆଗକୁ 2024 ନିର୍ବାଚନ ଥିବାବେଳେ ମନମୋହନଙ୍କ ଏହି ନୂଆ ଟିମ ଦଳ ପାଇଁ କେତେ ଫଳପ୍ରଦ ହେଉଛି ତାହା ଦେଖିବାକୁ ବାକି ରହିଲା।

Related Posts